ଯୁବକଙ୍କୁ ଅପହରଣ, ମୁଣ୍ଡଜାମିନ୍‌ ରଖି ପତ୍ନୀଙ୍କ ଅଳଙ୍କାର ଲୁଟ୍

ଖଲ୍ଲିକୋଟ: ଖଲ୍ଲିକୋଟ ଥାନା ଇଲକାରେ ଭେଜିପୁଟ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ୩ ଜଣ ଦୁର୍ବୃତ୍ତ ନାଟକୀୟ ଢଙ୍ଗରେ ଅପହରଣ କରି ନେଇ ନିସ୍ତୁକ ମାଡ଼ ମାରିବା ସହ ତାଙ୍କୁ ମୁଣ୍ଡ ଜାମିନ ରଖି ତାଙ୍କ ପତ୍ନୀଙ୍କ ଟଙ୍କା, ସୁନା ଗହଣା ଲୁଟି ନେଇଛନ୍ତି। ଏ ସଂକ୍ରାନ୍ତରେ ଖଲ୍ଲିକୋଟ ଥାନାରେ ମାମଲା ରୁଜୁ ହୋଇଛି।

ପୋଲିସ ସୂଚନା ଅନୁସାରେ, ଭେଜିପୁଟ ଷ୍ଟେସନ ସାହିର ପୂର୍ଣ୍ଣଚନ୍ଦ୍ର ସାହୁଙ୍କର ସେହି ସାହିରେ ଦୁଇ ବର୍ଷ ତଳେ ଘର ଭଡ଼ା ନେଇ ରହୁଥିବା ବାବୁ ନାମକ ଜଣେ ଯୁବକଙ୍କ ସହ ଭଲ ସଂପର୍କ ଥିଲା। ହଠାତ ବୁଧବାର ସନ୍ଧ୍ୟାରେ ବାବୁ ଭେଜିପୁଟରେ ପହଞ୍ଚି ନିଜ ସ୍ତ୍ରୀ ପାଇଁ କିଛି ସୁନା ଗହଣା କିଣିବା ପାଇଁ ବାଲୁଗାଁ ଯିବା ପାଇଁ ପୂର୍ଣଚନ୍ଦ୍ରଙ୍କୁ ଡାକିଥିଲା। ପୂର୍ଣ୍ଣ ନିଜ କାର(ଓଡ଼ି ୦୨ ଏପି ୩୪୨୧) ଯୋଗେ ବାବୁ ଏବଂ ଅନ୍ୟ ଦୁଇ ଜଣଙ୍କୁ ବସାଇ ବାଲୁଗାଁ ବାହାରିଥିଲେ। ସୁବୁଦ୍ଧିପାଟଣା ଠାରେ ପରିସ୍ରା ପାଇଁ ଗାଡ଼ି ଅଟକାଇବାକୁ ବାବୁ କହିଥିଲେ। ଗାଡ଼ି ରଖି ପୂର୍ଣ୍ଣ ବାହାରେ ଛିଡ଼ା ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଯୁବକ ହଠାତ ତାଙ୍କୁ ଗାଡ଼ି ଭିତରକୁ ଟାଣି ନେଇ ପଛ ସିଟ୍‌ରେ ମାଡ଼ି ବସିବା ସହ କାର୍‌ ଚାବି ଛଡ଼ାଇ ନେଇଥିଲେ।

ଏହା ପରେ ତାଙ୍କୁ ବିଭିନ୍ନ ସ୍ଥାନ ବୁଲାଇଥିଲେ। ରାତି ୧୨ ଟାରେ ଦୁଇ ଜଣ ଯୁବକ ବାଇକ୍‌ରେ ପୂର୍ଣ୍ଣଙ୍କ ଭେଜିପୁଟ ଘରେ ପହଞ୍ଚି ତାଙ୍କ ସ୍ତ୍ରୀଙ୍କ ସହ ମୋବାଇଲ୍‌ରେ କଥା କରାଇଥିଲେ। ମାରିଦେବାର ଧମକ ଦେଇ ମଙ୍ଗଳସୂତ୍ର, ଚେନ୍‌ ଓ କାନଫୁଲ ନେଇ ଯାଇଥିଲେ। ମାଲୁଦ କଣ୍ଟାପଡ଼ା ରାସ୍ତାରେ କାର୍‌ ରଖି ପୂର୍ଣ୍ଣଙ୍କୁ ମାଡ଼ ମାରିବା ସହ ତାଙ୍କ ନିକଟରେ ଥିବା ନଗଦ ୭ ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇ ସେଠାରୁ ପଳାଇ ଯାଇଥିଲେ। ରାତି ଦୁଇଟାରେ ନିକଟସ୍ଥ ଏକ ଗ୍ରାମରେ ପହଞ୍ଚି ପୂର୍ଣ୍ଣ ଜଣେ ବ୍ୟକ୍ତିଙ୍କ ମୋବାଇଲ ମାଗି ଘରକୁ ଖବର ଦେବାରୁ ତାଙ୍କ ପୁଅ ସେଠାରେ ପହଞ୍ଚି ଘରକୁ ଆଣିଥିଲେ। ପୁଲିସରେ ଅଭିଯୋଗ କଲେ ଜୀବନରେ ମାରି ଦେବାକୁ ଧମକ ଦେଇଛନ୍ତି। ଏ ସଂକ୍ରାନ୍ତରେ ପୂର୍ଣ୍ଣ ଭେଟିପୁଟ ଫାଣ୍ଡିରେ ଏତଲା ଦେବା ପରେ ଖଲ୍ଲିକୋଟ ଥାନା‌ରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର