ଅପହୃତ ସାମୁଏଲ ଉଦ୍ଧାର, ୬ ଗିରଫ

ପୂର୍ବ ମାମଲାରେ ସାମୁଏଲ ବି ବନ୍ଧାହେଲା

ଭୁବନେଶ୍ବର/ଖଜୁରୀପଡ଼ା: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାଦନା ଖଲିଗୁଡ୍ରି ଗ୍ରାମର ନିରଞ୍ଜନ ମହାନନ୍ଦଙ୍କ ପୁଅ ସାମୁଏଲ୍ ମହାନନ୍ଦ ଅପହରଣ ଘଟଣାର ୧୧ ଦିନ ପରେ ଅପହୃତଙ୍କୁ ଭୁବନେଶ୍ବରର ଏସ୍‌.ଆର୍‌. ଗେଷ୍ଟ୍‌ ହାଉସ୍‌ରୁ ଉଦ୍ଧାର କରିବା ସହ ଏହି ମାମଲାରେ ସଂପୃକ୍ତ ୬ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ହାସିନା ନାୟକ, ମନୋଜ କୁମାର ନାୟକ, ଦୀପକ କୁମାର ସାହୁ, ରତ୍ନାକର ସାମଲ, ପ୍ରଶ୍ନ ମଲ୍ଲିକ ଓ ପଞ୍ଚୁ ନାୟକ। ସମସ୍ତ ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଗେଲ୍ଲୀ କୁମାରୀ ସାହୁ ସୂଚନା ଦେଇଛନ୍ତି। ଆଇପିଏସ୍‌ କନ୍ୟା ସହ ବିବାହ କରାଇ ଦେବାକୁ କହି ଚକାପାଦ ବ୍ଲକ୍‌ ଲାଇନପଡ଼ା ଗ୍ରାମର ମୁଖ୍ୟ ଅଭିଯୁକ୍ତ ହାସିନା ମଧ୍ୟସ୍ଥି ବାହାନାରେ ସାମୁଏଲଙ୍କ ଠାରୁ କିଛି ଟଙ୍କା ନେଇଥିଲା। ଯାହାକୁ ନେଇ ହସିନା ଓ ସାମୁଏଲଙ୍କ ମଧ୍ୟରେ ତିକ୍ତତା ବଢ଼ିଥିଲା। ସାମୁଏଲ ବାରମ୍ବାର ଟଙ୍କା ମାଗିବାରୁ ଶେଷରେ ବାଧ୍ୟ ହୋଇ ହସିନା ଅନ୍ୟ ସହଯୋଗୀଙ୍କ ସହ ଅପହରଣ କରିଥିବା ପୁଲିସ କହିଛି।

ସୂଚନା ପ୍ରକାରେ ଗତ ମେ ୨୦ ତାରିଖ ସନ୍ଧ୍ୟା ପ୍ରାୟ ୮ ବେଳେ ସାମୁଏଲକୁ ମୁଖ୍ୟ ଅଭିଯୁକ୍ତ ଅଭିଯୁକ୍ତ ହାସିନା ନାୟକଙ୍କ ସମେତ ୬ ଜଣ ମିଶି ଏକ କାର ଯୋଗେ ବଲସକୁମ୍ପା ନିକଟସ୍ଥ ରୁଗୁଡ଼ି ସାହି ରାସ୍ତାଉପରୁ ଆଖିରେ ଲଙ୍କା ଗୁଣ୍ଡ ଫିଙ୍ଗି ଗାଡ଼ି ଭିତରେ ଜୋର୍ ଜବରଦସ୍ତ ଧରି ଅପହରଣ କରି ନେଇଥିଲେ। ଘଟଣା ପରେ ସାମୁଏଲଙ୍କ ଭଉଣୀ ସୁନିଲା ମହାନନ୍ଦ ଏବଂ ଜ୍ବାଇଁ ଏ ନେଇ ଖଜୁରୀପଡ଼ା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ କେସ୍‌ ନଂ -୬୨/୨୩ ରୁଜୁ କରି ତଦନ୍ତ ଜାରି ରଖିଥିଲା। ୯ ଦିନ ଯାଏ କିଛି ଖୋଜଖବର ନମିଳିବାରୁ  ପରିବାର ଲୋକେ ଏସ୍‌.ପିଙ୍କ ଦ୍ବାରସ୍ଥ ହୋଇଥିଲେ। ବିଶେଷ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ଗେଲ୍ଲୀ କୁମାରୀ ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ଭୁବନେଶ୍ୱର କ୍ୟାପିଟାଲ ଥାନା ପୁଲିସ ସହାୟତାରେ ଗେଷ୍ଟ୍‌ ହାଉସ୍‌ରୁ ସାମୁଏଲଙ୍କୁ ଉଦ୍ଧାର କରିବା ସହ ଅପହର୍ତ୍ତାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା।
ତେବେ ସାମୁଏଲଙ୍କୁ ମଧ୍ୟ ଖଜୁରୀପଡ଼ା ଥାନାରେ ପୂର୍ବରୁ ତାଙ୍କ ନାଁରେ ଥିବା ଏକ ମାମଲାରେ ପୁଲିସ ଗିରଫ କରିଥିବା ଜଣାପଡ଼ିଛି। ବାହାଘର ହେବ କହି ସାମୁଏଲ ସ୍ଥାନୀୟ ଅଞ୍ଚଳର ପ୍ରଶାନ୍ତ ସାହାଣୀ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୯୦ ହଜାର ଟଙ୍କା ନେଇ ‌ଫେରାଉ ନଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ପ୍ରଶାନ୍ତଙ୍କ ଏତଲା ଆଧାରରେ କେସ୍‌ ନଂ-୬୯/୨୩ ରୁଜୁ ହୋଇଥିଲା। ଏହି ମାମଲାରେ ସାମୁଏଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର