ବଢୁଛି କିଡନ୍‌ ରୋଗୀଙ୍କ ସଂଖ୍ୟା, ପାନରାଗୁଡା ଏବଂ ଏମପିଭି-୨ରେ ପ୍ରତିବର୍ଷ କିଡନୀ ରୋଗୀ ମରୁଛନ୍ତି

ରକ୍ତ ନମୂନା ସଂଗ୍ରହ କଲେ ମେଡିକାଲ ଟିମ ପହଞ୍ଚି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କିଡନୀ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଜିଲ୍ଲାର କୋରକୋଣ୍ଡା, କାଲିମେଳା, ମାଲଲକାନଗିରି ଏବଂ ପଡିଆ ବ୍ଲକରେ ଗାଁଗାଁରେ କିଡନୀ ରୋଗୀ ରହିଛନ୍ତି। ପ୍ରତିଦିନ ମେଡିକାଲକୁ ଦୁଇରୁ ତିନିଜଣ ନୂଆ କିଡନୀ ରୋଗୀ ଚିକିତ୍ସା ପାଇଁ ଆସୁଥିବା ଦେଖିବାକୁ ମିଳିଛି। ସେହିପରି ପ୍ରତିଦିନ ୧୨ ଜଣ କିଡନୀ ରୋଗୀ ଡାଇଲିସିସ୍‌ କରୁଥିବା ଜଣାପଡିଛି। ଏବେ କୋରକୋଣ୍ଡା ବ୍ଲକର ପାନରାଗୁଡା ଏବଂ ଏମପିଭି-୨ ଗ୍ରାମରେ କିଡନୀ ରୋଗୀଙ୍କ ସଂଖ୍ୟା ବଢୁଥିବା ଦେଖିବାକୁ ମିଳିଛି। ତେବେ ଖବରର ପାଇ ଏକ ସ୍ବାସ୍ଥ୍ୟ ଟିମ ଏହି ଦୁଇ ଗାଁରେ ପହଞ୍ଚି ରକ୍ତ ନମୂନା ସଂଗ୍ରହ କରିଥିବା ଜଣାପଡିଛି। ଏହି ଦୁଇ ଗ୍ରାମର ଲୋକଙ୍କ କହିବା ଅନୁଯାୟୀ ବହୁ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇ ନାହିଁ ନଥିବା ହଇରାଣ ହେଉଛନ୍ତି।

ଗତ ଏକବର୍ଷ ମଧ୍ୟରେ ୩ ଜଣ କିଡନୀ ରୋଗୀଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ କହନ୍ତି। ତେବେ ଜିଲ୍ଲାରେ ପ୍ରତିଦିନ କେଉଁଠି ନା କେଉଁଠି କିଡନୀ ରୋଗୀଙ୍କର ମୃତ୍ୟୁ ହେଉଛି, ସେହି ଖବର ନା ସ୍ବାସ୍ଥ୍ୟ ବିଭାଗ ପାଖରେ ଅଛି ନା ପ୍ରଶାସନ ନିକଟରେ। ଏହି ଦୁଇ ଗ୍ରାମରେ ଏବେ କିଡନୀ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଡାକ୍ତର ଦୁର୍ଗା ପ୍ରସାଦ ରାଜଙ୍କ ନେତୃତ୍ବରେ ଏକ ଟିମ ଏହି ଦୁଇ ଗ୍ରାମକୁ ଗସ୍ତ କରି ୪୭ ଜଣ ଲୋକଙ୍କ ରକ୍ତ ନମୂନା ସଂଗ୍ରହ କରିଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ତିନି ଜଣ ଅତି ଗୁରୁତର ଥିବା ସେ କହନ୍ତି। ପାନରାଗୁଡା ଗ୍ରାମରେ ରହିଥିବା ୧୦ଟି ନଳକୂପରୁ ୯ଟି ନଳକୂପ ଅତି ଖରାପ ପାଣି ବାହାରୁ ଥିବାରୁ ଏହାକୁ ପିଇବା ଯୋଗ୍ୟ ନୁହେଁ ବୋଲି କୁହାଯାଇଛି। ସେହିପରି ଯେଉଁ ଗୋଟିଏ ନଳକୂପ ରହିଛି ତାହା ମଧ୍ୟ କେତେ ଦୁର ପିଇବା ଯୁକ୍ତ ତାହା ତଦନ୍ତ ସାପେକ୍ଷ। ସେହିପରି ଏମପିଭି-୨ ଗ୍ରାମରେ ରହିଥିବା ୧୪ଟି ନଳକୂପ ଠିକ ରହିଥିବା ଡାକ୍ତରୀ ଟିମ କହନ୍ତି। କିନ୍ତୁ ଏହା କେତେ ଭଲ ତାହା ତଦନ୍ତ ପରେ ଜଣାପଡିବ।କିଡନୀ ଖରାପ ହେବାର ବହୁ କାରଣ ରହିଥିବା ଡାକ୍ତର ରାଜ କହନ୍ତି।

ତେବେ ଏହି ଅଞ୍ଚଳର ଲୋକେ ପ୍ରାୟତଃ ନିଶାସକ୍ତ ରହୁଥିବାରୁ ଏହା ମଧ୍ୟ ଗୋଟିଏ କାରଣ ହୋଇ ଥାଇପାରେ ବୋଲି କୁହାଯାଏ। ସେହିପରି ପରୀକ୍ଷା ନ କରାଯିବା ପର୍ଯ୍ୟନ୍ତ କେଉଁ କାରଣରୁ କିଡନୀ ରୋଗ ବଢୁଛି ତାହା କହିବା ଅସମ୍ଭବ ବୋଲି ସେ କହନ୍ତି। ତେବେ ଏହି ଦୁଇ ଗ୍ରାମର ଲୋକେ ବାହାର ଆନ୍ଧ୍ରକୁ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ଯାଉଥିବା ଦେଖିବାକୁ ମିଳିଛି। ବିଶେଷକରି ଗୁଣ୍ଟୁର ଡାକ୍ତରଖାନାକୁ ଯାଇ କିଡନୀ ରୋଗ ହୋଇଥିବା ଜାଣି କିଡନୀ ଚିକିତ୍ସା କରାଉଛନ୍ତି। ମାଲକାନଗିରି ଜିଲ୍ଲାରେ ବିଶେଷକରି ପାଣିର ସମସ୍ୟା ରହିଥିବାରୁ ହୁଏତ ଏହା ମୁଖ୍ୟ କାରଣ ହୋଇ ଥାଇପାରେ ବୋଲି କୁହାଯାଇଛି। ତେବେ ସରକାରଙ୍କ ତରଫରୁ ତୁରନ୍ତ କୌଣସି ପଦକ୍ଷେପ ନନେଲେ ଆଗାମୀ ଦିନରେ ଜିଲ୍ଲାରେ ଘରେ ଘରେ କିଡନୀ ରୋଗୀ ବାହାରିବେ ବୋଲି ମତ ପ୍ରକାଶ ପାଇଛି। ସେହିପରି ଦୁର୍ଗମ ଅଞ୍ଚଳରେ ପିଇବା ପାଣିର ସମସ୍ୟା ରହିଥିବାରୁ ଲୋକେ ଚୁଆ ପାଣି ଏବଂ ଖରାପ ନଳକୂପର ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ତେଣୁ ଏହା ମଧ୍ୟ କିଡନୀ ରୋଗର ବାହକ ହୋଇଥାଇପାରେ ବୋଲି ଆଲୋଚନା ଜୋର ଧରିଛି।

ସମ୍ବନ୍ଧିତ ଖବର