ରାଜା ନିଖୋଜ ଘଟଣା: ମାଉଜର ଯୋଗାଣାକୁ ନେଇ ରାଜାକୁ ହତ୍ୟା କଲେ ୨ ବନ୍ଧୁ

ଯୋଜନାବଦ୍ଧ ଭାବେ ହତ୍ୟା କରିଛନ୍ତି ୨ ହତ୍ୟାକାରୀ: ବୌଦ୍ଧ ଏସ୍‌ପି

ବୌଦ୍ଧ: ବହୁଚର୍ଚ୍ଚିତ ପ୍ରମୋଦ ପ୍ରସାଦ ଆଲିଆସ (ରାଜା) ନିଖୋଜ ଘଟଣା ପର୍ଦ୍ଦାଫାଶ କରିଛି ବୌଦ୍ଧ ପୁଲିସ। ମାଉଜର (ଦେଶି ପିସ୍ତଲ) ଯୋଗାଣକୁ ନେଇ ତାର ଦୁଇ ଜଣ ଘନିଷ୍ଠ ବନ୍ଧୁ ରାଜାକୁ ଯୋଜନା ବଦ୍ଧ ଭାବେ ହତ୍ୟା କରିଛନ୍ତି। ଏହି ଘଟଣାରେ ଜଡିତ ୨ ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଦ୍ୱୟ ହେଲେ ମିଲନ ପାତ୍ର ଓ ଅଭିଷେକ ସାହାଣୀ ପୁଲିସ ମୁଖ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୌଦ୍ଧ ଏସ୍‌ପି ଭି ରଘୁନାଥ ରାଓ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହା କହିଛନ୍ତି।

ସୂଚନାଯୋଗ୍ୟ, ଚଳିତ ମାସ ୧୧ ତାରିଖରୁ ରାଜା ନିଖୋଜ ହେବା ପରେ ତାଙ୍କ ପରିବାର ଲୋକେ ବୌଦ୍ଧ ଥାନାରେ ଏତଲା ଦେଇଥିଲେ। ୧୪ ତାରିଖରେ ଏକ ଶବ ମହାନଦୀ ପଠାରୁ ଉଦ୍ଧାର ହେବା ପରେ ରାଜାର ହତ୍ୟା ହୋଇଥିବା ନେଇ ଅନେକ କଳ୍ପନାଜଳ୍ପନା କରାଯାଉଥିଲା। ପୁଲିସ ରାଜା ସଂପର୍କରେ ବିଭିନ୍ନ ଦିଗରୁ ତଦନ୍ତ ଚଳାଇବା ପରେ ଶେଷରେ ବହୁଦିନରୁ ଜାରି ରହିଥିବା ସସ୍‌ପେନ୍ସ ଉପରୁ ପରଦା ହଟାଇବାକୁ ସଫଳ ହୋଇଛି।

ରାଜାକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯିବା ନେଇ ପ୍ରମାଣ ସଂଗ୍ରହ କରିବାରେ ପୁଲିସ ସଫଳ ହୋଇଛି। ଏସ୍‌ପି କହିଛନ୍ତି ଯେ, ଅଭିଯୁକ୍ତମାନେ ହତ୍ୟା କରିବା ପରେ ରାଜାର ଶବକୁ ପୋଡି ଦେବା ସହ ପ୍ରମାଣପତ୍ର ନଷ୍ଟ କରିବା ଉଦେଶ୍ୟରେ ମୃତଦେହକୁ ନଦୀରେ ଭସାଇ ଦେଇଥିଲେ।

ପୁଲିସ ଅଭିଯୁକ୍ତ ଦ୍ୱୟଙ୍କ ଠାରୁ ମାରଣାସ୍ତ୍ର ଜବତ କରିଥିବା ବେଳେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର