କିଶାନ କ୍ରେଡିଟ୍‌ କାର୍ଡ ଦୁର୍ନୀତି: କୁକ୍‌ ଓ କ୍ୟାସିୟର ଗିରଫ, କୋର୍ଟ ଚାଲାଣ

କୋରାପୁଟ: କିଶାନ କ୍ରେଡିଟ କାର୍ଡ ଦୁର୍ନୀତିର ଚେର ଗାଁକୁ ଗାଁ ଲମ୍ବିଛି। କୋରାପୁଟ ବ୍ଲକରେ ରହିଥିବା ମହାଦେଇପୁଟ, ଏକା‌ଟାଗୁଡା, ଟାଉପଦର, ଥାଟପଦର ସହ ଅନ୍ୟ ଗାଁକୁ ବି ଲମ୍ବିଛି ଏହି ଦୁର୍ନୀତି। ଆଜି ଟାଉନ ପୁଲିସ ପକ୍ଷରୁ ପିଏନ୍‌ବି କୋରାପୁଟ ଶାଖାରେ ଠିକା ଭବେ କାମ କରୁଥିବା ରୋଷେଇୟା (କୁକ୍‌) ରାମ ଖୀଲ (୨୬) ଓ କ୍ୟାସିୟର ଲକ୍ଷ୍ମଣ ସିଲିପାଢିଆ (୪୦)ଙ୍କୁ କୋରାପୁଟ ଟାଉନ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିବା ପରେ ଏହି ସତ୍ୟ ପଦାକୁ ଆସିଛି।

ତେବେ ମହାଦେଇପୁଟର ଯୁବକ ତଥା ବ୍ୟାଙ୍କରେ କାମ କରୁଥିବା କୁକ୍‌ ହିଁ ମୁଖ୍ୟ ଅଭିଯୁକ୍ତ। ଏହି ଗାଁରୁ ଆସୁଥିବା ଲୋକଙ୍କ ଠାରୁ ବ୍ୟାଙ୍କ ଆକାଉଣ୍ଟ, ଫୋନ ନମ୍ବର ଓ ନାମ ଟିପି ରଖୁଥିଲା। ଯେତେବେଳେ ଗାଁ ଲୋକେ ଟଙ୍କା ନେବାକୁ ଆସୁଥିଲେ ଏହି ସମୟରେ ସେମାନଙ୍କୁ କାରବାର ସମୟରେ ସହଯୋଗ କରୁଥିଲେ। ଏହାପରେ ନିୟମିତ ଭାବେ କ୍ୟାସିୟର ସହ ମିଶି ଲୋକଙ୍କ ବ୍ୟାଙ୍କ ଖାତାକୁ ଦେଖି ସାଇନ ନକଲ କରି ଉଠାଉଥିଲେ ଟଙ୍କା। ଏହି ଟଙ୍କାରୁ କ୍ୟାସିୟର ଭାଗ ନେଇ ଚୁପ ବସୁଥିଲାବେଳେ କିପରି ଶାଖା ପରିଚାଳକ ଏନେଇ ଜଣି ପାରୁ ନଥିଲେ ତାହାକୁ ନେଇ ନାନା ଚର୍ଚ୍ଚା ଚାଲିଛି। ତେବେ କିପରି କେଉଁ ପରିସ୍ଥିତିରେ ଜଣେ କୁକ୍‌କୁ ବ୍ୟାଙ୍କ ପରିସରରେ ଏତେ ଗୁରୁତ୍ବ ଦିଆଯାଉଥିଲା। ସେ କିପରି ଖାଦ୍ୟ ରାନ୍ଧିବା ସହ ବ୍ୟାଙ୍କ କାମରେ ନିଜକୁ ନିୟୋଜିତ କରୁଥି‌ଲେ। ଏହି ନିୟୋଜନ ସମୟରେ କରିଛନ୍ତି କାରସାଦୀ। ଖାଇବା ଦେଉ ଦେଉ କିପରି କୋର ବ୍ୟାଙ୍କକୁ ପ୍ରବେଶ କରି ଟଙ୍କା ହେରଫେର କଲେ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଗତକାଲି ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚୁରା କରିଥିବାବେଳେ କିରାଣୀ ଅକ୍ଷୟ କୁମାର ଦାସଙ୍କୁ ପୁଲିସ ଛାଡିଛି।

ଯଦି ତାଙ୍କ ସମ୍ପୃକ୍ତି ଏହି ଘଟଣାରେ ରହିଥିବ ତେବେ ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଆଇଆଇସି ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଚାଷୀଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଉଠାଣ ହେବାକୁ ନେଇ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ଏତଲାକୁ ଭିତ୍ତିକରି ପୁଲିସର ଏକ ଟିମ୍‌ ସଂପୃକ୍ତ ବ୍ୟାଙ୍କକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ। କିପରି ଚାଷୀଙ୍କ ଆକାଉଣ୍ଟରୁ ଅର୍ଥକୁ କିଏ ନେଲା ଏବଂ କିପରି ଭାବେ ଉଠାଗଲା ଏହାକୁ ଭିତ୍ତି କରି ତଦନ୍ତ ଆରମ୍ଭ ହୋଇଥିବାବେଳେ ତିନିଜଣଙ୍କ ସନ୍ଦିଗ୍ଧଙ୍କ କାର୍ଯ୍ୟକଳାପ ସମ୍ମୁଖକୁ ଆସିଥିଲା। ଏହାପରେ ସେମାନଙ୍କୁ ଆଣି ପଚରାଉଚୁରା କରିବା ପରେ ସତ ଉଗାଳିଥିଲେ। କିପରି କାରସାଦୀ କରି ଟଙ୍କା ଉଠାଇ ଭାଗ ନେଉଥିଲେ ସତ ସତ ମାନିଥିଲେ। ବାସୁଦେବ ବାଘଙ୍କ ଅକାଉଣ୍ଟରୁ ଏପ୍ରିଲ ୨୮ ରେ ୭ ହଜାର ଟଙ୍କା ସେଲଫ ଓଇଥ୍‌ଡ୍ର ହୋଇଥିବାବେଳେ ଏକଟାଗୁଡାର କମଳ ଲୋଚନ ଖରାଙ୍କ ଆକାଉଣ୍ଟରୁ ୨୧ ହଜାର (୧୯ ଫେବ୍ରୁଆରୀ), ରୁକମଣୀ ଟାକିରି ୨୬ ହଜାର ଟଙ୍କା (୨୧ ଜୁନ୍‌), ଟାଉପଦର ରାଜାମଣି ଟାକିରିଙ୍କ ଖାତାରୁ ୬୮୦୦ ଟଙ୍କା (୨୫ ଜୁନ୍‌), ଜୟରାମ ଖରାଙ୍କ ଖାତାରୁ ୧୯ ହଜାର ଟଙ୍କା (୧୮ ମାର୍ଚ୍ଚ), ମୁକ୍ତା ଟାକିରିଙ୍କ ଖାତାରୁ ୨୪ ହଜାର ଟଙ୍କା (୧୯ ମେ’) , ନୀଳକଣ୍ଠ ଟାକିରିଙ୍କ ଖାତାରୁ ୧୫୮୦୦ (୭ ଜୁଲାଇ) ଓ ଲକ୍ଷ୍ମଣ ଟାକିରିରେ ୭୦୦୦ (ଅଗଷ୍ଟ ୭) ଟଙ୍କା ସେଲ୍ଫ ଉଇଥ୍‌ଡ୍ର ହୋଇଛି।

ସମ୍ବନ୍ଧିତ ଖବର