ବୀରମହାରାଜପୁର: ରାଜ୍ୟ କୃଷକ ମୋର୍ଚ୍ଚା ସଦସ୍ୟ କିଶୋର ହୋତା ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଘୋଷଣା କରିଛନ୍ତି । ସେ ଦଳ ପକ୍ଷରୁ ବୀରମହାରାଜପୁର ଜୋନ-୧ ପାଇଁ ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ ପ୍ରାର୍ଥୀ ହେବାକୁ ଆଶାୟୀ ଥିଲେ । ସେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳରୁ ଇସ୍ତଫା ଦେଉଥିବା କଥା ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ବିଗତ ଦିନରେ ସୁବର୍ଣ୍ଣପୁର ଜିଲ୍ଲା ବିଜେପିର ଦୁଇ ଥର ସାଧାରଣ ସମ୍ପାଦକ, ସଦସ୍ୟତା ପ୍ରଭାରୀ, ଜିଲ୍ଲା ମିଡ଼ିଆ ସେଲ ପ୍ରମୁଖ, କୃଷକ ମୋର୍ଚ୍ଚା ରାଜ୍ୟ ସମ୍ପାଦକ, କୃଷକ ମୋର୍ଚ୍ଚା ବୌଦ୍ଧ ଜିଲ୍ଲା ପ୍ରଭାରୀ, ବରଗଡ଼ ଓ ସୁନ୍ଦରଗଡ଼ର ପାର୍ଲ୍ୟାମେଣ୍ଟ ପ୍ରଭାରୀ ଆଦି ବିଭିନ୍ନ ଦାୟିତ୍ୱରେ ରହିଥିବାବେଳେ ବର୍ତ୍ତମାନ କୃଷକ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓ ବଲାଙ୍ଗୀର ଜିଲ୍ଲା କୃଷକ ମୋର୍ଚ୍ଚାର ପ୍ରଭାରୀ ଦାୟିତ୍ୱରେ ମଧ୍ୟ ରହିଥିଲେ

Advertisment

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଚମ୍ପାମାଲ ଗ୍ରାମର ଶ୍ରୀ ‌‌ହୋତା ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ବୀରମହାରାଜପୁର ଜୋନ-୧ ପାଇଁ ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ ପ୍ରାର୍ଥୀ ହେବାକୁ ଆବେଦନ କରିଥିଲେ । ତେବେ ତାଙ୍କୁ ଦଳ ଟିକଟ ନ ଦେବାରୁ ସେ ଅସନ୍ତୁଷ୍ଟ ଥିଲେ । ତାଙ୍କ ପ୍ରତି ଦଳ ଅବିଚାର ଓ ଅନ୍ୟାୟ କରିଥିବା ଅଭିଯୋଗ କରି ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବା ପ୍ରକାଶ କରିଛନ୍ତି ।

ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠେଇବା ସହ ଜିଲ୍ଲା ସଭାପତିଙ୍କୁ ମଧ୍ୟ ଏକ କପି ଦେଇଥିବା ପ୍ରକାଶ କରିଛନ୍ତି । ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର କହିଥିଲେ ମୁଁ ରାଜନୀତି ଅଛି ଆଗକୁ ରହିବି। ଯେଉଁ ଦଳ ମୋର କର୍ମୀମାନଙ୍କୁ ଗୁରୁତ୍ୱ ଦେବ ଓ ବୀରମହାରାଜପୁରର ବିକାଶ କରିବ ସେହି ଦଳରେ ସାମିଲ ହେବି।  ବିଜେପି ଦଳ ବିଷୟରେ କହିଛନ୍ତି, ଆଗାମୀ ଦିନରେ ବହୁ ବିଜେପି ନେତା ଓ କର୍ମୀ ଦଳ ଛାଡ଼ିବେ। ଅପେକ୍ଷା କରନ୍ତୁ ବୋଲି କହିବା ସହିତ ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳ ତୃତୀୟ ସ୍ଥାନରେ ରହିବ ବୋଲି କହିଛନ୍ତି।