କୋରାପୁଟ : ଲକ୍ଷ୍ୟ ଥିଲା କୋରାପୁଟ ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟରେ ହେବ ପୌଷ୍ଟିକ ବଗିଚା। ଏଥିରୁ ଉତ୍ପାଦନ ହେବାକୁ ଥିବା ପନିପରିବା ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ବ୍ୟବହାର ହେବ। ଏଥିପାଇଁ କୋରାପୁଟ ଜିଲ୍ଲାର ୨୨୨୨ ବିଦ୍ୟାଳୟକୁ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏହି ବିଦ୍ୟାଳୟଗୁଡିକୁ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବା ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଥିଲା ପ୍ରାୟ ୧କୋଟି ୧୧ ଲକ୍ଷ୧୦ହଜାର ଟଙ୍କା। ହେଲେ ଯେଉଁ ସମୟରେ ଏହି ଅର୍ଥ ବ୍ୟୟବରାଦ ହେଲା ତାହା ସ୍କୁଲ ଛାତ୍ରଛାତ୍ରୀଙ୍କ କାର୍ଯ୍ୟରେ ଆସିଲାନି ।

Advertisment

ଗତବର୍ଷ ଅକ୍ଟୋବର ମାସରେ କୋରାପୁଟ ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାରେ ରହିଥିବା ସବୁ ସ୍କୁଲକୁ ପୌଷ୍ଟିକ ବଗିଚା କରାଯିବାକୁ ଯୋଜନା ହୋଇଥିଲା। କାଁ ଭାଁ କିଛି ସ୍କୁଲରେ ଏହି ପୌଷ୍ଟିକ ବିଗିଚା କରାଯାଇଥିବାବେଳେ ୩୦ ପ୍ରତିଶତ ସ୍କୁଲରେ ଏହି ପୌଷ୍ଟିକ ବଗିଚାର ନାଁ ଗନ୍ଧ ନାହିଁ। କୋଭିଡ ଯୋଗୁଁ ୮୦ ପ୍ରତିଶତ ପ୍ରାୟ ୧୭୭୮ଟି ବିଦ୍ୟାଳୟରେ ଏହି ବଗିଚା କାର୍ଯ୍ୟକାରୀ ହୋଇଥିବାବେଳେ ୪୪୫ ସ୍କୁଲରେ ଗଛଟିଏ ବି ପୋତାଯାଇ ପାରି ନ ଥିଲା। ବିଦ୍ୟାଳୟଗୁଡିକରେ ପୌଷ୍ଟିକ ବଗିଚା କରାଯିବା ନେଇ ସରକାରୀ ନିର୍ଦେଶ ମିଳିବା ପରେ କୋରାପୁଟ ଜିଲ୍ଲାର ୧୪ଟି ବ୍ଲକ ଓ ୪ଟି ସହରାଞ୍ଚଳରେ ଏଥିନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ଏହି ପୌଷ୍ଟିକ ବଗିଚା ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ସହାୟକ ହୋଇ ପାରିବ ଲକ୍ଷ୍ୟ ରକ୍ଷାଯାଇଥିବାବେଳେ କୋଭିଡର ଦ୍ବିତୀୟ ଲହର ରେ ସ୍କୁଲ ଖୋଲିବାରେ ବିଳମ୍ବ ହୋଇଥିଲା। ଫେବ୍ରୁଆରୀ ମାସରୁ ଅଗଷ୍ଟ ମାସ ମଧ୍ୟରେ ଏହି ପୌଷ୍ଟିକ ବଗିଚାରେ ଲାଗିଥିବା କଦଳୀ, ସଜନା, ଅମୃତଭଣ୍ଡା, ଲେମ୍ବୁ ଓ ଅନ୍ୟ ପନିପରିବା ଗଛ ନଷ୍ଟ ହୋଇ ଗଲା। ରକ୍ଷଣାବେକ୍ଷଣ ଅଭାବରୁ ବଗିଚା ନଷ୍ଟ ହୋଇଯିବା ସହ ଯେଉଁ ଗାଁରେ ରହିଥିବା ସ୍କୁଲରୁ ସେଠାକାର ଅଧିବାସୀ ଏହାକୁ ନେଇଗଲେ। ଏହାସହ ମଧ୍ୟହ୍ନ ଭୋଜନା ଯୋଜନା ଆରମ୍ଭ ହୋଇ ନ ପାରିବାରୁ ଏହା କାର୍ଯ୍ୟରେ ଲାଗି ପାରିଲାନି। ଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାର ୨୨୨୨ ବିଦ୍ୟାଳୟକୁ ଏଥିପାଇଁ ସହାୟତା ରାଶି ମଧ୍ୟ ପ୍ରଦାନ କରାଯାଇଛି। ଏଥିନେଇ ସରକାରଙ୍କ ପାଖରୁ ଅନୁଦାନ ଆସିବା ପରେ ବିଦ୍ୟାଳୟଗୁଡିକୁ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଏହି ଟଙ୍କାରେ ଚାଷ ଉପକରଣ କିଣାଯାଇଛି ।

ଏହା ସହ ବଗିଚା କାମରେ ମଧ୍ୟ ଟଙ୍କା ଖର୍ଚ୍ଚ କରାଯାଇଛି। ବିଦ୍ୟାଳୟଗୁଡିକରେ କଦଳୀ, ସଜନା, ଅମୃତଭଣ୍ଡା, ଲେମ୍ବୁ ଓ ଅନ୍ୟ ପନିପରିବା ଲଗାଇବା ପାଇଁ ପରାମର୍ଶ ଦିଆଯାଇଥିଲା। ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ବ୍ୟବହାର ହୋଇ ପାରୁଥିବା ପନିପରିବା ଚାଷ ପାଇଁ ଗୁରୁତ୍ବ ଦେବାକୁ କହିଛି ଶିକ୍ଷା ବିଭାଗ। ଏପରିକି ଏଥିନେଇ କାମ ଆରମ୍ଭ କରିବା ପାଇଁ ନିର୍ଦେଶ ଦିଆଯାଇଛି। ବିଦ୍ୟାଳୟ ହତା ଭିତରେ ଏହି ପୌଷ୍ଟିକ ବଗିଚା ରହିବ। ବିଦ୍ୟାଳୟଗୁଡିକରେ ଏହି ପୌଷ୍ଟିକ ବଗିଚା ପାଇଁ ବିଦ୍ୟାଳୟ ପରିଚାଳନା କମିଟିର ସହଯୋଗ ନିଆଯିବ।  ଆବଶ୍ୟକ ସ୍ଥଳେ ମଧ୍ୟାହ୍ନ ଭୋଜନ ରାନ୍ଧୁଥିବା ଲୋକମାନେ ମଧ୍ୟ ଏହି ବଗିଚା କାମରେ ସହଯୋଗ କରିପାରିବେ। ବିଦ୍ୟାଳୟରେ ବଗିଚା ହେବା ଫଳରେ ପିଲାମାନଙ୍କ ମଧ୍ୟାହ୍ନ ଭୋଜନରେ ଅଧିକ ପନିପରିବା ବ୍ୟବହାର ହୋଇ ପାରିବ। ଏହା ଦ୍ବାରା ସେମାନେ ପୁଷ୍ଟିକର ଖାଦ୍ୟ ଖାଇପାରିବେ ବୋଲି ଆଶା ରଖିଛି ଶିକ୍ଷା ବିଭାଗ।

ଅନ୍ୟପକ୍ଷରେ ଜିଲ୍ଲାରେ ରହିଥିବା ଦୁର୍ବଳ ଭିତ୍ତିଭୂମି ଯୋଗୁଁ ଶତାଧିକ ସ୍କୁଲରେ ମୋଟରୁ ପୌଷ୍ଟିକ ବଗିଚା‌ ଆରମଭ ହୋଇ ପାରି ନ ଥିଲା। ଏପରିକି କୋରାପୁଟ ଜିଲ୍ଲାରେ ପାହାଡିଆ ଜାଗାରେ ଏହି ପୌଷ୍ଟିକ ବଗିଚା ମଧ୍ୟ ସଫଳ ହୋଇପାରି ନ ଥିଲା।

ଏଥିନେଇ ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ ଗଣମାଧ୍ୟମକୁ କହିଛନ୍ତି ଯେ, ଜିଲ୍ଲାରେ ଭୌଗଳିକ ପରିସ୍ଥିତି କାରଣରୁ ଏହି ପୌଷ୍ଟିକ ବଗିଚା ପାଇଁ କିଛି ସମସ୍ୟା ରହିଛି। ପୁଣି ସବୁ ବିଦ୍ୟାଳୟରେ ପାଚେରୀ ନାହିଁ। ତେଣୁ ଯେଉଁଠି ସମ୍ଭବ ସେଠାରେ ଏହି ପୌଷ୍ଟିକ ବଗିଚା କରିବା ପାଇଁ କୁହାଯାଇଥିଲା । ଜିଲ୍ଲାରେ ୮୦ ପ୍ରତିଶତ ବିଦ୍ୟାଳରେ ଏହି ପୌଷ୍ଟିକ ବଗିଚା ହୋଇଥିଲା, କିନ୍ତୁ କିଛି ଗଉ ନଷ୍ଟ ହୋଇଯାଇଥିବାବେଳେ କିଛି ଗଛ ରହିଛି ବୋଲି ସେ କହିଛନ୍ତି ।