ଖୋର୍ଦ୍ଧା: ଖୋର୍ଦ୍ଧା ନିକଟ ଦଳେଇପୁଟ ଠାରେ ଥିବା କନକମଂଜରୀ ବ୍ରଜବନ୍ଧୁ ବୈଷୟିକ ମହାବିଦ୍ୟାଳୟର ମାନବସମ୍ବଳ ଅଧିକାରୀ ସୌରଜିତ ମହାପାତ୍ର(୩୦)ଙ୍କ ଗତକାଲି ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି ।
ସୂଚନାନୁସାରେ, ଗତକାଲି ରାତି ପ୍ରାୟ ସାଢ଼େ ୧୧ଟାରେ ସୌରଜିତଙ୍କ ଜଣେ ଅସୁସ୍ଥ ସମ୍ପର୍କୀୟଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇଥିଲା । ସେ ଆମ୍ବୁଲାନ୍ସ ପଛରେ ଏକ ମୋଟର ସାଇକଲରେ ଚିକିତ୍ସାଳୟ ଆସୁଥିବା ବେଳେ ସିମୋର ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କୁ ତୁରନ୍ତ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ସକାଳେ ତାଙ୍କର ମରଶରୀର ବ୍ୟବଚ୍ଛେଦ ହେବା ପରେ ପରିବାରକୁ ହସ୍ତାନ୍ତର କରାଯାଇଛି । ତାଙ୍କର ଶେଷକୃତ୍ୟ ତାଙ୍କ ପୈତୃକ ଗାଁ ବୋଲଗଡ଼ ଗେଡ଼ିଆପଲ୍ଲୀରେ ସମ୍ପନ୍ନ କରାଯାଇଛି ।
ଯୌଥ ପରିବାରର ସଦସ୍ୟ ସୌରଜିତ ତାଙ୍କ ପିତାମାତାଙ୍କ ଏକମାତ୍ର ପୁତ୍ର ସନ୍ତାନ ଅଟନ୍ତି । ଗତ ୫ ବର୍ଷ ଧରି କେଏମବିରେ ମାନବସମ୍ବଳ ଅଧିକାରୀ ଭାବେ କାର୍ଯ୍ୟ କରିଆସୁଥିଲେ । ବର୍ଷକ ପୂର୍ବେ ତାଙ୍କର ବିବାହ ହୋଇଥିଲା । ତାଙ୍କର ଏକ ୧୦ମାସର ପୁତ୍ର ସନ୍ତାନ ରହିଛି । ତାଙ୍କ ମୃତ୍ୟୁରେ କେଏମବିବିର ଅଧ୍ୟକ୍ଷ, ସମ୍ବାଦ ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ପ୍ରାଶାସନିକ ନିର୍ଦ୍ଦେଶକ ସରୋଜ ପଣ୍ଡା, ଅଧ୍ୟକ୍ଷ ଭବାନୀ ପ୍ରସନ୍ନ ପଟ୍ଟନାୟକ, ଆକାଉଂଟସ ପରିଚାଳକ କାବୁଲି ମହାରଣା, ଲକ୍ଷ୍ମୀକାନ୍ତ ଦାସ, ଇଷ୍ଟେଟ୍ ଅଧିକାରୀ ଶୁଭ୍ର ନାରାୟଣ ଷଡ଼ଙ୍ଗୀ, କୃଷ୍ଣଚନ୍ଦ୍ର ବ୍ରହ୍ମା ଓ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଶୋକବ୍ୟକ୍ତ କରିବା ସହ ସୌରଜିତଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/car-accident.jpg)