ଅଜଣା ରୋଗର ଶିକାର ହୋଇ ପଙ୍ଗୁ ହେଲେ ସୂର୍ଯ୍ୟମଣି, ଚିକିତ୍ସାରେ ଅର୍ଥ ବାଧକ

ମାଲକାନଗିରି: ମାଲକାନଗିରି ବ୍ଲକ ଅନ୍ତର୍ଗତ ପାଣ୍ଡ୍ରିପାଣି ଗ୍ରାମର ହରିଶ୍ଚନ୍ଦ୍ର ଶିଶା ଏବଂ ଲଛୁବତି ଶିଶାଙ୍କର ଏକ ସୁଖି ପରିବାର ଥିଲା। ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ। ପରିବାରରେ ସବୁ ଠିକଠାକ ଚାଲିଥିଲା। ତେବେ ହଠାତ ହରିଶ୍ଚନ୍ଦ୍ରଙ୍କ ପରିବାରରେ ଏକ ବିପଦ ଘନେଇ ଆସିଲା।

ହରିଶ୍ଚନ୍ଦ୍ରଙ୍କ ଝିଅ ସୂର୍ଯ୍ୟମଣିର ସ୍ବାସ୍ଥ୍ୟ ଖରାପ ହେଲା। ତୁରନ୍ତ ପରିବାର ଲୋକେ ସୂର୍ଯ୍ୟମଣିକୁ ପାଣ୍ଡ୍ରିପାଣି ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କଲେ। ତେବେ ଡାକ୍ତର ସୂର୍ଯ୍ୟମଣି ଗୁରୁତର ଥିବା କହି ମାଲକାନଗିରି ମେଡିକାଲକୁ ନେବାକୁ ପରାମର୍ଶ ଦେଇଥିଲେ। ମାଲକାନଗିରି ମେଡିକାଲରେ କିଛି ଦିନ ଚିକିତ୍ସା ହେବା ପରେ ଡାକ୍ତର ସୂର୍ଯ୍ୟମଣିକୁ ଏଠାରେ ଭଲ କରାଯାଇପାରିବ ନାହିଁ ବୋଲି କହି ବିଶାଖାପାଟଣମ୍ ତୁରନ୍ତ ନେବାକୁ ପରାମର୍ଶ ଦେଇଥିଲେ। ତେବେ ପରିବାର ଲୋକେ ଧାରଉଧାର କରି ସୂର୍ଯ୍ୟମଣିଙ୍କୁ ବିଶାଖାପାଟଣମ୍ ନେଇ ଚିକିତ୍ସା ଆରମ୍ଭ କରିଥିଲେ।

ସେଠାରେ ଏକ ମାସ ରହି ଚିକିତ୍ସା କରିବା ପରେ ସୂର୍ଯ୍ୟମଣି ଠିକ ହୋଇଗଲେ। ଏଠାରେ ସୂଚନାଯୋଗ୍ୟ ଯେ ସୂର୍ଯ୍ୟମଣିକୁ ପିଲାଟି ଦିନରୁ କୌଣସି ରୋଗ ଗ୍ରାସ କରି ନଥିଲା। ସେ ଏବେ ନବମ ଶ୍ରେଣୀ ପଢୁଛି। ସ୍କୁଲ ଯିବା ଆସିବା ମଧ୍ୟ କରୁଥିଲା। ଦେହ ଖରାପ ହେବା ପରେ ସେ ସ୍କୁଲ ବାରଣ୍ଡା ମାଡି ନଥିଲେ। ତେବେ ବିଶାଖାପାଟଣମରୁ ଫେରିବା ପରେ ସେ ପୁଣି ସ୍କୁଲକୁ ଯିବାକୁ ଆରମ୍ଭ କରିଥିଲେ। କିନ୍ତୁ ସ୍କୁଲରେ ସେ ଅଚେତ ହୋଇ ପଡିଯିବା ପରେ ତାଂକୁ ତୁରନ୍ତ ପାଣ୍ଡ୍ରିପାଣି ମେଡିକାଲ ଓ ପରେ ମାଲକାନଗିରି ମେଡିକାଲକୁ ନିଆଯାଇଥିଲା।

ତେବେ ଏବେ କିନ୍ତୁ ସୂର୍ଯ୍ୟମଣିଙ୍କ ରୋଗ ବଢିଯାଇଥିଲା। ସୂର୍ଯ୍ୟମଣିର ଗୋଡ ହାତ ପଙ୍ଗୁ ହୋଇଗଲା। ପାଟିରୁ କଥା ବାହାରିଲା ନାହିଁ। ମୁହଁ ମଧ୍ୟ ବଙ୍କା ହୋଇଗଲା। ଅଚାନକ ସୂର୍ଯ୍ୟମଣିର ଏହି ପରିବର୍ତ୍ତନରେ ପରିବାର ଲୋକେ ହତବାକ ହୋଇଗଲେ। କ’ଣ କରିବେ ଚିନ୍ତା କରିପାରିଲେ ନାହିଁ। ଡାକ୍ତର ମଧ୍ୟ ହାତ ଝାଡିଦେଲେ। ଏବେ ସୂର୍ଯ୍ୟମଣି ଶଯ୍ୟାସାୟୀ। ବାପା ଓ ମାଆ ସୂର୍ଯ୍ୟମଣିଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଟେକିକରି ନେବା ଆଣିବା କରୁଛନ୍ତି। ପାଖରେ ଅର୍ଥର ଅଭାବ ରହିଥିବାରୁ ତାଂକୁ ଚିକିତ୍ସା ପାଇଁ କୌଣସି ବଡ଼ ଡାକ୍ତରଖାନାକୁ ନେଇପାରୁନାହାନ୍ତି।ତେଣୁ ଅସହାୟ ଅବସ୍ଥାରେ ପରିବାର ଲୋକେ ସୂର୍ଯ୍ୟମଣିର ଏହି ଦୁଃଖ ଓ ଯନ୍ତ୍ରଣାକୁ ଦେଖି ଆଖିରୁ ଲୁହ ଝରାଉଛନ୍ତି ସିନା କିଛି କରିପାରୁ ନଥବା କହିଥିଲେ। ସରକାର କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ଯଦି ସୂର୍ଯ୍ୟମଣିର ଚିକିତ୍ସା ପାଇଁ ସହଯୋଗର ହାତ ବଢାଇଥାନ୍ତେ ତେବେ ସୂର୍ଯ୍ୟମଣି ପୁଣି ହସିଥାନ୍ତା ଏବଂ ସ୍କୁଲ ଯାଇ ପାଠ ପଢିପାରନ୍ତା ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର