ଶୁଣିଲାନି ପ୍ରଶାସନ, ଝଞ୍ଜାବତୀରେ ହେଲା ଅସ୍ଥାୟୀ କାଠ ପୋଲ

କୋଡିଙ୍ଗଗୁଡା ଗାଁକୁ ସୁଗମ ହେଲା ଯାତାୟତ

ରାୟଗଡ଼ା: ବାଟ ଓଗାଳୁଥିଲା ଝଞ୍ଜାବତୀ। ଯାତାୟତ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଗ୍ରାମବାସୀ। ବାରମ୍ବାର ଦାବି ସତ୍ତ୍ବେ ପ୍ରଶାସନ ନଦୀ ଉପରେ ପୋଲ ନିର୍ମାଣରେ ଅହେତୁକ ବିଳମ୍ବ କରିବା ପରେ ଗ୍ରାମବାସୀ ନିଜ ଉଦ୍ୟମରେ ତିଆରି କରିଛନ୍ତି ପୋଲ। ଅସ୍ଥାୟୀ କାଠ ପୋଲ ନିର୍ମାଣ କରି ଯାତାୟାତ ବ୍ୟବସ୍ଥାକୁ ସୁଗମ କରିଛନ୍ତି ରାୟଗଡ଼ା ବ୍ଲକ ହାଲୁଆ ପଞ୍ଚାୟତର କୋଡିଙ୍ଗଗୁଡା ଗ୍ରାମବାସୀ। ରାୟଗଡ଼ା ଜିଲ୍ଲା ସଦର ମହକୁମାରୁ ୭ କିମି ଦୂରରେ ୩୨୬ ନଂ ଜାତୀୟ ରାଜପଥରୁ ଏକ କିମି ଦୂରରେ ରହିଛି କୋଡିଙ୍ଗଗୁଡା ଗ୍ରାମ। ଗ୍ରାମରେ ୩୫ ପରିବାର ବସବାସ କରୁଛନ୍ତି। ଗ୍ରାମକୁ ଯିବା ରାସ୍ତାରେ ଝଞ୍ଜାବତୀ ନଦୀ ପଡୁଥିବାରୁ ଗ୍ରାମବାସୀ ନଦୀ ପାର ହୋଇ ଯାତାୟାତ କରୁଛନ୍ତି। ନଦୀ ଉପରେ ପୋଲ ନିର୍ମାଣ ହୋଇପାରିନଥିବାରୁ ସରକାରଙ୍କ ସମସ୍ତ ଜରୁରୀ ସେବା ବ୍ୟବସ୍ଥାରୁ ବଞ୍ଚିତ ହୋଇ ଆସୁଛନ୍ତି ଗ୍ରାମବାସୀ। ଗ୍ରାମକୁ ଆମ୍ବୁଲାନ୍ସ ଯାଇପାରୁନଥିବାରୁ ରୋଗୀଙ୍କୁ ଖଟିଆ ଓ ଭାରରେ ବୋହି ନଦୀ ପାର କରିବା ପରେ ମେଡ଼ିକାଲକୁ ନିଆଯାଉଛି। ସେହିପରି ଛାତ୍ରଛାତ୍ରୀ ବର୍ଷ ତମାମ ନଦୀ ପାର ହୋଇ ବିଦ୍ୟାଳୟକୁ ଯାଉଛନ୍ତି। ବୃଦ୍ଧବୃଦ୍ଧା ନଦୀ ପାର ହୋଇ ଭତ୍ତା ସହ ଅନ୍ୟ ସରକାରୀ ସୁବିଧା ସୁଯୋଗ ପାଇବା ପାଇଁ ରାୟଗଡ଼ା ଜିଲ୍ଲା ସଦର ମହକୁମାକୁ ଆସି ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ୪ ମାସ ନଦୀରେ ଜଳସ୍ତର ବଢ଼ୁଥିବାରୁ ଗ୍ରାମବାସୀ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହୁଛନ୍ତି।

ନଦୀ ଜଳସ୍ତର କମିଲେ ଜରୁରୀ କାମରେ ଗ୍ରାମବାସୀ ରାୟଗଡ଼ା ଜିଲ୍ଲା ସଦର ମହକୁମାକୁ ଆସିଥାନ୍ତି। ନଚେତ୍ ପିତାମହଲ ପଞ୍ଚାୟତ ଦେଇ ୧୦ କିମି ବୁଲି ଗ୍ରାମକୁ ଯିବାକୁ ପଡିଥାଏ। ଉକ୍ତ ରାସ୍ତା ମଧ୍ୟ ମରାମତି ଅଭାବରୁ ମରଣଯନ୍ତାରେ ପରିଣତ ହୋଇଥିବାରୁ ଗ୍ରାମବାସୀ ଯାତାୟତ କରିବାକୁ ଉଚିତ ମଣୁନାହାନ୍ତି। ସବୁ ସମସ୍ୟାକୁ ଆଖି ଆଗରେ ରଖି ପୋଲ ନିର୍ମାଣ ପାଇଁ କୋଡିଙ୍ଗଗୁଡା ଗ୍ରାମବାସୀ ଦାବି କରିବା ପରେ ପଞ୍ଚାୟତ ସମିତି ବୈଠକରେ ଆଲୋଚନା କରାଯାଇ ଯଥା ଶୀଘ୍ର ପୋଲ ନିର୍ମାଣ କରିବାକୁ ଗ୍ରାମ୍ୟ ନିର୍ମାଣ ବିଭାଜନକୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ବ୍ଲକ ଉପାଧ୍ୟକ୍ଷ ହର ପ୍ରସାଦ ହେପ୍ରୁକା। ଗ୍ରାମାଞ୍ଚଳର ବିକାଶ ପାଇଁ ଅନୁଦାନର ଅଭାବ ନଥିବା ବେଳେ ବହୁ ଦାବି ପରେ ମଧ୍ୟ ପୋଲ ନିର୍ମାଣ ଦିଗରେ କାହିଁକି ପ୍ରଶାସନ ଅବହେଳା କରୁଛି ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମର ବରିଷ୍ଠ ନାଗରିକ ଆପିୟା ଜାକାକା, ପିତାମ୍ବର ଜାକାକା, ସୀତାରାମ ହୁଇକା, ଡାମଣା ଜାକାକା, ରାଜେଶ ଜାକାକା, ଆରତୀ ଜାକାକା, ମିନି କଲାକା, ରେଲ ମିଣିଆକା ଓ ଲଲିତା ମିଣିଆକା। ବର୍ତ୍ତମାନ ଯାତାୟାତ ପାଇଁ ଗ୍ରାମବାସୀ ନିଜ ଉଦ୍ୟମରେ ଅସ୍ଥାୟୀ ପୋଲ ନିର୍ମାଣ କରିଥିବା ବେଳେ ତୁରନ୍ତ ପ୍ରଶାସନ ଏ ଦିଗରେ ପଦକ୍ଷେପ ନ ନେଲେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର