ଅଇଁଠା ପତ୍ର ଚାଟି ଶିଶୁ ଭୋକ ମେଣ୍ଟାଇବା ଘଟଣା:ତିନି ଭାଇ ଭଉଣୀଙ୍କୁ ଚାଇଲଡ ଲାଇନକୁ ହସ୍ତାନ୍ତର କଲା ପ୍ରଶାସନ

ରାଉରକେଲା : କୋଇଡ଼ାରେ ହୃଦୟ ବିଦାରକ ଘଟଣା ପ୍ରକାଶ ପାଇବା ପରେ ସଜାଗ ହୋଇଛି ପ୍ରଶାସନ l ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ତିନି ଭାଇ ଭଉଣୀଙ୍କୁ ରାଉରକେଲା ଚାଇଲଡ ଲାଇନକୁ ହସ୍ତାନ୍ତର କରାଯାଇଛି l ଆଜି ସକାଳୁ ପ୍ରଶାସନ ଅଧିକାରୀଙ୍କ ସୁଅ ଛୁଟିଥିଲା ଶିଶୁଙ୍କ ଘରକୁ l

କୋଇଡା ବିଡିଓ ପଲ୍ଲବୀରାଣୀ ରାଜ, କୋଇଡା ସିଡିପିଓ ଯୋସେଫା ଏକ୍କା , ଡବ୍ଲୁଇଓ ବିକାଶ ରଞ୍ଜନ ନାୟକ ଓ ସମାଜସେବୀ ବାଦଲ ବାରିକ ପ୍ରମୁଖ ପହଞ୍ଚି ଥିଲେ l ସେମାନଙ୍କ ଉପସ୍ଥିତିରେ ଶିଶୁମାନଙ୍କୁ ଚାଇଲଡ ଲାଇନକୁ ହସ୍ତାନ୍ତର କରାଯାଇଛି l

ତେବେ ଅଇଁଠା ପତ୍ର ଚାଟି ଶିଶୁ ଭୋକ ମେଣ୍ଟାଇବା ଘଟଣା ଭିଡିଓଟି ନଜରକୁ ଆସିବା ପରେ ଘଟଣା ପଛର ସତ୍ୟାସତ୍ୟ ଜାଣିବା ପାଇଁ କୋଇଡାର ତାଡୁଗୋଠ ଗାଁରେ ପହଞ୍ଚିଥିଲେ ଗଣମାଧ୍ୟମ ପ୍ରତିନିଧି । ଆଉ ସେଠାରେ ଯାହା ଦେଖିଲେ, ତାହା ବିଶ୍ୱାସ ନ ହେଲା ଭଳି । ଖଣି ଖାଦାନ ଭରା ଅଞ୍ଚଳରେ ଥିଲା ଠିକ ନଗଡ଼ା ଭଳି ଚିତ୍ର । ଏହି ପଡ଼ାରେ ୧୦ରୁ ୧୨ଟି ପରିବାର ବସବାସ କରନ୍ତି । ସେଠାକାର ଜଣେ ବାସିନ୍ଦା ରାବଣ ମୁଣ୍ଡାଙ୍କ ତିନି ଛୁଆଙ୍କୁ ନେଇ ତେଲ ଲୁଣର ସଂସାର । ଖାଦ୍ୟ ଅଭାବ ଯୋଗୁ ଦିନକୁ ଓଳିଏ ଖାଇବାକୁ ନ ପାଇ ଅପପୁଷ୍ଟିର ଶିକାର ହୋଇଛନ୍ତି । କିଛି ମାସ ହେବ ରାବଣଙ୍କ ସ୍ତ୍ରୀଙ୍କ ଦେହାନ୍ତ ପରେ ଏବେ ପିଲାଙ୍କ ଦାୟିତ୍ୱ ରାବଣ ଉପରେ ପଡ଼ିଛି । ହେଲେ ବାହାରକୁ କାମ ପାଇଁ ନ ଗଲେ ତିନି ପିଲାଙ୍କ ମୁହଁରେ ଆହାର ଦେବେ କିପରି ? ତେଣୁ ପିଲାଙ୍କୁ ଘରେ ଛାଡ଼ି ସେ କାମରେ ଯାଇଥିବା ବେଳେ ଭୋକର ଦାଉରେ ଜଳୁଥିଲେ ତିନି ପିଲା । ଆଉ ପେଟର ଜ୍ୱଳା ସହି ନପାରି କୁନି ଶିଶୁଟି ରାସ୍ତାକଡ଼ରେ ଭୋଜି ପରେ ଫୋପାଡି ଦେଇଥିବା ପତ୍ର ଚାଟି ଖାଇଥିଲା ।

ସମ୍ବନ୍ଧିତ ଖବର