କୋଲାଗୋଣ୍ଡା ସେବାଶ୍ରମରେ ଅଜଣା ରୋଗ ବ୍ୟାପିବା ଘଟଣା: ଏବେ ଭୂତ ଯୋଗୁଁ ସ୍କୁଲ ଛାଡୁଛନ୍ତି ପିଲା

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ପଡିଆ ବ୍ଲକର କୋଲାଗୋଣ୍ଡା ସେବାଶ୍ରମରେ ଅଜଣା ରୋଗ ବ୍ୟାପିବାରୁ ଦୁଇ ଜଣ ଛାତ୍ରଙ୍କ ଅକାଳ ବିୟୋଗ ଘଟିବା ପରେ ଏହି ସେବାଶ୍ରମରେ ପିଲାମାନେ ରହିବାକୁ ଅମଙ୍ଗ ହେଉଥିବା ଦେଖିବାକୁ ମିଳିଛି।ଗତକାଲି ୨୦ ଜଣ ପିଲା ଏହି ବିଦ୍ୟାଳୟର ଗୁରୁତର ହୋଇ ପଡିଆ ଏବଂ ମାଲକାନଗିରି ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ପଡିଆ ମେଡିକାଲରୁ ପିଲା ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି। ସେହିପରି ମାଲକାନଗିରି ମେଡିକାଲରେ ଭର୍ତ୍ତି ହୋଇଥିବା ପିଲାମାନେ ମଧ୍ୟ ସୁସ୍ଥ ହେଉଥିବା ଡାକ୍ତରଖାନା ପକ୍ଷରୁ କୁହଯାଇଛି।ତେବେ ରୋଗର ଲକ୍ଷଣରୁ ଡାକ୍ତରମାନେ ମଧ୍ୟ ରୋଗକୁ ଚିହ୍ନଟ କରିପାରୁନଥିବାରୁ ଏହାର ନମୂନା ପଠାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଗତକାଲି ପ୍ରାୟ ୫୦ ପିଲା ସ୍କୁଲ ଛାଡି ନିଜ ଅଭିଭାବକମାନଙ୍କ ସହ ଘରକୁ ଫେରିଯାଇଥିବା ବେଳେ ଆଜି ମଧ୍ୟ ବହୁ ପିଲା ହଷ୍ଟେଲ ଛାଡି ଯାଉଥିବା ଦେଖିବାକୁ ମିଳିଛି।

ତେବେ ହଷ୍ଟେଲ କାହିଁକି ଛାଡୁଛନ୍ତି ବୋଲି ପିଲାଙ୍କୁ ପଚାରିବାରୁ ସେମାନେ ଭୂତ ରହିଥିବା ପ୍ରକାଶ କରିଥିଲେ। ଗତ ଦୁଇତିନି ମାସ ହେଲା ହୋଷ୍ଟେଲରେ ଭୂତ ଉପଦ୍ରବ ବଢୁଥିବା ପିଲାମାନେ କହିଥିଲେ। ଭୂତ ଯୋଗୁଁ ହିଁ ଏଭଳି ଅଘଟଣ ଘଟୁଥିବା ପିଲାମାନେ ସନ୍ଦେହ କରୁଥିବା କହିଥିଲେ। ରାତି ଅଧ ହେଲେ ବିଭିନ୍ନ ପ୍ରକାର ଶଦ୍ଦ ଶୁଣିବାକୁ ମିଳେ ବୋଲି ପିଲା କହନ୍ତି।ଏଥିସହ ପିଲାମାନେ ଭୟରେ କାହାକୁ କିଛି କହିନଥିଲେ। ତେବେ ହଷ୍ଟେଲରେ ଭୂତ ରହିଛି ନା ଆଉ କିଏ ଏଭଳି କାଣ୍ଡ କରୁଛି ତାହା ମଧ୍ୟ ତଦନ୍ତ ସାପେକ୍ଷ। ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅବହେଳା ଜଳଜଳ ଦେଖାଯାଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏହାକୁ ଲୁଚାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି।

ଏହାର ଉଚିତ ତଦନ୍ତ ହେଲେ ସତ୍ୟ ପଦାକୁ ଆସିବ ବୋଲି ଅଭିଭାବକମାନେ କହିଛନ୍ତି। ଏହି ହଷ୍ଟେଲରେ ପ୍ରାୟ ୧୭୨ ଜଣ ପିଲା ରହି ପାଠ ପଢୁଥିଲେ। ତେବେ ଏମାନେ କଣ ଖାଇଲେ ନା କେଉଁ ପାଣି ପିଇଲେ ,ଯାହାଫଳରେ ଏମାନେ ଏତେ ଗୁରୁତର ହେବା ସହ ମୃତ୍ୟୁବରଣ ମଧ୍ୟ କଲେ। ତେବେ ଯେଉଁ ପିଲା ମୃତ୍ୟୁବରଣ କରିଛନ୍ତି ସେହି ପିଲାଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ଦାବି ହୋଇଛି।ଏଥିସହ ଯେଉଁମାନେ ଏହି ଘଟଣାରେ ସଂପୃକ୍ତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।ତେବେ ଏହି ହଷ୍ଟେଲରେ କେହି ପିଲା ରହିବାକୁ ଅମଙ୍ଗ ହେଉଥିବାରୁ ଏହି ହଷ୍ଟେଲ କିପରି ଚାଲିବ ସେନେଇ ବିଭାଗୀୟ ଅଧିକାର କି ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର