ରାଇରଙ୍ଗପୁର: କୋଲକାତାର ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଦିତୀୟ ଵର୍ଷ ପିଜି ଛାତ୍ରୀଙ୍କୁ ଗତ ୮ ତାରିଖ ରାତିରେ ଅମାନୁଷିକ ଦୁଷ୍କର୍ମ ଓ ହତ୍ୟା ମାମଲା ନେଇ ସାରା ଦେଶ କମ୍ପୁଛି, ଜଳୁଛି ଓ ତାତୁଛି। ସାରା ଦେଶରେ ଡାକ୍ତର, ନାଗରିକ ମଂଚ, ବିଭିନ୍ନ ରାଜନୈତିକ ଦଳ, ବିଭିନ୍ନ ସଂଗଠନ, ବିଭିନ୍ନ ମହିଳା ସଂଗଠନ ମଧ୍ୟରେ ଶୋକରେ ଛାୟା ଖେଳିବା ସହ ଆନ୍ଦୋଳନ ଓ ପ୍ରତିବାଦ ଚାଲିଛି। ସାରା ଦେଶ ଘଟଣାକୁ ନେଇ ସ୍ତବ୍ଧ ଓ ହତଵାକ ହୋଇ ଯାଇଛି। ସମସ୍ତ ଅଭିଭାବକ, ଅଭିଭାବିକା ସେମାନଙ୍କ ଅଲିଅଳ ଝିଅର ଭବିଷ୍ୟତ ଓ ଜୀବନକୁ କୁ ନେଇ ଚିନ୍ତିତ। ଆଇନ ଯେତେ କଠୋର ହେଲେ ମଧ୍ୟ ଅସାମାଜିକଙ୍କ ମଧ୍ୟରେ ମାନବିକତା ହେଉଛି ଓ ପାଶବିକ ଵଢୁଛି। ଆଇନକୁ ଫୁ କରି ଦେଉଛନ୍ତି। ଏଭଳି ହୃଦଵିଦାରକ, ଛାତିଥରା, ଲୋମହର୍ଷଣକାରୀ ମାମଲାର ପ୍ରତିବାଦ ନେଇ ରାଜରାସ୍ତାକୁ ଓହ୍ଲାଇଛି ମାରଓ୍ବାଡି ମହିଳା ସମିତି, ରାଇରଙ୍ଗପୁର ଶାଖା, ରାଇରଙ୍ଗପୁର ବଣିକ ସଂଘ ଏବଂ କେରଳ। ପବ୍ଲିକ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ।
ଏକ ବିଶାଳ ଶୋଭାଯାତ୍ରାରେ ମହିଳାମାନେ ପ୍ଳାକାର୍ଡ ଧରି ମୃତ ଡାକ୍ତରୀ ଛାତ୍ରୀଙ୍କୁ ନ୍ୟାୟ ଦାବି କରି ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ପ୍ରତିବାଦ କରିଥିଲେ। ମୃତ ଡାକ୍ତରାଣୀଙ୍କୁ ନ୍ୟାୟ ମିଳୁ। ଘଟଣାର ସଠିକ୍ ତଦନ୍ତ କରାଯାଇ ସଂପୃକ୍ତ ଦୋଷୀ ମାନଙ୍କୁ କଠୋରରୁ କଠୋର ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାପାଇଁ ଦାବି କରିଥିଲେ। ପରେ ମହିଳାମାନେ ଉପଜିଲ୍ଲାପାଳ ସରୋଜ ଦାସଙ୍କୁ ସାକ୍ଷାତ କରି ତାଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ପାଖକୁ ବିଭିନ୍ନ ଦାବି ନେଇ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ।
ପ୍ରତିବାଦ ସଭାରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଅବସରପ୍ରାପ୍ତ ଏସଡିମଓ ଡଃ ପି.କେ ମାଣିକେଶ୍ଵରୀ, ମହିଳା ସମିତି ଉପଦେଷ୍ଟା ପାରୁଲ ବାଗାଡିଆ, ମହିଳା ସମିତି ସଭାନେତ୍ରୀ ମୀରା ଅଗ୍ରୱାଲ, ସଂପାଦକ ମୀନା କେଡିଆ, କୋଷାଧ୍ୟକ୍ଷ କିରଣ ଅଗ୍ରଓ୍ବାଲ, ଅଶୋକ ଅଗ୍ରୱାଲ, ରାମ ଅବତାର କେଡିଆ, ବନ୍ଦନା ଭୂତ, କାଉନସିଲର କ୍ରୀଷ୍ଣା ସ୍ବାମୀ, ଶାନ୍ତି ଅଗ୍ରୱାଲ, ବବିତା ଢଣଢଣିଆ, ମଂଞ୍ଜୁ ମହାନ୍ତି, ସଂଙ୍ଗିତା ମହାନ୍ତ, କୁଳଦୀପ କୌରଙ୍କ ସମେତ ଶତାଧିକ ମହିଳା ଶୋଭାଯାତ୍ରାରେ ସାମିଲ ହୋଇ ପ୍ରତିବାଦ, ଅସନ୍ତୋଷ ଓ କ୍ଷୋଭ ପ୍ରକାଶ କରିଥିଲେ।