ଗୁପ୍ତେଶ୍ୱର ଗସ୍ତ କରି କାର୍ଯ୍ୟ ତଦାରଖ କଲେ କୋରାପୁଟ ଜିଲ୍ଲାପାଳ

ବୈପାରିଗୁଡା: କୋରାପୁଟ ଜିଲ୍ଲାପାଳ ଆଜି ବୈପାରିଗୁଡା ବ୍ଲକ ଗସ୍ତରେ ଆସି ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ଠାରେ ପହଞ୍ଚି ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଥିଲେ। ଗୁପ୍ତେଶ୍ୱର ଶୈବପୀଠରେ ଚାଲିଥିବା କାର୍ଯ୍ୟ ସବୁ ତଦାରଖ କରିବା ସହ ସନ୍ତୋଷ ପ୍ରକାଶ କରିଛନ୍ତି। ସେ ପ୍ରକାଶ କରିଛନ୍ତି ଯେ ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱରର ବିକାଶ ପାଇଁ ରାଜ୍ୟ ସରକାର ଅର୍ଥ ମଞ୍ଜୁର କରିବା ପରେ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ମନ୍ଦିରର ପ୍ରବେଶ ପଥ ଠାରୁ ମନ୍ଦିର ଯାଏ ନୂତନ ଭାବେ କାର୍ଯ୍ୟ ସମ୍ପନ୍ନ ହୋଇଛି। ଏଥିସହ ମନ୍ଦିର ଭିତର କାର୍ଯ୍ୟ ମଧ୍ୟ ସମ୍ପର୍ଣ୍ଣ ହୋଇଛି। ଆଗକୁ ମନ୍ଦିରର ପ୍ରବେଶ ପଥ ଠାରୁ ନଦୀ କୂଳ ଯାଏ ରାସ୍ତା ନିର୍ମାଣ କରାଯିବା ସହ ଯାନବାହାନ ପ୍ରବେଶକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବ। ଯାହାଫଳରେ ଯାତ୍ରୀଙ୍କ ଯିବାଆସିବାରେ କୈାଣସି ଅସୁବିଧା ହେବ ନାହିଁ। ବୈପାରିଗୁଡା ତହସିଲ ତଥା ଜୟପୁର ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ ମିଳିତ ଭାବେ ଜବରଦଖଲକୁ ଉଚ୍ଛେଦ କରିସାରିଛନ୍ତି। ଆଗାମୀ ଦିନରେ ଯାନବାହାନ ରଖାଯାଉଥିବା ସ୍ଥାନରେ ଏକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯିବ।

ସବୁଠାରୁ ବିପଦପୂର୍ଣ୍ଣ ଘାଟି ରୂପେ ପରିଚିତ ଡୋକ୍ରି ଘାଟିର ପ୍ରାଥମିକ କାର୍ଯ୍ୟ ଶେଷ ହୋଇଛି। ବର୍ଷା ଋତୁ ପରେ ପିଚୁ ଢଳେଇ କାମ ଆରମ୍ଭ କରାଯାଇ ରାସ୍ତାକୁ ବ୍ୟବହାର ଯୋଗ୍ୟ କରାଯିବ। ଏଥିସହିତ ବ୍ରିଜ କାମ ଗୁଡିକ ମଧ୍ୟ ପ୍ରାୟ ଶେଷ ହୋଇଯାଇଛି। ମାଓ ଉପଦ୍ରୁତ ଅଞ୍ଚଳ ତଥା ମୈସୁମିର ବାଧକ ସତ୍ତ୍ବେ କାର୍ଯ୍ୟ ସବୁ ସୁରୁଖୁରୁରେ ଚାଲିଛି। ଗୁପ୍ତେଶ୍ୱରରୁ ଫେରିବା ପରେ ବୈପାରିଗୁଡା ଠାରେ ନିର୍ମାଣାଧୀନ ମାତୃ ଓ ଶିଶୁ ଯତ୍ନ କେନ୍ଦ୍ର କୋଠାର ନିର୍ମାଣ କାର୍ଯ୍ୟ ମଧ୍ୟ ପରିଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବୈପାରିଗୁଡା ବିଡ଼ିଓ ଅଭିମନ୍ୟୁ କବି ଶତପଥୀ, ଆରଏଣ୍ଡବି ଇଞ୍ଜିନିୟର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର