କୋଟିଆର ବିକାଶ ଧାରାକୁ ଆନ୍ଧ୍ର ରୋକି ପାରିବନି: କୋରାପୁଟ ଜିଲ୍ଲାପାଳ

କୋରାପୁଟ: କୋଟିଆ ଓଡ଼ିଶାର ରହିଥିଲା, ଏହା ଓଡ଼ିଶାର ହିଁ ରହିବ। ଓଡିଶାରେ ଆନ୍ଧ୍ରର ହସ୍ତକ୍ଷେପ ବା ଅନାଧିକାର ଅନୁପ୍ରବେଶକୁ ବରଦାସ୍ତ କରାଯିବ ନାହିଁ । ଏହି ପଞ୍ଚାୟତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ବିଭିନ୍ନ ବିକାଶର ଧାରାକୁ ଆନ୍ଧ୍ର ରୋକିପାରିବନି। ଯାହା ଜାରି ରହିଥିଲା ସେହି କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ ମଧ୍ୟ ହେବ ବୋଲି ଆଜି ସାମ୍ବାଦିକଙ୍କୁ କହିଛନ୍ତି କୋରାପୁଟ ଜିଲ୍ଲପାଳ ଅବଦ୍ଦଲ ଏମ. ଅଖତର। ଆନ୍ଧ୍ର ଏପରି କରିବା କିଛି ନୂଆ କଥା ନୁହେଁ । ଆଗକୁ ଏପରି କାମକୁ ବରଦାସ୍ତ କରାଯିବନାହିଁ ।

କୋଟିଆରେ ଓଡିଶା ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ଜାରି ରହିବ । କୋଟିଆର ନେରେଡିୱ୍ବାଲସା ସମେତ ସମସ୍ତ ଗାଁକୁ ପାନୀୟ ଜଳଯୋଗାଣ କାର୍ଯ୍ୟ ଜାରି ରହିବ ଓ ନିର୍ଦ୍ଧାରିତ ସମୟରେ ଶେଷ ହେବ ବୋଲି କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର କହିଛନ୍ତି । ଗତକାଲି ଆନ୍ଧ୍ରର ସାଲୁର ମଣ୍ଡଳର ଏବଂ ସାରିକି ପଂଚାୟତର ସରପଂଚ ଓ ସରକାରୀ କର୍ମଚାରୀ ଆସି କୋଟିଆର ନେରେଡି ୱ୍ବାଲସାର ପାନୀୟ ଜଳ ଯୋଗାଣ କାମକୁ ବନ୍ଦ କରିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ ।

ଅନ୍ୟପକ୍ଷରେ ନାରେଡିବାଲସାରେ ଆରଡବ୍ଲୁଏସଏସ ପକ୍ଷରୁ ଚାଲିଥିବା ପାଇପ ଯୋଗେ ପାନୀୟ ଜଳ କାମ ବନ୍ଦକୁ ନେଇ ତାତିଛି ନିଖିଳ ଓଡ଼ିଶା ଠିକାଦାର ମହାସଂଘ। ଆଜି ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତରଙ୍କୁ ଏକ ଚିଠି ଲେଖି ଆନ୍ଧ୍ର ଅଫିସରଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବିପତ୍ର ଦେଇଥିବା ଜଣାପଡିଛି। କାର୍ଯ୍ୟବନ୍ଦ କରିଥିବା ଆନ୍ଧ୍ର ଅଫିସର ଓ ପୁଲିସ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା, ଓଡ଼ିଆ ଠିକାଦାରଙ୍କୁ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେ‌ବାକୁ ଦାବି କରାଯାଇଛି |

ସମ୍ବନ୍ଧିତ ଖବର