ହାତୀ ମୁଣ୍ଡା ଡବଲ ମର୍ଡର ଘଟଣା: ଆଉ ଜଣେ ଆହତଙ୍କ ମୃତ୍ୟୁ, ୫ ଜଣ ଗିରଫ

କୋରାପୁଟ/ ଦଶମନ୍ତପୁର: କୋରାପୁଟ ଜିଲ୍ଲା ଦଶମନ୍ତପୁର ସଦର ଥାନା ଅନ୍ତର୍ଗତ ଡୁମ୍ବାଗୁଡା ପଞ୍ଚାୟତ ଅଧିନସ୍ଥ ହାତୀ ମୁଣ୍ଡା ଗାଁର ଗୋଷ୍ଠୀ ସଂଘର୍ଷ ଘଟଣାରେ ଆଜି ଆଉ ଜଣଙ୍କର ମୃତ୍ୟୁ ଘଟିଛି। ଗୁରୁତର ଥିବା ସେନାପତି ଜାନୀ(୫୦)ଙ୍କର ଆଜି କୋରାପୁଟସ୍ଥିତ ଏସଏଲଏନ ମେଡିକାଲ କଲେଜରେ ଦେହାନ୍ତ ହୋଇଛି। ଦୁଇ ଦିନ ହେଲା ତାଙ୍କ ଅବସ୍ଥା ଶଙ୍କଟାପନ୍ନ ରହିଥିବାବେଳେ ସେ ଆଇସିୟୁରେ ରହିଥିଲେ। ଆଜି ସନ୍ଧ୍ୟା ପ୍ରାୟ ୭ଟା ୨୦ରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ପୁଲିସ ସେନାପତିଙ୍କ ଶବକୁ ଶବାଗାରରେ ରଖିଥିବାବେଳେ ଦଶମନ୍ତପୁର ଥାନାକୁ ଅବଗତ କରାଯାଇଛି।

ଅନ୍ୟପକ୍ଷରେ ଡବଲ ମର୍ଡର ଘଟଣାରେ ଆଜି ପୁଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଶ୍ରୀ ବିଜୟ ରାଜ୍ ମାଝୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେମାନେ ହେଲେ କୁମ୍ବେ ପରଜା (୪୫), ବାସନା ଜାନୀ (୨୨), ଲୋଚନ ପରଜା (୨୦), ଅଞ୍ଜି ଜାନୀ (୩୦) ଏବଂ ମକର ଜାନୀ (୨୫) । ଏମାନଙ୍କ ବିରୋଧରେ ୧୪୭/୧୪୮ ଏକ ମାମଲା ରୁଜୁ କରାଯାଇଛି। ପୁଲିସ ଆଇପିସି ଦଫା ୩୦୨/ ୩୦୭/ ୩୨୪/୩୨୫/ ୨୯୪/୩୫୪/୫୦୬ ଏବଂ ୧୪୯ ଦଫା ଲଗାଇ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ପୁଣି ଯେଉଁମାନେ ହତ୍ୟା ଘଟଣାରେ ସାମିଲ ଅଛନ୍ତି ସମସ୍ତଙ୍କୁ ତଦନ୍ତ ପରେ କୋର୍ଟ ଚାଲାଣ କରାଯିବ ବୋଲି ଏଏସଆଇ ବାବୁଲା ପ୍ରଧାନ ପ୍ରକାଶ କରିଛନ୍ତି।

ସୂଚନା ମୁତାବକ, ଗତ ଶନିବାର ଦିନ ବିଳମ୍ବିତ ରାତିରେ ଗୋଟିଏ ପରିବାରର ଲୋକଙ୍କ ମଧ୍ୟରେ ଜମି ଜମାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟି ଘଟଣାସ୍ଥଳରେ ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ ଜଣ ଲୋକ ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ପରେ ପୁଲିସ ଦୁଇ ଜଣକୁ ହତ୍ୟା କରିଥିବା ଅଭିଯୋଗରେ ଆଜି ୫ ଜଣକୁ ଗିରଫ କରି ହତ୍ୟା ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା କୁହାଯାଉଛି। ଅନ୍ୟ ପକ୍ଷରେ ଯେଉଁମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ସେମାନେ ସୁସ୍ଥ ହୋଇ ଫେରିଲା ପରେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି କୁହାଯାଇଛି।

ସୂଚନା ଥାଉ କି, ହାତୀ ମୁଣ୍ଡା ଗାଁରେ ରହୁଥିବା ଦ୍ଵିପ ଜାନୀ ନାମକ ବ୍ୟକ୍ତି ଦୁଇଟି ଜଣଙ୍କୁ ବିବାହ କରିଥିଲେ। ପ୍ରଥମ ସ୍ତ୍ରୀର ପୁଅ ମାଧବ ଜାନୀ ଜନ୍ମ ହୋଇଥିବା ବେଳେ ଦ୍ବିତୀୟ ସ୍ତ୍ରୀର ପୁଅ ଗୟା ଜାନୀ।‌ ଏମାନଙ୍କ ଠାରୁ ପୁଣି ତାଙ୍କ ନାତି ମାନେ ଜନ୍ମ ନେଇଥିଲେ। ୧୦ ବର୍ଷ ତଳେ ସମସ୍ତେ ଭାଇ ଚାରାରେ ରହି ହସଖୁସିରେ ଚଳୁଥିଲେ। କିନ୍ତୁ ପୁଅ ମାନେ ବଡ଼ ହେବା ପରେ ଜମିକୁ ନେଇ ବିବାଦ ମୁଣ୍ଡ ଟେକିଥିଲା। ଏହା ପୂର୍ବରୁ ଏକାଧିକ ଥର ଜମିକୁ ନେଇ ଗଣ୍ଡଗୋଳ ହୋଇଥିଲା। ଥାନା ପର୍ଯ୍ୟନ୍ତ ‌ଯାଇ ପୁଣି ସମାଧାନ ହୋଇଥିଲେ। ହେଲେ ସାନ ସ୍ତ୍ରୀର ପୁଅ ଓ ନାତିମାନେ ଜମିକୁ ସହଜରେ ଛାଡ଼ୁନଥିଲେ, ଯାହାର ପରିଣାମ ସ୍ବରୂପ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର