ଆଦିବାସୀ ଅଧ୍ୟୁଷିତ କୋରାପୁଟର ଝିଅ ବର୍ଷା ନୂଆଦିଲ୍ଲୀ ରିପବ୍ଲିକ୍ ଡେ-୨୦୨୧ ପ୍ୟାରେଡରେ ଝଲସିଲେ

ପ୍ରଧାନମନ୍ତ୍ରୀ ଓ କ୍ରୀଡା ଓ ଯୁବବ୍ୟାପର ମନ୍ତ୍ରୀଙ୍କୁ ଭେଟିଲେ 

ଜୟପୁର:  ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଜୟପୁର ସହରର ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀ  ବର୍ଷାରାଣୀ ସାହୁ ନୂଆଦିଲ୍ଲୀ ରିପବ୍ଲିକ୍ ଡେ-୨୦୨୧ ପ୍ୟାରେଡରେ ଝଲସିଲେ। ଜାତୀୟ ସେବା ଯୋଜନା ତରଫରୁ ଓଡିଶାର ୮ଜଣିଆ ଦଳରେ ବର୍ଷା ସ୍ଥାନ ପାଇ ଗତ କାଲି ସର୍ବଭାରତ ଏନଏସଏସ୍ ଦଳରେ ସାମିଲ୍ ହୋଇ ପ୍ୟାରେଡ ପ୍ରଦର୍ଶନ କରିଥିଲେ।

ଗତ ଡିସେମ୍ବର ୨୭ତାରିଖ ଦିନ ସେ ନୂଆଦିଲ୍ଲୀ ଅଭିମୁଖେ ଯାଇଥିଲେ। ସେଠାରେ ଓଡିଶା ଦଳର ୮ଜଣଙ୍କ ସହ ମିଶି ସମଗ୍ର ଭାରତରୁ ଆସିଥିବା ଏନଏସଏସ୍ ସ୍ବେଚ୍ଛାସେବୀ ମାନଙ୍କ ସହ ମିଶି ପ୍ୟାରେଡ ଅଭ୍ୟାସ କରିଥିଲେ। ଗତ ୨୪ତାରିଖ ଦିନ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆଜି କ୍ରୀଡା ଓ ଯୁବବ୍ୟାପର ମନ୍ତ୍ରୀ କିରଣ ରିଜୁଙ୍କ ସହ ଭେଟିଥିଲେ।

ନୂଆଦିଲ୍ଲୀର ଅର୍ନ୍ତଜାତୀୟ ଯୁବ ଛାତ୍ରାବାସରେ ରହିବା ସହ  ସେଠାରେ ଗଣତନ୍ତ୍ର ଦିବସର ପରବର୍ତ୍ତୀ ଦିନ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଉଛନ୍ତି। ଅବିଭକ୍ତ  କୋରାପୁଟ ପରି ଆଦିବାସୀ ଅଧ୍ୟୁଷିତ ତଥା ୫ମ ଅଧିସୂଚିତ ଅଂଚଳରୁ ସର୍ବଭାରତୀୟ ପ୍ୟାରେଡ଼ରେ ଭାଗ ନେବାରେ ବର୍ଷା ହେଉଛନ୍ତି ପ୍ରଥମ ଝିଅ।

ବର୍ଷା ପାଇଁ ଆଜି କୋରାପୁଟ ଜିଲ୍ଲାର ସ୍ଥାନ ସର୍ବଭାରତସ୍ତରରେ ପହଚିଂପାରିଛି। ୨୯ତାରିଖ ଦିନ ନୂଆଦିଲ୍ଲୀରେ ସାଂସଦ ଅଚ୍ୟୁତ ସାମନ୍ତ, ୨ତାରିଖ ଦିନ ଓଡିଶା ଫେରିବା ପରେ ରାଜ୍ୟପାଳ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଓ ତାଙ୍କ ନିଜ ମହାବିଦ୍ୟାଳୟ ପକ୍ଷରୁ ବି ତାଙ୍କୁ ସମ୍ବର୍ଦ୍ଧନା ଦେବାର କାର୍ଯ୍ୟକ୍ରମ ରହିଥିବା କହିଛନ୍ତି ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ମନୋରମା ଦେବୀ ଓ ଏନଏସଏସ୍ ଅଧିକାରୀ ମନୋରଂଜନ ପ୍ରଧାନ।

ପ୍ରକାଶଯୋଗ୍ୟ, ବର୍ଷା ପ୍ରଥମେ କଲେଜ, ପରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଓ ପରେ ଜୋନ ସ୍ତରରେ ମନୋନୀତ ହୋଇଥିଲେ।  ଜୋନସ୍ତରରେ ମନୋନୀତ ହେବା ପରେ ସୋଆ  ବିଶ୍ବବିଦ୍ୟାଳୟରେ ୧୫ଦିନ ଧରି ପ୍ରାକଃ ପ୍ୟାରେଡ୍ ତାଲିମ ବି ନେଇଥିଲେ। ଏଠାରେ ସେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟସ୍ତରରୁ ନୂଆଦିଲ୍ଲୀରେ ହେବାକୁ ଥିବା ରିପୋବ୍ଲିକ୍ ଡେ ପ୍ୟାରେଡରେ ଭାଗ ନେବାକୁ ମନୋନୀତ ହୋଇଥିଲେ। ସରକାରୀ ମହିଳା ମହାବିଦ୍ୟାଳୟର ଏନଏସଏସ୍ ଶାଖା ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ, ସ୍ବଚ୍ଛଭାରତ ମିଶନ ସହ ଟ୍ରାଫିକ୍ ଭଲ୍ୟୁଣ୍ଟର ଆଦି ସେବା ମୂଳକ କାର୍ଯ୍ୟକ୍ରମରେ ବର୍ଷା ଭାଗ ନେଇଛନ୍ତି।

 

ସମ୍ବନ୍ଧିତ ଖବର