କୋରାପୁଟ ହଳଦୀ ପାଇବ କି ଜିଆଇ ଟ୍ୟାଗ୍‌, ଆବେଦନ କରିବ କୋରାପୁଟ ପ୍ରଶାସନ

କୋରାପୁଟ: କୋରାପୁଟ ହଳଦୀକୁ ମିଳିବ କି ଜିଆଇ ଟ୍ୟାଗ୍‌? କୋରାପୁଟ କଳାଜୀରା ଧାନ ପାଇଁ ପ୍ରଶାସନ, ଜୈବକଶ୍ରୀ ଓ ନାବାର୍ଡ ପକ୍ଷରୁ ଆବେଦନ କରା ଯାଇଥିବାବେଳେ ଏହି କୋରାପୁଟ ହଳଦୀ ପାଇଁ ଆବଦେନ କରାଯିବ। ଏନେଇ ପକ୍ରିୟା ଆରମ୍ଭ ହୋଇଛି। ଓରମାସ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ବିଗତ ଦିନରେ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକର ବିଭିନ୍ନ ଗ୍ରାମରେ ଉତ୍ପାଦିତ ହେଉଥିବା ହଳଦୀ ଜାତୀୟ ସ୍ତରୀୟ ବଜାରରେ ଆଦୃତ ହୋଇଥିଲା। ହଳଦୀର ପରୀକ୍ଷା ପରେ ଏଥିରେ ୫ ରୁ ୬ ଭାଗ କୁକୁମୀନ ଥିବାରୁ ଏହାକୁ ଔଷଧ ତିଆରିରେ ବ୍ୟବହାର କରାଯିବ। ଏଥିଲାଗି ଆଇଏଫସିଓ ପକ୍ଷରୁ ଲକ୍ଷ୍ମୀପୁର ବ୍ଲକରୁ ୨୦ ମେଟ୍ରିକ ଟନ ହଳଦୀ କିଣିଥିବା ସୂଚନା ମିଳିଛି।

ଗତ କିଛିମାସ ପୂର୍ବେ ଏଠାକାର ହଳଦୀକୁ ଦେଶର ଅଗ୍ରଣୀ ପରୀକ୍ଷାଗାରକୁ ପଠାଯିବା ପରେ ଏଥିରେ ଶତକଡା ୫ ରୁ ୬ ଭାଗ କୁକୁମୀନ ରହୁଥିବା ଜଣାପଡିଥିଲା। ଏହାପରେ ଔଷଧ ତିଆରିରେ ଏହାର ଚାହିଦା ଆହୁରି ଅଧିକ ବଢିଥିଲା। ପୂର୍ବରୁ କନ୍ଧମାଳ ହଳଦୀକୁ ଜିଆଇ ଟ୍ୟାଗ ମିଳିଥିବାବେଳେ ଏଥିରେ ୨ ରୁ ୩ ପ୍ରତିଶତ କୁକୁମୀନ ରହିଛି। ତେବେ କନ୍ଧମାଳକୁ ଜିଆଇ ଟ୍ୟାଗ ମିଳି ସାରିଥିବାବେଳେ ଏହି ଭତ୍ତିରେ ମିଳିବା ଆଶା କରାଯାଉଛି। ଏହାସହ ଜିଲ୍ଲାରେ ହଳଦୀ ଉତ୍ପାଦନ ବୃଦ୍ଧି ପାଉଥିବା ଜଣାପଡିଛି। ଲକ୍ଷ୍ମୀପୁର ବ୍ଲକର ଟିମାଝୋଲା, ଚମ୍ପୀ, କୋନାପାଡୁ, ଲଛମଣି, ଡୂମୁରିପଦର, ପିପଲପଦର, ତୟାପୁଟ ଓ ଲକ୍ଷ୍ମୀପୁରର ଗୋଟିଏ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ୭ ଟି ଉତ୍ପାଦକ ଦଳ ଠାରୁ ତୟାପୁଟର ପାର୍ବତୀ ଏସଏସଜି ମାଧ୍ୟମରେ ଏହି ସମସ୍ତ ହଳଦୀକୁ ସଂଗ୍ରହ କରାଯାଇଥିବା ଓରମାସ ପ୍ରକଳ୍ପ ଅଧିକାରୀ କାର୍ତ୍ତିକ ରୋଶନ କହିଛନ୍ତି।

ଉଚ୍ଚମାନର ଉତ୍ପାଦକୁ କମ ଦାମରେ ବିକ୍ରି କରିଦେଉଥିବା ଚାଷୀ ବର୍ତ୍ତମାନ ପ୍ରତି କିଲୋ ହଳଦୀ ପାଇଁ ୯୨ ଟଙ୍କା ପାଇ ଅତ୍ୟନ୍ତ ଖୁସି ଥିବା ପାର୍ବତୀ ମହିଳା ଏସଏସଜିର ସଭାପତି ପାରା ମାସକା କହିଛନ୍ତି। ବ୍ଲକର ପ୍ରାୟ ୬୦ ଜଣ ହଳଦୀ ଚାଷୀଙ୍କ ଠାରୁ ହଳଦୀ କ୍ରୟ କରିବା ପାଇଁ କାଫକୋ ତରଫରୁ ୧୨ ଲକ୍ଷ ଟଙ୍କା ରିଭଲବିଙ୍ଗ ଫଣ୍ଡ ଭାବେ ପ୍ରଦାନ କରାଯାଇଥିବା କାଫକୋର ଅଧିକାରୀ ସାବିତ୍ରୀ ନାୟକ କହିଛନ୍ତି। ଲକ୍ଷ୍ମୀପୁର ହଳଦୀର ପରୀକ୍ଷା ହେବା ପରେ ବର୍ତ୍ତମାନ ୨୦୦ ଟନ ହଳଦୀକୁ ବାଙ୍ଗାଲୁରୁକୁ ପଠାଯାଉଥିବା ବେଳେ ଭବିଷ୍ୟତରେ ୧୦୦୦ ମେଟ୍ରିକ ଟନ ହଳଦୀ କ୍ରୟ କରିବାର ଲକ୍ଷ୍ୟ ରହିଥିବା ଇଫ୍କୋ କିସାନର କର୍ମକର୍ତ୍ତା ଧାନୀଖରା ସୂଚନା ଦେଇଛନ୍ତି। ଲକ୍ଷ୍ମୀପୁର ହଳଦୀର ଉନ୍ନତ ମାନ ଓ ଚାଷ କରିବା ପାଇଁ ଏହି ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଥିବା ଆଗ୍ରହକୁ ଦେଖି ଜିଲ୍ଲା ପ୍ରଶାସନ ତରଫରୁ ଏହି ବ୍ଲକରେ ଆହୁରି ଅଧିକ ଚାଷୀ କିପରି ହଳଦୀ ଚାଷ କରି ଲାଭବାନ ହୋଇପାରିବେ ସେ ଦିଗରେ ଉଦ୍ୟମ କରାଯିବ ବୋଲି ଲକ୍ଷ୍ମୀପୁର ବିଡିଓ ପ୍ରୀତିରଞ୍ଜନ ରଥ କହିଛନ୍ତି।

ସମ୍ବନ୍ଧିତ ଖବର