ଜୟପୁର : ଧାନର ଉତ୍ପତିସ୍ଥଳି କୋରାପୁଟ ଜିଲ୍ଲା ପାଇଁ ମିଳିଛି ଆଉ ଏକ ଖୁସି ଖବର। କୋରାପୁଟ କଫି, ଝାଡୁ, ସାବୁନ ଓ ହଳଦୀ ପରେ ବିରଳ ଧାନ କୋରାପୁଟିଆ କଳାଜୀରା ଏବେ ଅର୍ନ୍ତଜାତୀୟ ଇ-ବଜାରରେ ପ୍ରବେଶ କରିଛି। ଏହି ଧାନକୁ ଅର୍ନ୍ତଜାତୀୟ ବଜାରର ଖ୍ୟାତିସଂପନ୍ନ ଇ- ବ୍ୟବସାୟୀ ‘ଆମଜାନ’ ନିଜ ବ୍ୟବସାୟରେ ସାମିଲ୍ କରିବା ସହ ବିକ୍ରୀ ଆରମ୍ଭ କରିଛି। ଆଜି ଏ ନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ବି ଟୁଇଟ୍ କରାଯାଇଛି। ଦିନକୁ ଦିନ ଲୋପ ପାଇବାକୁ ଯାଉଥିବା ବସନା ତଥା ଔଷଧୀୟ ବିରଳ ଧାନ କଳାଜୀରାକୁ ଏହା ଫଳରେ ମିଳିଛି ସ୍ବତନ୍ତ୍ର ସ୍ଥାନ। ଓରମାସ, କାପକୋ ଓ ଜିଲ୍ଲା ପ୍ରଶାସନ ସହାୟତାରେ ଏହାକୁ ଏହି ସୁଯୋଗ ମିଳିଛି। ଅଧ କେଜି ପ୍ରତି ୧୧୦ ଟଙ୍କାରେ ଏହି ଚାଉଳ ବିକ୍ରି ହେବାକୁ ରହିଥିବାବେଳେ ଏଥିରେ ଖିରି ଓ ବିରିୟାନୀ ମଧ୍ୟ ପ୍ରସ୍ତୁତ କରି ହେବ। ଏହାକୁ ଓରମାସ ପକ୍ଷରୁ କୋରାପୁଟ ଏଗ୍ରୋ ପ୍ରଡକ୍ଟ ପ୍ରଡ୍ୟୁସର କଂପାନୀ ଲିମିଟେଡ୍ (କାପକୋ) ପକ୍ଷରୁ ଚାଷୀଙ୍କୁ ଉତ୍ତମ ବଜାର ଯୋଗାଇବା ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ କଳାଜିରା ଧାନର ଏକ ସ୍ବତନ୍ତ୍ର ଟେଷ୍ଟ ରହିଛି। ଏହି ଧାନ କେବଳ କୋରାପୁଟରେ ଚାଷ ହେବା ସହ ଉତ୍ପାଦିତ ହେଉଥିବା ବେଳେ ପଦ୍ମଶ୍ରୀ କମଳା ପୂଜାରୀ, ସ୍ବାମୀନାଥନ ଗବେଷଣା କେନ୍ଦ୍ର ଓ ବିରଳ ଧାନ ସଂଗ୍ରାହକ ନେତ୍ରାନନ୍ଦ ଲେଙ୍କା ଏବଂ ଚାଷୀ ମନୋଜ ପାତ୍ରଙ୍କ ଯୋଗୁଁ ଯୋଗୁଁ ତିଷ୍ଠି ରହିଛି। ୬ ବର୍ଷ ତଳେ ଏହି ଧାନ ବିଲୁପ୍ତ ହୋଇ ରହିଥିବାବେଳେ ଏହାକୁ ସାଇତି ରଖିଥିଲେ ପଦ୍ମଶ୍ରୀ କମଳା ପୂଜାରୀ ଓ ତାଙ୍କ ପରିବାର। ତାଙ୍କଠାରୁ କୋରାପୁଟ ସହ ଅନ୍ୟ ଜିଲ୍ଲା ତଥା ରାଜ୍ୟ ବାହାରକୁ ଯାଇଥିଲା ଏହି ଧାନ। ଏହି ଧାନର ଔଷଧୀୟ ଗୁଣ ରହିଥିବାବେଳେ ଡାଇବେଟିସ୍ ରୋଗୀଙ୍କ ବିଶେଷ ଲାଭପ୍ରଦ। ଏକର ପିଛା ଏହା ୫ରୁ ୧୦କୁଇଣ୍ଟାଲ ଧାନ ଅମଳ ହେବା ସହ ୧୪୦ରୁ ୧୫୫ଦିନରେ ଏହା ଚାଷ ହେଉଛି। ସେଭଳି ଯେଉଁ ଧାନକୁ ନେଇ ଜୟପୁରର ପରିଚୟ ସୃଷ୍ଟି ହୋଇଥିଲା ସେହି ଧାନ କିଭଳି ବଞ୍ଚିବ ଏବଂ ପ୍ରତିବର୍ଷ ଅଧିକାରୁ ଅଧିକା ଚାଷୀ ଏହି ଧାନକୁ ଚାଷ କରିବେ ସେ ଦିଗରେ ପ୍ରଶାସନିକ ଭାବେ ଚାଷୀଙ୍କୁ ପ୍ରତ୍ସାହିତ କରିବାର ଆବଶ୍ୟକତା ନିହାତି ରୁପେ ରହିଛି ବୋଲି ଚାଷୀ ଶ୍ରୀ ପାତ୍ର କହିଛନ୍ତି। ଏହି ଧାନର ଚାଷର ବେଶି ପରିମାଣର ଜୟପୁର ଉପଖଣ୍ଡର ଜୟପୁର, ବୋରିଗୁମ୍ମା, କୋଟପାଡ, ବୈପାରିଗୁଡା ବ୍ଲକରେ ବେଶି କରାଯାଉଛି। କୋରାପୁଟ ବ୍ଲକରେ ଅଳ୍ପ କିଛି ଚାଷୀ ଏହି ଧାନର ଚାଷ କରୁଛନ୍ତି। କୋରାପୁଟ ଜିଲ୍ଳାର ୧୪ଟି ବ୍ଲକରେ ୧୮୦୦ ଚାଷୀ କଳାଜିରା ଧାନ ଚାଷ କରୁଥିବାବେଳେ ବାର୍ଷିକ ୧୦୦ କୁଇଣ୍ଟାଲ ଧାନ ଅମଳ ହେଉଥିବା ଜିଲ୍ଲା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। ଏନେଇ ପଦ୍ମଶ୍ରୀ କମଳା ପୂଜାରୀ କହିଛନ୍ତି ଯେ କଳାଜୀରା ଚାଷ କରିବାକୁ ହେଲେ ଏହାର ଉନ୍ନତି କରିବାକୁ ହେବ। କିପରି ଏଥିରେ ରୋଗପୋକ ନ ଲାଗିବ, ଏହା କିପରି ଭଲ ଉତ୍ପାଦନ ହେବ ନେଇ ଗବେଷଣା ହେବା ଉଚିତ।
କୋରାପୁଟ ଜିଲ୍ଲାର କଳାଜୀରା ଏବେ ଅର୍ନ୍ତଜାତୀୟ ଇ-ବଜାରରେ ପ୍ରବେଶ
/sambad/media/post_attachments/wp-content/uploads/2022/04/jpr-kolajeera-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)