ମାଟିରେ ମିଶିବ କୋରାପୁଟ ମଡେଲ୍‌ କଲେଜ୍‌ ! ଦୂରଦୃଷ୍ଟିର ଅଭାବ, ପାଣିରେ ପଡିବ ୧୨ କୋଟି ଟଙ୍କା 

କୋରାପୁଟ : ଶତପ୍ରତିଶତ କାର୍ୟ୍ୟ ଶେଷ ହୋଇସାରିଲାଣି। ଆଉ ମାତ୍ର କିଛି ଦିନ ପରେ ଏହା ଉଚ୍ଚଶିକ୍ଷା ବିଭାଗକୁ ହସ୍ତାନ୍ତର ହୋଇଥାନ୍ତା। କିନ୍ତୁ ଭାରତମାଳା ପରିଯୋଜନା ପାଇଁ ଭାଙ୍ଗିବ କୋରାପୁଟ ମଡେଲ୍‌ କଲେଜ। ପାଣିରେ ପଡିବ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ୧୨ କୋଟିରୁ ଅଧିକ ଟଙ୍କା। କୋରାପୁଟ ଜିଲ୍ଲା ସେମିଳିଗୁଡା ନିକଟରେ ଯେଉଁ ମୋଡେଲ କଲେଜକୁ ସ୍ଥାପନା କରିବାକୁ କେନ୍ଦ୍ରରେ ରହିଥିବା ମୋଦି ସରକାର ଅନୁମତି ଦେଇଥିଲେ ଏହାକୁ ଭଙ୍ଗାଯିବା ଏକ ପ୍ରକାର ନିଶ୍ଚିତ ହୋଇଛି । ଗତକାଲି ଭାରତମାଳା ପରିଯୋଜନା ପାଇଁ କେନ୍ଦ୍ର ସରକାର ଅର୍ଥ ବ୍ୟୟବରାଦ ହେବା ପରେ ଏହି କଲେଜର ଭାଗ୍ୟ ଅନିଶ୍ଚତତା ମଧ୍ୟକୁ ଠେଲି ହୋଇଯାଇଛି ।

ତେବେ ୨୦୧୮ ମସିହା ଜୁନ ମାସରେ କେନ୍ଦ୍ର ସରକାର କୋରାପୁଟ ସମେତ ୬ଟି ଜିଲ୍ଲାରେ ମଡେଲ କଲେଜ ପ୍ରତିଷ୍ଠା କରିବାକୁ ଘୋଷଣା କରିଥିଲେ। ରାଷ୍ଟ୍ରୀୟ ଉଚ୍ଚତ୍ତର ଶିକ୍ଷା ଅଭିଯାନ (ରୁଷା)୨.୦ ଯୋଜନାରେ ରାଜ୍ୟର ୬ଟି ସ୍ଥାନ‌ରେ ଏହି ମହାବିଦ୍ୟାଳୟ ପ୍ରତିଷ୍ଠା କରାଯିବାକୁ ଯୋଜନା ରହିଥିଲା। ୨୦୧୯-୨୦ ଶିକ୍ଷାବର୍ଷରେ ଏହା ଆରମ୍ଭ ହେବାକୁ ରହିଥିବାବେଳେ କରୋନା ଯୋଗୁଁ ଏଥିରେ ପ୍ରତିବନ୍ଧକ ଲାଗିଥିଲା। ପ୍ରତି କଲେଜ ପାଇଁ ୧୨ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ଏହିଠାରେ କଲେଜ ବିଲ୍ଡିଂ, ଲାବରୋଟ‌ୋରୀ, ଲାଇବ୍ରେରୀ, ଫାକଲ୍ଟି କମନରୁମ୍, ଟଏଲେଟ୍‌ ସହ ୨୪ ଘଣ୍ଟିଆ ଇଣ୍ଟରନେଟ ସୁବିଧା ରହିଥିବା କୋଠରୀରହିଛି। ଏହି କଲେଜକୁ ପୂର୍ଣ୍ଣ ରୂପ ଦେବାକୁ କେନ୍ଦ୍ର ସରକାର ୬୦ ପ୍ରତିଶତ ଓ ରାଜ୍ୟସରକାର ୪୦ ପ୍ରତିଶତ ଅର୍ଥ ଭରଣା କରିସାରିଛନ୍ତି। ଏହି କଲେଜ ପ୍ରତିଷ୍ଠାର ପାଇଁ ମୁଖ୍ୟ ଲକ୍ଷ୍ୟ ଥିଲା ଯେ ଗ୍ରାମାଞ୍ଚଳରେ ଉଚ୍ଚଶିକ୍ଷାକୁ ପହଞ୍ଚାଇବା। ଏହାସହ ଅଧାରୁ ପାଠ ଛାଡୁଥିବା ଯୁବତୀଙ୍କୁ ଘର ନିକଟରେ ଶିକ୍ଷା ଦେବାକୁ ଏହି କଲେଜ ପ୍ରତିଷ୍ଠା ହୋଇଥିଲା। ୨୦୧୯ ଫେବ୍ରୁଆରୀ ୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦି ଜାମ୍ମୁ ଓ କଶ୍ମିରୀରୁ ଭିଡିଓ କନଫେରେନ୍ସ ମାଧ୍ୟମରେ ଏହି କଲେଜର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି କହିଛନ୍ତି ଯେ ଜିଲ୍ଲାକୁ ଗୋଟିଏ ବୋଲି ମୋଡେଲ କଲେଜ କରାଯାଇଛି । ପ୍ରାୟ ଶତପ୍ରତିଶତ କାର୍ଯ୍ୟ ଶେଷ ହୋଇସାରିଲାଣି । ଏବେ ଏହି ଭାରତମାଳା ପରିଯୋଜନା ପାଇଁ ଭାଙ୍ଗାଯିବ ବୋଲି ଆପତତଃ ସ୍ଥିର ହୋଇ ସାଣିଲାଣି। ଏହାକୁ ଆମେ ତୀବ୍ର ବିରୋଧ କରୁଛି। କିଏ ଓ କିପରି ଏହାକୁ ଭାଙ୍ଗିବ ଆମେ ଦେଖିବୁ । କଂଗ୍ରେସ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯିବ ବୋଲି‌ ସେ କହିଛନ୍ତି ।

ଏନେଇ ବିଜେଡିର ବରିଷ୍ଠ ନେତା ଇଶ୍ବର ପାଣିଗ୍ରାହୀ କହିଛନ୍ତି ଯେ କୌଣସି ପରିସ୍ଥିତିରେ ଏହାକୁ ଭଙ୍ଗାଯିବାକୁ ଦିଆଯିବ ନାହିଁ। ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ମୁଖ୍ୟଙ୍କ ସହ ଆଲୋଚନା କରାଯିବା ସମାଧାନ ବାହାର କରାଯିବ । ଏହାସହିତ ଜିଲ୍ଲାର ସମସ୍ତ ବିଜେଡି ବିଧାୟକ ଏନେଇ ଏକତ୍ରିତ ହୋଇ ଗଠନମୂଳକ କୋରାପୁଟ ପାଇଁ ଚେଷ୍ଠା କରିବୁ ବୋଲି ସେ କହିଛନ୍ତି ।

ଏନେଇ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର କହିଛନ୍ତି ଯେ, ଏହି କଲେଜ ଉପର ଦେଇ ଭାରତମାଳା ପରିଯୋଜନା ଯାଉଥିବାରୁ ଏହା ଭଙ୍ଗାଯିବ। କିନ୍ତୁ ଯେତ‌େବେଳେ ଯାଏ ଅନ୍ୟ କୌଣସି ସ୍ଥାନରେ ସ୍ଥାନ ଚିହ୍ନଟ ହୋଇନି ଏହା ସୁରକ୍ଷିତ ରହିବ। ‌ଏହାସହ ଏନଏଚଏଆଇ ପକ୍ଷରୁ ଏହି ଜମିର ମୂଲ୍ୟ, କୋଠାର ମୂଲ୍ୟ ଅର୍ଥ ପ୍ରଦାନ କରିସାରିଛନ୍ତି। ଖୁବଶୀଘ୍ର ଅନ୍ୟ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର