ରାୟଗଡା: କୋରାପୁଟ ସାଂସଦ ସପ୍ତଗିରି ଉଲାକା ଆଜି କାଶୀପୁର ବ୍ଲକର ଡଂଗାସିଲ ଗ୍ରାମରେ ପହଞ୍ଚିଥିଲେ। ଗତ ତିନି ଦିନ ତଳେ ଡଙ୍ଗାସିଲ ଆଶ୍ରମ ବିଦ୍ୟାଳୟରେ ସେହି ବିଦ୍ୟାଳୟର ପିଅନ ଦ୍ବାରା ଜଣେ ତୃତୀୟ ଶ୍ରେଣୀର ଛାତ୍ରୀକୁ ଦୁଷ୍କର୍ମ ହୋଇଥିଲା। ଏହି ଘଟଣା ସାରା ଜିଲ୍ଲା ସମେତ ରାଜ୍ୟରେ ଚହଳ ପକାଇ ଦେଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ପୀଡିତାକୁ ନ୍ୟାୟ ମିଳିନଥିବାରୁ ସାଂସଦ ପୀଡିତା ଓ ପରିବାରକୁ ଭେଟି ଆଶ୍ବାସନା ଦେବା ସହ ସରକାରଙ୍କୁ ତୁରନ୍ତ ନ୍ୟାୟ ଦେବା ପାଇଁ ଦାବି କରିଥିଲେ। ଡଙ୍ଗାସିଲ ଗ୍ରାମରେ ପହଞ୍ଚିବା ପରେ ଗ୍ରାମର ଶତାଧିକ ଲୋକ ସାଂସଦ ଶ୍ରୀ ଉଲାକାଙ୍କୁ ଘେରିଯାଇଥିଲେ। ଝିଅକୁ ନ୍ୟାୟ ଦେବା ପାଇଁ ଦାବି କରିଥିଲେ। ଏଥିସହ ପୁଲିସ ଗାଡି ପୋଡି ଦେବା ଘଟଣାରେ ପ୍ରକୃତ ଅପରାଧୀଙ୍କୁ ନଧରି ନିରୀହ ଲୋକଙ୍କୁ ପୁଲିସ ଗିରଫ କରୁଥିବା ଅଭିଯୋଗ କରିଥିଲେ। ଏଥିରେ ସାଂସଦ ଉତକ୍ଷିପ୍ତ ହୋଇ ପୁଲିସକୁ ନିର୍ଦେଶ ଦେଇଥିଲେ ଯେ ଗାଡି ପୋଡି ମାମଲାରେ ଯିଏ ଦୋଷୀ ତାକୁ ଗିରଫ କର।
ରାୟଗଡା ଜିଲ୍ଲା ହସପିଟାଲରେ ପୀଡିତା ଚିକିତ୍ସିତ ହେଉଥିବାରୁ ମେଡିକାଲ ଯାଇ ମଧ୍ୟ ପୀଡିତାକୁ ସାକ୍ଷାତ କରିଥିଲେ। ବିଦ୍ୟାଳୟ ଗସ୍ତ କରି ସେଠାରେ କିପରି ପିଲା ରହୁଛନ୍ତି ତାହା ଅନୁଧ୍ୟାନ କରିଥିଲେ। ପିଲାଙ୍କୁ ସରକାରଙ୍କ ତରଫରୁ ମିଳୁଥିବା ସମସ୍ତ ସୁବିଧା ଯେପରି ଦିଆଯିବ ସେନଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ତାଗିଦ କରିଥିଲେ। ଏଭଳି ଘଟଣା ନିନ୍ଦନୀୟ ବୋଲି କହିବା ସହ ସ୍କୁଲ କର୍ତ୍ତୃପକ୍ଷ ଏଥିପାଇଁ ଦାୟୀ ରହିବେ ବୋଲି କୁହାଯାଇଥିଲା। ଡଂଗାସିଲ ଗସ୍ତ ବେଳେ ସାଂସଦ ଶ୍ରୀ ଉଲାକାଙ୍କ ସମେତ ରାଜ୍ୟ ସାଧାରଣ ସଂପାଦକ ଦୁର୍ଗା ପ୍ରସାଦ ପଣ୍ଡା, ରତ୍ନମଣି ଉଲାକା, ଆପାଲସ୍ବାମୀ କାଡ୍ରାକା, ବ୍ଲକ ସଭାପତି ଅଙ୍ଗଦ ନାୟକ, ଦେବେନ୍ଦ୍ର ରାଓ, ଯୁବ କଂଗ୍ରେସ ସଭାପତି ଯୋଶେଫ ଖୋସଲା, ରାଜେନ୍ଦ୍ର ଦୁରିଆ, ବିବେକ କୁମାର ପ୍ରମୁଖ ଉପସ୍ଥିତ ଥିଲେ।