କୋରାପୁଟ: ଜଳକଷ୍ଟରେ ଘାଣ୍ଟି ହେଉଥିବା କୋରାପୁଟ ଜିଲ୍ଲାବାସୀ ଏବର୍ଷ ବି ପିଇବାକୁ ପାଣି ପାଇବେନି। ଖରାଦିନ ଆସିବା ଆଗରୁ ଏମିତି ସଙ୍କେତ ଜଳ ଜଳ ଦିଶିଲାଣି। ଜିଲ୍ଳାରେ ଭୁତଳ ଜଳସ୍ତର ଅତି ବିପଦଜନକ ଭାବେ ତଳକୁ ଖସି ଯାଇଥିଲାବେଳେ ଜନବସତି ଗୁଡିକୁ ପାଇପ ପାଣି ଯୋଗାଣ ବି ବିଶେଷ ଆଗେଇ ପାରିନି। 

Advertisment

ବୈପାରିଗୁଡା, ପଟାଙ୍ଗୀ, ନାରାୟଣପାଟଣା ଆଦି ବ୍ଲକର ଅଧିକାଂଶ ଅଂଚଳରେ ନଳକୂପରୁ ଖରାଦିନେ ପାଣି ବାହାରିବ ନାହିଁ। ତେଣୁ ଜିଲ୍ଲାରେ ଜଳ ସଙ୍କଟ ଦେଖା ଦେବା ଏକ ପ୍ରକାର ନିଶ୍ଚିତ। ଜଳଜୀବନ ମିଶନରେ ୨୦୨୦-୨୧ରୁ ୨୦୨୩-୨୪ ଯାଏଁ ଅନୁଦାନ ମିଳିବା ସହ ପାଇପ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ସହ ନିର୍ମାଣ ସରିଥିବା ପ୍ରକଳ୍ପ ଜରିଆରେ ଜଳଯୋଗାଣ କରାଯାଉଥିଲା। 

ଗତ ୬ବର୍ଷ ତଳେ ଆରମ୍ଭ ହୋଇିଲା ମେଗା ଜଳଯୋଗାଣ ପ୍ରକଳ୍ପ। ଜିଲ୍ଲାର ୧୪ଟି ବ୍ଲକ ପାଇଁ ୮ଟି ସ୍ଥାନରୁ ଏହି ଯୋଜନାରେ ପାଣି ଘରକୁ ଘର ଯୋଗାଇବାକୁ ଲକ୍ଷ୍ୟ ରହିଥିଲା।  ଏଥି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ୩ହଜାର କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ତେବେ ଏହି ପ୍ରକଳ୍ପ ବି ସରିବା ନାଁ ନେଉନି। 

ସରକାରୀ ହିସାବ ଅନୁସାରେ, ଜିଲ୍ଲାରେ ଏବେ ୧୭,୭୮୦ଟି ନଳକୂପ ଓ ୪୮୨ଟି ପରିମଳ କୂପ ରହିଛି। ଏହା ସହିତ ୬୪୫ଟି ପାଇପ ଜଳ  ଯୋଗାଣ ପ୍ରକଳ୍ପ କରାଯାଇଛି। ଜିଲ୍ଲାରେ ଥିବା ସମୁଦାୟ ୪୪୦୪ଟି ଜନବସତି ଭିତରୁ ପ୍ରାୟ ୧୦୩୦ଟି ଜନବସତିକୁ ଏହି ପ୍ରକଳ୍ପ ଗୁଡିକରୁ ପାଇପ ପାଣି ଯୋଗାଇ ଦିଆଯାଉଛି।

 ପାଖାପାଖି ୨୦ହଜାର ଘର ଏଥିରୁ ଫାଇଦା ପାଇଥାନ୍ତି। କିନ୍ତୁ ବାକି ଜନବସତିରେ ଥିବା ୨ ଲକ୍ଷ ୭୫ ହଜାର ଘର ନଳକୂପ କିମ୍ବା କୂପ ଉପରେ ନିର୍ଭର କରିଥାନ୍ତି। କିଛି ସ୍ଥାନରେ ଲୋକେ ଝରଣା, ନଦୀ, ନାଳର ପାଣି ବ୍ୟବହାର କରନ୍ତି।
 
ଏପଟେ ଦୀର୍ଘଦିନ ଧରି ଜିଲ୍ଲାରେ ଚାଲିଥିବା ପାଇପ ଜଳ ପ୍ରକଳ୍ପଗୁଡିକର କାମ ସରିବାର ନାଁ ଧରୁନି। ଜଳଜୀବନ ମିଶନରେ ୪୦ଏଲପିସିଡି ଯୋଜନାରେ ୨୦୨୦-୨୧ଆର୍ଥିକ ବର୍ଷରେ ୧୨୧ଟି ପ୍ରକଳ୍ପ କରାଯିବାର ଲକ୍ଷ୍ୟ ରହିଥିବା ବେଳେ ୯ଟିର ନିର୍ମାଣ  ବାକି ରହିଛି। ସେହିପରି ୨୦୨୧-୨୨ରେ  ୫୫ଟିରୁ ୨୮ଟି , ୭୦ଏଲପିସିଡି ଯୋଜନାରେ ୨୦-୨୧ରେ ୧୮ରୁ ଗୋଟିଏ, ୨୧-୨୨ରେ ୨୯୨ରୁ ୧୨୬ଟି, ୨୩-୨୪ରେ ୪୪ଟି, ସୌରଚାଳିତ ଦ୍ବିବିଧ ପମ୍ପ ୫୬୯ରୁ ୨୪୬ଟି ବାକି ରହିଛି।

ଜିଲ୍ଲାର ୧୪ଟି ବ୍ଲକର ୨୪୦ଟି ପଂଚାୟତରେ ଘରେ ଘରେ  ପାଇପ ଯୋଗେ ପାଣି ଯୋଗାଇବା ପାଇଁ ୮ଟି ସ୍ଥାନରେ ମେଗା ଜଳଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇଥିଲା। ମୁରାନରେ ପ୍ରଥମେ ଆରମ୍ଭ ହୋଇଥିବା ବେଳେ ଏହି ପ୍ରକଳ୍ପ ଦ୍ବାରା ବୋରିଗୁମ୍ମା, ଜୟପୁର ଓ କୋଟପାଡ ବ୍ଲକର ୫୧ଟି ପଞ୍ଚାୟତକୁ ପାଣି ଯୋଗାଇବାକୁ ଲକ୍ଷ୍ୟ ରହିଥିଲା। କୋଲାବ ଜଳଭଣ୍ଡାରରେ ୬ଟି ପ୍ରକଳ୍ପ ଓ ଇନ୍ଦ୍ରାବତୀ ପ୍ରକଳ୍ପରେ ୨ଟି ଏପରି ୮ଟି ପ୍ରକଳ୍ପ   ନିର୍ମାଣଜାରୀ ରହିଛି। 

ଏବେ କିଛି ସ୍ଥାନରେ ପ୍ରକଳ୍ପର ନିର୍ମାଣ ଓ ପାଇପ ବିଛା କାମ ଏବେ ବି ଜାରୀ ରହିଛି। ମୁରାନ-୧ ପ୍ରକଳ୍ପ ଆଂଶିକ ଆରମ୍ଭ ହୋଇଥିବା ବେଳେ କୋଟପାଡ଼ ଓ ବୋରିଗୁ୍ମ୍ମା ବ୍ଲକରେ ଯୋଗାଣ ଆରମ୍ଭ ହୋଇଛି କହିଛନ୍ତି  ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ଜଗବନ୍ଧୁ ଚୌଧୁରୀ।

 ଖରାଦିନେ ନଳକୂପରୁ ପାଣି ବାହାରୁ ନ ଥିଲାବେଳେ ପାଇପ ଜଳ ଯୋଗାଣ ପ୍ରକଳ୍ପଗୁଡିକ ଅଧାପନ୍ତରିଆ ହୋଇ ପଡିଥିବାରୁ ଜିଲ୍ଲାବାସୀ ଏଥର ପୁଣି ପାଣି ଅଭାବରୁ ଛଟପଟ ହେବେ ବୋଲି ଜଳ ଜଳ ଦିଶିଲାଣି। ଅପରପକ୍ଷରେ ଜିଲ୍ଲାପାଳ ଭି.କୀର୍ତ୍ତିଭାସନ ଏହାରି ମଧ୍ୟରେ ମେଗା ଜଳଯୋଗାଣ ପ୍ରକଳ୍ପ ଓପାନୀୟ ଜଳଯୋଗାଣ ପ୍ରକଳ୍ପ  ଗୁଡିକର ଅଗ୍ରଗତିର ସମୀକ୍ଷା କରିଥିଲେ।