ମିଳୁନି ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ଟା‌ର୍ଗେଟ, ୧୦୨ରୁ ୯୭ ମଣ୍ଡି ବନ୍ଦ

୩ଦିନ ହେବ ବିଭିନ୍ନ ମଣ୍ଡିରେ ପଡ଼ି ରହିଛି ୧୦ହଜାର କୁଇଣ୍ଟାଲ ଧାନ

୧୧ହଜାର ଚାଷୀଙ୍କ ନିକଟରେ ଗଚ୍ଛିତ ଅଛି ୯ଲକ୍ଷ କୁଇଣ୍ଟାଲ

ଜୟପୁର, (ସୁରେଶ କୁମାର ନାଇଡୁ): ମିଳୁନି ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ଟା‌ର୍ଗେଟ। ଫଳରେ ୩ଦିନ ହେବ କୋରାପୁଟ ଜିଲ୍ଲାର ବିଭିନ୍ନ ମଣ୍ଡିରେ ପଡ଼ି ରହିଛି ୧୦ହଜାର କୁଇଣ୍ଟାଲ ଧାନ। ଏବେ ବି ୧୧ହଜାର ଚାଷୀଙ୍କ ନିକଟରେ ଗଚ୍ଛିତ ଅଛି ୯ଲକ୍ଷ କୁଇଣ୍ଟାଲ। ଏପଟେ ମଣ୍ଡିରେ ଟାର୍ଗେଟ ବୃଦ୍ଧି ନକରିବା ଏବଂ ମଣ୍ଡି ବନ୍ଦ ରହୁଥିବାରୁ ଚାଷୀ ନିଜ ଉତ୍ପାଦିତ ଧାନ ବିକ୍ରି କରିବାକୁ ନେଇ ଚିନ୍ତାରେ ରହିଛି।

କୋରାପୁଟ ଜିଲ୍ଲାସ୍ତରୀୟ ଧାନକିଣା କମିଟି ବୈଠକରେ ଜିଲ୍ଲା କୃଷି ବିଭାଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଧାନ କ୍ରୟକାରୀ ସଂସ୍ଥା, ସମବାୟ ବିଭାଗ ଆଦି ଉପସ୍ଥିତ ରହି ଚଳିତବର୍ଷ କେତେ ପରିମାଣର ଧାନ ଉତ୍ପାଦନ ହେବ ତାହାର ଆକଳନ କରାଯାଇଥିଲା। ଏନେଇ ରାଜ୍ୟ ସରକାରଙ୍କୁ ବି ଜଣାଇ ଦିଆଯାଇଥିଲା। ଏହାସହ ଜିଲ୍ଲା ଯୁଗ୍ମ କମିଟି ୧୦ ଏକରରୁ ଉର୍ଦ୍ଧ୍ବ ଜମି ରହିଥିବା କେତେ ଜଣ ଚାଷୀ ରହିଛନ୍ତି, ତାହାର ସର୍ଭେ କରିବା ସହ ରିପୋର୍ଟ ପ୍ରସ୍ତୁତ କରିଥିଲା। ଏହିସବୁ ତଥ୍ୟ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରିବା ପରେ ବି କେଉଁ ପରିସ୍ଥିତିରେ ଓ କାହିଁକି ମଣ୍ଡି ଗୁଡିକରେ ଧାର୍ଯ୍ୟ ଧାନ କିଣିବା ଟାର୍ଗେଟ ଠିକଣା ସମୟରେ ଦେଉନାହାନ୍ତି ବୋଲି ବଡ଼ଜିଉନାର ଚାଷୀ ଶୀତଳ କୁମାର ରଥ, କୃତିବାସ ନାୟକ, ଲବ ପରଜା, ସୁରେନ୍ଦ୍ର ସାହୁ, ଯୋଗିରାମ କୃଷ୍ଣ ସାହୁ, ଶିବ ମାଝୀ, ରଘୁ ସାହୁ, ବନପତି ହରିଜନ, ସିଙ୍ଗି ନାୟକ, ନାରାୟଣ ମୁଦିଲି, ଟି.ମହାଲକ୍ଷ୍ମୀ ରାଓ, ଖଗପତି ଗୌଡ଼, ନାରାୟଣ ମୁଦୁଲି, ବୁଦ୍ରା ଜାନୀ, ଲକ୍ଷ୍ମଣ ଜାନୀ ପ୍ରଶ୍ନ କରିଛନ୍ତି। ଧାନ କିଣା ଟାର୍ଗେଟ ନ ଦେଇ କାହିଁକି ଟୋକେନ ପ୍ରଦାନ କରାଯାଉଛି ବୋଲି ମଧ୍ୟ ଚାଷୀ ମାନେ ପ୍ରଶ୍ନ କରିଛନ୍ତି। ଗତ ତିନିଦିନ ହେବ ବଡଜିଉନା, ଡଙ୍ଗରଛିଞ୍ଛି, କାଳିଆଗାଁ, ବୈପାରିଗୁଡ଼ା ଆଦି ମଣ୍ଡିରେ ପ୍ରାୟ ୧୦ହଜାର କୁଇଣ୍ଟାଲ ଧାନ ଗଦା କରି ଶତାଧିକ ଚାଷୀ ହଟହଟାର ଶିକାର ହେଉଛନ୍ତି।

ପ୍ରକାଶ ଥାଉକି, ଜିଲ୍ଲାସ୍ତରୀୟ ଧାନ କିଣା କମିଟି ବୈଠକରେ ୨୦ଟି ଲ୍ୟାମ୍ପସ, ୨୪ଟି ମହିଳା ସ୍ବୟଂ ସହାୟକ ଦଳ, ୨ଟି ପାଣି ପଞ୍ଚାୟତ କ୍ରୟକାରୀ ସଂସ୍ଥା ଜରିଆରେ ୧୦୨ଟି ମଣ୍ଡିରେ ପଞ୍ଜୀକୃତ ୩୩ହଜାର ୪୨୮ଜଣ ଚାଷୀଙ୍କ ଠାରୁ ୨୯ଲକ୍ଷ କୁଇଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ସରକାର ଏହା ମଧ୍ୟରେ ପର୍ଯ୍ୟାୟକ୍ରମେ ୨୦ଲକ୍ଷ କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ଦେଇଥିଲେ। ପରବର୍ତ୍ତୀ ସମୟରେ ଏହି ଟାର୍ଗେଟକୁ କମାଇ ଦିଆଯାଇ ୧୭ହଜାର କୁଇଣ୍ଟାଲ ଓ ଏବେ ୭୨ହଜାର କୁଇଣ୍ଟାଲ ଟାର୍ଗେଟ ଦେଇଛନ୍ତି। ଆଜି ପର୍ଯ୍ୟନ୍ତ ବିଭିନ୍ନ କ୍ରୟକାରୀ ସଂସ୍ଥା ପକ୍ଷରୁ ୨୨ହଜାର ୬୭୩ଜଣ ଚାଷୀଙ୍କ ଠାରୁ ୨୦ଲକ୍ଷ ୧୪ହଜାର ୨୦୩ କୁଇଣ୍ଟାଲ ଧାନ କିଣା ସରିଛି। ଜିଲ୍ଲାରେ ୧୦୨ଟି ମଣ୍ଡି କରାଯିବା ନେଇ ଯୋଜନା ହୋଇଥିଲାବେଳେ ଏଥିରୁ ହାତ ଗଣତି ଗୋଟିଏ କିମ୍ବା ଦୁଇଟି ମଣ୍ଡି ଚାଲିଛି। ପ୍ରାୟ ୯୭ଟି ମଣ୍ଡି ବନ୍ଦ ହୋଇଯାଇଛି। ଅନ୍ୟପକ୍ଷରେ ପ୍ରାୟ ୧୧ହଜାର ଚାଷୀଙ୍କ ନିକଟରେ ଏବେ ଆହୁରି ୯ଲକ୍ଷ କୁଇଣ୍ଟାଲ ଧାନ ଗଚ୍ଛିତ ରହିଥିବା ଚାଷୀ ପ୍ରତିନିଧି ଓ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ତୁଳାରାମ ନାୟକ କହିଛନ୍ତି। ଖରା, ବର୍ଷା, ଶୀତ କାକର ସହି କେତେବେଳେ ବିହନ ତ ଆଉ କେତେବେଳେ ସାର ପାଇଁ ହଇରାଣ ହରକତ ହୋଇ ସମସ୍ତଙ୍କୁ ଖାଦ୍ୟ ଯୋଗାଉଥିବା ଚାଷୀ ବହୁ ସମୟରେ ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିବା ଚାଷୀ କହିଛନ୍ତି। ଗତ ତିନି ଦିନ ହେବ ପ୍ରବଳ ଶୀତ କାକରରେ ଆମେ ବଡ଼ଜିଉନା ମଣ୍ଡିକୁ ଧାନ ନେଇ ଖୋଲାମେଲାରେ ଜଗି ରହିଛୁ ବୋଲି ଚାଷୀ କହିଛନ୍ତି। ବ୍ୟାଙ୍କ ଋଣ କିମ୍ବା ଖୋଲାବଜାରରେ ଧାର କରଜ କରି ଚାଷ କରିଛୁ। ଏଭଳି ସ୍ଥିତିରେ ଆମ ମଧ୍ୟରୁ କେହି ମାନସିକ ଚାପରେ ଆତ୍ମହତ୍ୟା କଲେ ଯାଇ ସରକାରଙ୍କ ନିଦ ଭାଙ୍ଗିବକି ବୋଲି ପ୍ରଶ୍ନ କରିଛନ୍ତି ଚାଷୀ। ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ ତୁଳାରାମ ନାୟକଙ୍କୁ ପଚାରିବାରୁ ଜିଲ୍ଲା ପକ୍ଷରୁ ରାଜ୍ୟ ସରକାରଙ୍କୁ ପୂର୍ବରୁ ଧାନ କିଣାଯିବାର ଲକ୍ଷ୍ୟ ସଂପର୍କରେ ଜଣାଇ ଦିଆଯାଇଛି। ସେ ଅନୁଯାୟୀ ଟାର୍ଗେଟ ନ ଦେଲେ ମଣ୍ଡି ଚାଲିବା କଷ୍ଟ ବୋଲି ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର