ଗଛରେ ପିଟି ହେଲା ବାଇକ୍: ୨ ଗୁରୁତର

ବୈପାରିଗୁଡ଼ା: ବାଇକ୍ ଦୁର୍ଘଟଣାରେ ୨ ଜଣ ଗୁରୁତର ଭାବେ ଆହତ ହୋଇ ବୈପାରିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କୁ ଜୟପୁର ଜିଲ୍ଲା ହସପିଟାଲକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ଘଟଣା ଅନୁଯାୟୀ ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ଦଶମନ୍ତପୁର ପଞ୍ଚାୟତର କାକଲପଡା ଗ୍ରାମର ଅର୍ଜୁନ କାକଲପାଡିଆ(୨୦) ଏବଂ ତାଙ୍କ ସାଙ୍ଗ ଧନୁର୍ଜୟ ପୂଜାରୀ (୨୦) ଓଡି ୧୦ ଜି ୫୫୮୭ ନମ୍ବର ବିଶିଷ୍ଟ ଏକ ବାଇକ୍ ଯୋଗେ କୋଲାର ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲଗୁଡା ଅର୍ଜୁନଙ୍କ ଭଉଣୀଙ୍କ ଘରକୁ ବୁଲିବା ପାଇଁ ଯାଉଥିଲେ।

ସନ୍ଧ୍ୟା ସାଢ଼େ ଛଅଟା ସମୟରେ ଦୁହେଁ ନିଜ ଗାଁକୁ ଫେରୁଥିବା ବେଳେ ରାମପୁର ନିକଟରେ ସେମାନଙ୍କ ବାଇକ୍ ଗଛରେ ପିଟି ହୋଇଯାଇଥିଲା। ତେବେ ଅର୍ଜୁନ ଏବଂ ଧନୁର୍ଜୟ ବାଇକରୁ ଛିଟିକି ରାସ୍ତା ଉପରେ ଅଚେତ ଅବସ୍ଥାରେ ପଡ଼ିଥିବା ବେଳେ ବାଇକଟି ବିଲ ଭିତରେ ପଡ଼ିଥିଲା। ସେହି ରାସ୍ତା ଦେଇ ଆସୁଥିବା କିଛି ବ୍ୟକ୍ତି ସେମାନଙ୍କୁ ଅଚେତ ଅବସ୍ଥାରେ ପଡ଼ି ରହିଥିବା ଦେଖି ଟାଙ୍ଗିଣିଗୁଡାରେ ପହଞ୍ଚି ଜଣାଇଥିଲେ। ଟାଙ୍ଗିଣିଗୁଡାର ସ୍ବେଚ୍ଛାସେବୀ ଦଳ ଏବଂ କୋଲାର ସରପଞ୍ଚଙ୍କ ସ୍ବାମୀ ଜଗନ୍ନାଥ ନାୟକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅର୍ଜୁନ ଏବଂ ଧନୁର୍ଜୟକୁ ବୈପାରିଗୁଡ଼ା ଡାକ୍ତରଖାନାକୁ ଏକ ସ୍କୁଟି ଯୋଗେ ଆଣିଥିଲେ। ତେବେ ଦୁହିଁଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଜୟପୁର ଜିଲ୍ଲା ହସପିଟାଲକୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ଜୟପୁର ଡ଼ାକ୍ତରଖାନାରେ ପହଞ୍ଚାଇଥିଲେ ମଧ୍ୟ ସେମାନଙ୍କ ଚେତା ଫେରି ନଥିବା ଜଣାପଡ଼ିଛି। ଖବର ପାଇ ବୈପାରିଗୁଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର