ଲକଡାଉନରେ ରନ୍ଧା ଖାଦ୍ୟ ଯୋଗାଣକୁ ୭ ମାସ ବିତିଲା; ମିଳିଲାନି ପାଉଣା, ଘଣ୍ଟାଏ କାଳ ତାଲା ପକାଇଲେ ମହିଳା

୧୯ଟି ଏସଏସଜିର ପାଖାପାଖି ୨୩ ଲକ୍ଷ ବାକି

ଜୟପୁର: ମହାମାରୀ କରୋନା ସମୟରେ ଜୀବନକୁ ବାଜି ଲଗାଇ ରନ୍ଧା ଖାଦ୍ୟ ପ୍ରସ୍ତୁତ କଲେ। ଖାଇବାକୁ ପାଉ ନ ଥିବା ଲୋକଙ୍କୁ ପ୍ରତିଦିନ ଦୁଇଓଳି ଖାଇବାକୁ ଦେଲେ। ହେଲେ ପୌରପାଳିକାରେ ବାକି ଗଡୁଛି ଯେ ଗଡୁଛି ଏଯାଏଁ ମିଳୁନି। ତାରିଖ ପରି ତାରିଖ ଗଡୁଛି ସିନା ସ୍ବଂୟ ସହାୟକ ଗୋଷ୍ଠୀଙ୍କ ଆକାଉଣ୍ଟରେ ଚଢୁନି ପଇସା। କଷ୍ଟ ଅର୍ଜିତ ଅର୍ଥ ନ ମିଳିବାରୁ ଆଜି ତାତିଥିଲେ ଜୟପୁର ସହରରେ ରହିଥିବା ଏସଏସଜି। ଆଜି ବିଜେପି ମହିଳା ମୋର୍ଚ୍ଚ ସଭାନେତ୍ରୀ ସୁରଭୀ ପାଣିଙ୍କ ନେତୃତ୍ବରେ ପୌରପାଳିକାର ଏସଏସଜି ଦାୟିତ୍ବ ବୁଝୁଥିବା କର୍ମଚାରୀ ଏନୟୁଏଲମର କୋଡିନେଟର ବିବିତା ଦାସ, ୱାର୍ଡ ସିଇଓ ସସ୍ମିତା ରଥ, ଋତୁ ବେହେରା, ମଧୁ ସାହୁ, ହେଡ କ୍ଲର୍କ ଗାୟତ୍ରୀ ସାହୁଙ୍କୁ ଦୀର୍ଘ ସମୟ ଧରି ତାଲା ପକାଇଥିଲେ ଏସଏସଜିର ମହିଳାମାନେ। ପରେ ପୁଲିସ ପହଞ୍ଚିବା ସହ ଉପଜିଲ୍ଲାପାଳ ହେମକାନ୍ତ ସୟଙ୍କ ହସ୍ତକ୍ଷେପ ପରେ ମହିଳାମାନେ ତାଲା ଖୋଲିଥିଲେ।

ମିଳିଥିବା ସୂଚନା ମୁତାବକ ମାର୍ଚ୍ଚ ୨୨ ତାରିଖରୁ ସରକାର ଲକଡାଉନ ଘୋଷଣା କରିଥିଲେ। ଏହାପରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପତ୍ର ସଂଖ୍ୟା ୮୦୮୭/ ଏଚୟୁଡି/ ୨୭/୩/୨୦୨୦ ରେ ଜୟପୁରରେ ରହିଥିବା ୧୯ଟି ଏସଏସଜି ପ୍ରତିଦିନ ୧୦୦୦ରୁ ଅଧିକ ଖାଦ୍ୟ ପୁଡିଆ ପ୍ରସ୍ତୁତ କରି ଅଭାବୀ ଲୋକଙ୍କୁ ବାଣ୍ଟୁ ଥିଲେ। ଏହି ବାବଦକୁ ଏବେ ୧୯୯ଟି ଏସଏସଜିଙ୍କର ପ୍ରାୟ ୨୩ ଲକ୍ଷ ଟଙ୍କା ବାକି ରହିଥିବାବେଳେ ଫଣ୍ଡ ନ ଥିବାରୁ ଅର୍ଥ ପ୍ରଦାନରେ ବିଳମ୍ବ ହୋଇଥିଲା। ଏନେଇ ଗୃହ ଓନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ପ୍ରଭାତ କୁମାର ମହାପାତ୍ର କୋରାପୁଟ ଜିଲ୍ଲାପାଳଙ୍କୁ ଗତମାସ ୧୪ ତାରିଖରେ ୧୬ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଚିଠି ଲେଖିଛନ୍ତି। ହେଲେ ଏବେ ଯାଏ ଟଙ୍କା ମିଳି ନ ଥିବା ଜଣାପଡିଛି। ତେବେ ମୋଟ ୧୯ଟି ଏସଏସଜି ୪୦ ଲକ୍ଷ ୫୬ ହଜାର ୩୮୪ ଟଙ୍କା ମୋଟ ବିଲ ଦାଖଲ ହୋଇଥିବାବେଳେ ୧୬ ଲକ୍ଷ ୯୨ ହଜାର ଟଙ୍କା ସେମାନଙ୍କ ଆକାଉଣ୍ଟକୁ ଯାଇଛି। ଏବେ ଆହୁରୀ ୨୩ ଲକ୍ଷ ୬୪ ହଜାର ୩୮୪ ଟଙ୍କାର ଆବଶ୍ୟକତା ରହିଥିବାବେଳେ ଦୀର୍ଘ ଦିନ ହେବ ଏହି ଅର୍ଥକୁ ପ୍ରଦାନ କରାଯାଉ ନ ଥିବା ଜଣାପଡିଛି।

ଆଜି ଜୟପୁର ପୌରପାଳିକାରେ ଏହି ୧୯ଟି ଏସଏସଜିରୁ ୧୦ରୁ ଅଧିକ ଏସଏସଜି ଆସି ଏହି କର୍ମଚାରୀଙ୍କୁ ଘେରିଥିଲେ। ତେବେ ଏସଏସଜିଙ୍କ ମଧ୍ୟରୁ ବୀର ହନୁମାନ ଏସଏସଜି ୨ ଲକ୍ଷ ୧୬ ହଜାର ଟଙ୍କାରୁ ୭୦ହଜାର ପାଇଥିବାବେଳେ ଜୟ ସଦଗୁରୁ ଏସଏସଜି ୩ ଲକ୍ଷରୁ ୫୭ ହଜାର ଟଙ୍କା, ମହାକାଳୀ ଏସଏସଜି ୩ ଲକ୍ଷ ୬୦ ହଜାରରୁ ୧ ଲକ୍ଷ ୯ ହଜାର ଟଙ୍କା ପାଇଛନ୍ତି। ଏବେ ବି ଶ୍ରୀକ୍ରୀଷ୍ଣା ଏସଏସଜି ୧ ଲକ୍ଷ ୪୦ ହଜାର, ମଝି ଗୌରୀ ଏସଏସଜି ୧ଲକ୍ଷ ୪୦ ହଜାର, ଜଗନ୍ନାଥ ମହିଳା ଏସଏସଜି ୧ ଲକ୍ଷ, ଅନ୍ନପୂର୍ଣ୍ଣା ଏସଏସଜି ୩ ଲକ୍ଷ ୫୦ ହଜାର ଟଙ୍କା ବାକି ରହିଛି। ପୌରପାଳିକା ପକ୍ଷରୁ ସେମାନଙ୍କୁ ଦିଆଯିବାକୁ ରହିଥିବାବେଳେ ଏହି କାର୍ଯ୍ୟ ହୋଇ ପାରି ନ ଥିବା ଜଣାପଡିଛି। ତେବେ ଏହି ଏସଏସଜିର ସଦସ୍ୟମାନେ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ଉପଜିଲ୍ଲାପାଳ ଏହି ଅର୍ଥକୁ ଖୁବଶୀଘ୍ର ପ୍ରଦାନ କରିବେ ବୋଲି ସେମାନଙ୍କୁ ଆଶ୍ବାସନା ଦେଇଛନ୍ତି। ତେବେ ଏହି ଏସଏସଜିର ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ସେମାନେ କାମ କରିଥିଲେ। ରାତିଦିନ ଏକ କରି ଖାଦ୍ୟ ପ୍ରଦାନ କରିଥିଲେ। ହେଲେ ସେମାନଙ୍କ ଅର୍ଥକୁ ଦିଆ ନ ଯିବାରୁ ସେମାନେ ପ୍ରଥମେ ପୌରପାଳିକା, ପରେ ଉପଜିଲ୍ଲାପାଳ, ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ। କତ୍ତୃପକ୍ଷ ସେମାନଙ୍କ ଦୁଃଖ ନ ଶୁଣିବାରୁ ନଗର ଓ ଗୃହ ଉନ୍ନୟନ ବିଭାଗକୁ ଚିଠି କରିଥିଲେ। ଏହାର ପ୍ରତିଉତ୍ତରରେ ଜିଲ୍ଲାପାଳଙ୍କୁ ଅର୍ଥ ଦେବାକୁବିଭାଗର ଯୁଗ୍ମ ସଚିବ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶକୁ ମାସଟିଏ ବିତିଥିବାବେଳେ ଏହି ଅର୍ଥ ଏହି ଏସଏସଜିଙ୍କୁ କାହିଁକି ଦିଆଯାଉ ନ ଥିଲା ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। କାହିଁକି ଏହି ଏସଏସଜିର ଅର୍ଥକୁ ରୋକାଯାଇଛି ତାହାର ତଦନ୍ତ ଅବାଶ୍ୟକ ବୋଲି ସେମାନେବ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର