କୋରାପୁଟ: ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ପଛୁଆ କୋରାପୁଟ ଜିଲ୍ଲା। ଜିଲ୍ଲାରେ ଥିବା ୧୪ଟି ବ୍ଲକ, ୩ଟି ପୌରାଂଚଳ, ଗୋଟିଏ ବିଞାପିତ ପରିଷଦ ଅଂଚଳରେ ୧୩ଲକ୍ଷରୁ ଊର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି। ସେବା ଯୋଗାଇବା ପାଇଁ ଧାର୍ଯ୍ୟ ୫୪୩ଟି ଡାକ୍ତର ରହିବା ସ୍ଥାନରେ ରହିଛନ୍ତି ୨୩୩ଜଣ। ପାରାମେଡିକାଲ ଓ ବୈଷୟିକ କର୍ମଚାରୀ ବି ଅଧାରୁ ଅଧିକ ଖାଲି ପଡିଛି। ପୁରୁଣା ସରକାର ଓ ନୂଆ ସରକାର କେବଳ ଭିତ୍ତିଭୂମି ଓ ଅନୁସଙ୍ଗିକ ସୁବିଧା ଓ ସୁଯୋଗ ସଜାଡ଼ିବାରେ ବ୍ୟସ୍ତ। ତେବେ ସେବା ଯୋଗାଇବାକୁ ଥିବା ଡାକ୍ତର, ପାରାମେଡ଼ିକାଲ ଓ ବୈଷୟିକ କର୍ମଚାରୀ ପଦବୀ ପୂରଣ କରିବା ଦିଗରେ ପ୍ରୟାସ ଯେଭଳି ହେବା କଥା ହେଉନି।
ଜିଲ୍ଲାବାସୀଙ୍କୁ ଉନ୍ନତ ଓଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ କୋରାପୁଟରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ, ଜୟପୁରରେ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ, ୧୬ଟି ସିଏଚସି, ୪ଟି ସହରାଂଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ୪ଟି ସହରାଂଚଳ ଆରୋଗ୍ୟ କେନ୍ଦ୍ର, ୪୭ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ୩୦୭ଟି ସ୍ବାସ୍ଥ୍ୟ ଉପକେନ୍ଦ୍ର ରହିଛି। ତେବେ ମେଡିକାଲ କଲେଜ ଓ ହସ୍ପିଟାଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ଆରମ୍ଭ କରି ସିଏଚସି ଓପିଏଚସି ଗୁଡିକରେ ୩୧୦ଟି ଡାକ୍ତର ପଦବୀ ଖାଲି ପଡିଛି।
୨୦୧୭ ନଭେମ୍ବର ମାସରେ ଏହି ମେଡିକାଲ କଲେଜ ଆରମ୍ଭ ହୋଇଥିବା ବେଳେ ୮ବର୍ଷ ପରେ ବି ଡାକ୍ତର ଓ ପାରା ମେଡିକାଲ କର୍ମଚାରୀଙ୍କ ଅଭାବ ଲାଗି ରହିଛି। ପିଜି ପାଠ୍ୟକ୍ରମ ଖୋଲି ପାରୁନି। ଏଠାରେ ଧାର୍ଯ୍ୟ ୮୯୨ଜଣ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ସ୍ଥାନରେ ରହିଛନ୍ତି ୫୧୯ଜଣ। ୨୧ଜଣ ପ୍ରଫେସର ରହିବା ସ୍ଥାନରେ ରହିଛନ୍ତି ୧୮ଜଣ। ଆସୋସିଏଟ୍ ପ୍ରଫେସର ୨୯ଜଣଙ୍କ ସ୍ଥାନରେ ରହିଛନ୍ତି ୨୧ଜଣ। ୪୯ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସ୍ଥାନରେ ୪୬ଜଣ ରହିଛନ୍ତି। ୩୯ଜଣ ସିନିୟର ରେସିଡେଣ୍ଟଙ୍କ ସ୍ଥାନରେ ରହିଛନ୍ତି ମାତ୍ର ୫ଜଣ।
ଗତ ୨୦୧୮ମସିହାରେ କୋରାପୁଟରୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଜୟପୁରକୁ ସ୍ଥାନାନ୍ତର ହୋଇଥିଲା। ଡିଏଚଏଚରେ ୧୩୧ଜଣ ଡାକ୍ତର ରହିବା ସ୍ଥାନରେ ଡିଏମଓ ଓ ସୁପରିଟେଣ୍ଡଣ୍ଟ ଆଦିଙ୍କୁ ମିଶାଇ ଏବେ ରହିଛନ୍ତି ୪୨ଜଣ। ସେହିପରି ଜିଲ୍ଲାରେ ୩୧୦ଜଣ ଡାକ୍ତର, ୬ଜଣ ଦନ୍ତ ବିଶେଷଞ,୬୧ଜଣ ଆୟୁଷ ଡାକ୍ତର ପଦବୀ ଖାଲି ପଡିଛି। ୯୨୧ଜଣ ଷ୍ଟାଫନର୍ସ ସ୍ଥାନରେ ୩୩୮ ରହିଛନ୍ତି।
ସେହିପରି ୧୨୨ଜଣ ଫାର୍ମାଶିଷ୍ଟଙ୍କ ସ୍ଥାନରେ ୭୯,୧୯ଜଣ ରେଡିଓଗ୍ରାଫରଙ୍କ ସ୍ଥାନରେ ୧୨,୫୨ଜଣ ଲ୍ୟାବ ଟେକ୍ନିସିଆନଙ୍କ ସ୍ଥାନରେ ୨୭ଜଣ, ଏମପିଏଚଡବ୍ଲୁ ପୁରୁଷ ୪୨୦ସ୍ଥାନରେ ୧୫୪, ଏମପିଏଚଡବ୍ଲୁ ମହିଳା ୫୬୨ସ୍ଥାନରେ ୪୫୦, ଏମପିଏଚଏସ୍ ପୁରୁଷ ୯୪ସ୍ଥାନରେ ୩୫, ଏମପିଏଚଏସ୍ ମହିା ୧୨୬ସ୍ଥାନରେ ୨୦ଜଣ ରହିଛନ୍ତି। ୨ ପ୍ରମୁଖ ଡାକ୍ତରଖାନାର ଅବସ୍ଥା ସହ ଜିଲ୍ଲାର ଡାକ୍ତରଖାନା ଗୁଡିକର ଅବସ୍ଥା ଏଭଳି ରହିବା ଫଳରେ ଏହାର ସିଧାସଳଖ ନକରାତ୍ମକ ପ୍ରଭାବ ପଡୁଛି ସ୍ବାସ୍ଥ୍ୟସେବା ଉପରେ। ତା ସାଙ୍ଗକୁ ବରିଷ୍ଟ ଡାକ୍ତର ମାନେ ସିଡିଏମଓ, ଏଡିଏମଓ, ମେଡିକାଲ କଲେଜ ସୁପରିଟେଣ୍ଡଣ୍ଟ, ଡିନ, ଡିଏମଓ ଭଳି ପଦବୀ ସମ୍ଭାଳିବା ସହ ମାତୃସ୍ବାସ୍ଥ୍ୟ, ଶିଶୁ ସ୍ବାସ୍ଥ୍ୟ, ଏସଏନସିୟୁ, ପୁଷ୍ଟି ପୁର୍ନବାସ କେନ୍ଦ୍ର, ରାଷ୍ଟ୍ରୀୟ ବାଳ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ, ମ୍ୟାଲେରିଆ ,ଯକ୍ଷ୍ମା , ଅନ୍ଧତ୍ବ ନିୟନ୍ତ୍ରଣ, ଏଡସ୍, ଅଣ ସଂକ୍ରମତି ରୋଗ ବିଭାଗ ସହ ବ୍ଲଡ୍ ବ୍ୟାଙ୍କ ଆଦିର ଦାୟିତ୍ବରେ ରହି ପରିଚାଳନା କରୁଛନ୍ତି।
ଏହି ସ୍ଥିତିରେ ଜିଲ୍ଲାରେ ସ୍ବାସ୍ଥ୍ୟ ସେବା କିଭଳି ଚାଳିଥିବ ତାହା ସହଜେ ଅନୁମେୟ। ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବାର ପାଇଦା ଉଠାଇବା ପାଇଁ ସ୍ଥାନୀୟ ଓ ଆନ୍ଧ୍ରର ସ୍ବାସ୍ଥ୍ୟ ଦଲାଲ ମାନେ ଜାଗ୍ରତ ହୋଇ ପଡ଼ିଛନ୍ତି। ଜୟପୁର, କୋରାପୁଟ, ସେମିଳିଗୁଡା, ବୋରିଗୁମ୍ମା ଆଦି ସହରରେ ବିଭିନ୍ନ ମେଡିକାଲ ଷ୍ଟୋରରେ କ୍ଲିନିକ୍ ଖୋଲି ଚିକିତ୍ସା ସେବା ଯୋଗାଇବା ଏବଂ ବହୁ ରୋଗୀଙ୍କୁ ରେଫରାଲ କରିବା ପ୍ରକ୍ରିୟା ଜାରୀ ରହିଛି।