କୋରାପୁଟ: କୋଟିଆ ଗ୍ରାମପୁଞ୍ଜକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ବର୍ତ୍ତମାନ ଆନ୍ଧ୍ରର ଦଲାଲମାନେ ପଟ୍ଟାଙ୍ଗି ବ୍ଲକର ଆଉ ଏକ ଗାଁ ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି। ଦଲାଲମାନେ ତଳଗୋଲୁର ପଞ୍ଚାୟତର ଦରମପାଡ଼ୁ ଗ୍ରାମର ୨୦ଟି ପରିବାରକୁ ଆରକୁରେ ଥଇଥାନ କରିବାକୁ ଯୋଜନା କରିଛନ୍ତି। ଆନ୍ଧ୍ର ପକ୍ଷରୁ ସମସ୍ତ ସୁବିଧା ପ୍ରଦାନ କରାଯିବ ବୋଲି ଦଲାଲମାନେ ଏହି ୨୦ଟି ପରିବାରକୁ ପ୍ରଲୋଭିତ କରିଥିବା ଜଣା ପଡ଼ିଛି। ଅନ୍ୟପଟେ ଓଡ଼ିଶା ସରକାରଙ୍କ ପକ୍ଷରୁ କୌଣସି ସୁବିଧା ମିଳୁ ନଥିବା ଅଭିଯୋଗ କରି ଆନ୍ଧ୍ରରେ ମିଶିବା ନେଇ ଏହି ୨୦ଟି ପରିବାର ଏକ ବୈଠକ କରି ନିଷ୍ପତ୍ତି ନେଇଛନ୍ତି।
/sambad/media/post_attachments/wp-content/uploads/2022/05/bf6d786f-eec7-41cf-a36d-848f01456934.jpg)
ସୂଚନା ଅନୁଯାୟୀ, ଆନ୍ଧ୍ରର ଆରକୁ ଭ୍ୟାଲିକୁ ଲାଗି ରହିଥିବା ଦରମପାଡ଼ୁ ଗ୍ରାମରେ ୨୦ଟି ପରିବାର ବହୁ ବର୍ଷ ହେଲା ରହି ଆସୁଛନ୍ତି। କିନ୍ତୁ ଅଦ୍ୟାବଧି ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି। ଗାଁକୁ ରାସ୍ତା ନଥିବା ବେଳେ ପାନୀୟ ଜଳ ବ୍ୟବସ୍ଥା ନାହିଁ। ଏପରିକି ମୁଣ୍ଡ ଗୁଞ୍ଜିବା ପାଇଁ ପକ୍କାଘର ନାହିଁ। ପଟ୍ଟାଙ୍ଗି ବ୍ଲକ କିମ୍ବା କୋରାପୁଟ ଜିଲ୍ଲା ପ୍ରଶାସନ ଗ୍ରାମବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାର ସୁଯୋଗ ନେଇ ଆନ୍ଧ୍ରର କିଛି ଦଲାଲ ଏହି ଗାଁରେ ପହଞ୍ଚି ଗ୍ରାମବାସୀଙ୍କୁ ଆନ୍ଧ୍ରରେ ମିଶିବା ପାଇଁ ପ୍ରବର୍ତ୍ତାଉଥିବା ଜଣା ପଡ଼ିଛି। ଆନ୍ଧ୍ର ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ କହି ଦଲାଲମାନେ ଗ୍ରାମବାସୀଙ୍କୁ ପ୍ରଲୋଭିତ କରି ଆସୁଛନ୍ତି। ଆରକୁରେ ସମସ୍ତଙ୍କୁ ଥଇଥାନ କରିବାକୁ ଦଲାଲମାନେ ଯୋଜନା କରୁଛନ୍ତି। ଅନ୍ୟପଟେ ଗ୍ରାମବାସୀଙ୍କ ସମସ୍ୟା ପ୍ରତି କୋରାପୁଟ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଉ ନଥିବାରୁ ଗତକାଲି ଏହି ଗାଁରେ ଏକ ବୈଠକ ବସିଥିଲା। ଗ୍ରାମରେ ଥିବା ୨୦ଟି ପରିବାର ଆନ୍ଧ୍ରରେ ମିଶିବାକୁ ବୈଠକରେ ନିଷ୍ପତ୍ତି ନେବା ସହ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଆନ୍ଧ୍ର ପ୍ରଶାସନକୁ ଭେଟିବା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିବା ଜଣା ପଡ଼ିଛି।
ଏହି ଖବର ପାଇବା ପରେ ତଳଗୋଲୁର ସରପଞ୍ଚ ବଳଦାବାଇ ନିଲାମ ଓ ସମିତି ସଭ୍ୟ ରାମ ମାରି ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରୁଥିବା ଜଣା ପଡ଼ିଛି। ବେଳ ଥାଉ ଥାଉ ଯଦି ରାଜ୍ୟ ସରକାର ତଥା କୋରାପୁଟ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକରେ ତେବେ ଦରମପାଡ଼ୁ ଗ୍ରାମରେ କୋଟିଆ ଗ୍ରାମପୁଞ୍ଜ ଭଳି ସମସ୍ୟା ଉପୁଜିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/efe17a43-c687-452b-8fb1-fded828ce7d7.jpg)