ବିଲ୍‌ଡରଙ୍କୁ ଅପହରଣ କରି ୩ ଗିରଫ, ମୁଣ୍ଡ ଜାମିନ ରଖି ୩୦ ଲକ୍ଷ ମାଗୁଥିଲେ, କାର୍ ସହ ଟଙ୍କା ଓ ମାରଣାସ୍ତ୍ର ଜବତ

କୋରାପୁଟ/ସେମିଳିଗୁଡ଼ା : ଜଣେ ବିଲ୍‌ଡରଙ୍କୁ ଅପହରଣ ପରେ ମୁଣ୍ଡଜାମିନ ରଖି ୩୦ ଲକ୍ଷ ଟଙ୍କା ଦାବି କରୁଥିବା ତିନି ଜଣ ଅପହର୍ତ୍ତାଙ୍କୁ ସେମିଳିଗୁଡ଼ା ପୁଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ଅପହରଣରେ ବ୍ୟବହୃତ କାର୍, ୪ଟି ମୋବାଇଲ୍ ଫୋନ୍ ଓ ନଗଦ ୩୦,୬୧୦ ଟଙ୍କା ଜବତ କରିଥିବା ସୁନାବେଡ଼ା ଏସ୍‌ଡିପିଓ ନିରଂଜନ ବେହେରା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସେମିଳିଗୁଡ଼ା ଥାନା କୈଳାସନଗରରେ ରହୁଥିବା ବିଲଡର୍ ରିତୁ ସାହୁଙ୍କୁ ଗତ ଜାନୁଆରି ୨୨ ତାରିଖ ଦିନ ୮ଜଣ ଅଜଣା ବ୍ୟକ୍ତି ପାକ୍‌ଝୋଲା ରାସ୍ତା ନିକଟରୁ ଏକ ମାରୁତି ଅଲ୍‌ଟୋ କାର୍‌କୁ ପଟାଙ୍ଗି ଥାନା ସିପାହୀପୁଟ ନିକଟରେ ପିସ୍ତଲ୍ ଦେଖାଇ ୩୦ ଲକ୍ଷ ଟଙ୍କା ମାଗିଥିଲେ। ରିତୁଙ୍କ ଅନୁରୋଧ କ୍ରମେ ଶେଷରେ ଅପହରଣକାରୀ ୫ଲକ୍ଷ ଟଙ୍କାରେ ରାଜି ହେବା ସହ ଘଟଣା ଦିନ ରାତି ୮ଟାରେ ସେମାନେ ରିତୁକୁ ରାଣିକଣା ଛକକୁ ନେଇଥିଲେ। ରିତୁ ରାଜମିସ୍ତ୍ରି ଶଙ୍କର ସାହୁଙ୍କ ଜରିଆରେ ସେମିଳିଗୁଡ଼ାର ମଣ୍ଟୁ ନାମକ ଜଣେ ବ୍ୟବସାୟୀଙ୍କଠାରୁ ୫ଲକ୍ଷ ଟଙ୍କା ମଗାଇ ଅପହରଣକାରୀଙ୍କୁ ଦେଇଥିଲେ। ୫ ଲକ୍ଷ ଟଙ୍କା ନେବା ପରେ ଅପହରଣକାରୀମାନେ ଜାନୁଆରି ୨୭ରେ ପୁଣି ୧୫ ଲକ୍ଷ ଟଙ୍କା ଦେବାକୁ କହିବା ସହ ଘଟଣା ସମ୍ପର୍କରେ ପ୍ରଘଟ କଲେ ଜୀବନରେ ମାରି ଦେବାକୁ ଧମକ ଦେଇ ଛାଡ଼ିଥିଲେ। ଏଥିରେ ଭୟଭୀତ ହୋଇ ରିତୁ ସାହୁ ନିଜ ପୈତୃକ ଗ୍ରାମକୁ ଚାଲି ଯାଇଥିଲେ। କିନ୍ତୁ କିଛି ଦିନ ପରେ ସେ ମାନସିକସ୍ତରରେ ପ୍ରସ୍ତୁତ ହୋଇ ଗତ ୨ ତାରିଖ ଦିନ ସେମିଳିଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ସେମିଳିଗୁଡ଼ା ପୁଲିସ୍ ୨୦/୨୦୨୦ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ଅପହର୍ତ୍ତାମାନଙ୍କୁ ଧରିବା ଲାଗି ସେମିଳିଗୁଡ଼ା ଥାନା ଅଧିକାରୀ ଧୀରେନ୍ଦ୍ର କୁମାର ବେହେରାଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା।

ଶେଷରେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ବିହାରର ବୈଶାଳୀ ଜିଲ୍ଲା ମୋହନପୁର ଗ୍ରାମର ସନ୍ତୋଷ ରୟ, ସେମିଳିଗୁଡା ଥାନା କଂଟାଗୁଡା ଗ୍ରାମର ପଦ୍ମନ ପାଙ୍ଗି ଏବଂ ପଟ୍ଟାଙ୍ଗୀ ଥାନା ଗାଙ୍ଗରାଜପୁର ଗ୍ରାମର ଅଜିତ ପେଦାପାଲ୍ଲିକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଏକ ମାରୁତି ଅଲ୍‌ଟୋ କାର୍(ଓଆର୍-୧୫-ଏଚ୍-୫୮୭୯, ପ୍ଲାଷ୍ଟିକ ଦଉଡି, ଲୁହାଛଡ, ଛୁରା, କଳା କପଡା, ୪ଟି ମୋବାଇଲ୍ ଫୋନ୍, ୩୦,୬୧୦ ଟଙ୍କା, ଭୋଟ ପରିଚୟ ପତ୍ର, ଆଧାର କାର୍ଡ ଓ ଏଟିଏମ୍ କାର୍ଡ ଜବତ କରିଛି। ଏହି ମାମଲାରେ ଆଉ କିଛି ଅଭିଯୁକ୍ତଙ୍କ ସଂପୃକ୍ତି ରହିଥିବା ‌ବେଳେ ସେମାନଙ୍କୁ ଗିରଫ କରାଯିବ ବୋଲି ଏସ୍‌ଡିପିଓ ନିରଂଜନ ବେହେରା ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସେମିଳିଗୁଡା ଥାନା ଅଧିକାରୀ ଧୀରେନ୍ କୁମାର ବେହେରା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର