ଜୟପୁର :  ପାଣିଘେରରେ ୪ଟି ଗାଁ, ପୁନଃଥଇଥାନ ଦାବି କଲେ ୩୫୦ ପରିବାର

ଜୟପୁର : ଉପର କୋଲାବ ପ୍ରକଳ୍ପ ତିଆରି ହେବାବେଳେ ସର୍ବସ୍ବ ଦେଇଦେଲେ। ପୁରୁଷ ପୁରୁଷ ଧରି ଖଟି ଖଟି ବୁଢା ହୋଇଗଲେ କିନ୍ତୁ ଏବେଯାଏ ସର୍ବନିମ୍ନ ସୁବିଧା ମିଳିଲାନି। ମୌଳିକ ସୁବିଧା ପାଇଁ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟର ଦ୍ବାରସ୍ଥ ହୋଇଛନ୍ତି ବିସ୍ଥାପନ ଦୁଃଖ ସହିଥିବା ୩୫୦ ଟି ପରିବାରର ପ୍ରାୟ ୧୬୦୦ ଲୋକ। ଏବେ ବି ଏହି ଗାଁ ଜଳବନ୍ଦୀ ଭାବେ ରହିଥିବାବେଳେ ଛୋଟିଆ ରାସ୍ଥା ହିଁ ଏକ ମାତ୍ର ଭରସା। ପୁନଃଥଇଥାନ ଦାବିରେ ଉପଜିଲ୍ଲାପାଳ ହେମକାନ୍ତ ସୟଙ୍କୁ ଭେଟିଛନ୍ତି ଜୟପୁର ବ୍ଲକ ବାରିଣିପୁଟ ପଞ୍ଚାୟତ ଅନ୍ତର୍ଗତ ୪ଟି ଗାଁ। ପଞ୍ଚାୟତର ସ୍ପିଲୱେଲ କଲୋନୀ, ଓସିସି କଲୋନୀ, ସିମେଣ୍ଟ ଷ୍ଟୋର କଲୋନୀ ଓ ଟିକିରିଆ ସାହିର ଶହ ଶହ ପରିବାର ଆଜି ଉପଜିଲ୍ଲାପାଳଙ୍କୁ ଭେଟି ଦାବି ଉପସ୍ଥାପନ କରିଛନ୍ତି। ଏହି ଗାଁର ରାଜେଶ ଦୋରା, ଟଙ୍କଧର ହରିଜନ, ସାମସନ ଭତ୍ରା, ଦୂର୍ଗା ଖରା, ବିପିନ ନାଇକ, ଦେବରାଜ ଖୋସଲା ଓ ଉଦୟ କନ୍ଧପାଣ ପ୍ରମୁଖ ସାହିର ପ୍ରତନିଧି ଭାବେ ଉପଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଛନ୍ତି।

ତେବେ ଏହି ଗାଁରେ ଅଙ୍ଗନବାଡି କେନ୍ଦ୍ରଟି ଏ ନାହିଁ। କୋମଳମତି ଶିଶୁମାନେ ଏହି ପ୍ରାକ ବିଦ୍ୟାଳୟ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି। ୭ ବର୍ଷ ହେଲା ଏହି ୪ଟି ଗାଁର ଲୋକେ ଅଙ୍ଗନବାଡିଟିଏ ପ୍ରତିଷ୍ଠା କରିବାକୁ ବିଡିଓ, ଉପଜିଲ୍ଲାପାଳ, ଜିଲ୍ଲାପାଳ, ଆଇସିଏଡିଏସ, ବିଧାୟକ ଓ ସାଂସଦଙ୍କୁ ଜଣାଇଥିବାବେଳେ କିଛି ସୁଫଳ ମିଳିପାରିନାହିଁ । ଏହାସହ ଏହିଠାରେ ଏକ ପ୍ରାଥମିକ ବିଦ୍ୟାଳୟ ରହିଥିବାବେଳେ ପିଲାମାନେ ପ୍ରକଳ୍ପର ହାତଟେକାରୁ ଯାହା ମିଳୁଛି ସେଥିରେ ସ୍କୁଲ ଚାଲୁଥିବା ଜଣାପଡିଛି। ସେପରି କୌଣସି ସୁବିଧା ନ ଥିବାରୁ ନିକଟରେ ରହିଥିବା ସ୍କୁଲକୁ ଯାଇ ପଢୁଥିବା ଜଣାପଡିଛି। ସେହିପରି ଗାଁକୁ ପାଇପପାଣି ନ ଥିବାବେଳେ ନଳକୂପ ହିଁ ଭରଷା। ଏହି ଗାଁରେ ବର୍ଷାଦିନେ ଯେମିତି ସେମତି ପାଣି ପାଣି ଚଳିଯାଉଥିବାବେଳେ ଖରାଦିନ ହେଲେ ନଳକୂପ ଶୁଖିଯାଉଥିବାରୁ ପାୱାର ପ୍ଲାଣ୍ଟକୁ ଆସି ପାଣି ନେଇଥାନ୍ତି। ତେବେ ଏହି ଗାଁରେ ରହୁଥିବା ସବୁ ପରିବାରକୁ ଏବେ ଯାଏ ବିଦ୍ୟୁତ ମିଳିପାରି ନାହିଁ । ଏହା ପ୍ରକଳ୍ପରେ ଯାଉଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଆବାସ ଯୋଜନା ଅପହଞ୍ଚ ହୋଇ ରହିଛି। ତେବେ ସେମାନଙ୍କୁ ଅନ୍ୟ କେଉଁଠାକୁ ପୁନଃଥଇଥାନ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି। ଏହି ଦାବି ଦୀର୍ଘଦିନ ଧରି ଚାଲିଥିବାବେଳେ ତହସିଲଦାରଙ୍କ ପକ୍ଷରୁ ଏହାର ତଦନ୍ତ କରିଥିଲେ।

ଏନେଇ ଉପଜିଲ୍ଲାପାଳ ହେମକାନ୍ତ ସୟ କହିଛନ୍ତି ଯେ ଏହି ଗାଁର ପ୍ରାୟ ୧୬୦୦ ଲୋକଙ୍କୁ  ସର୍ବନିମ୍ନ ସୁବିଧା ମିଳୁ ନ ଥିବା ଦାବି କରିବାରୁ ରାଜସ୍ବ ନରିକ୍ଷକ ଓ ତହସିଲଦାରଙ୍କ ପକ୍ଷରୁ ଯୁଗ୍ମ ତଦନ୍ତ କରାଯାଇଥିଲା। ତେବେ ଏହିଠାରେ ରହୁଥିବା ଅଧିବାସୀମାନେ ଉପର କୋଲାବ ପ୍ରକଳ୍ପରେ କାର୍ଯ୍ୟକରି ଅବସର ନେଇ ସାରିଛନ୍ତି। ଏବେ କଲୋନୀଗୁଡିକରେ ଏହି ଲୋକେ ରହୁଛନ୍ତି, ତେଣୁ ସେମାନଙ୍କୁ ସୁବିଧା ମିଳିପାରୁନାହିଁ। ଏହି ଅଞ୍ଚଳଗୁଡିକର ସମସ୍ୟା ନେଇ ପ୍ରକଳ୍ପର ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଯାଇଛି। ଯଦି ସେମାନେ କିଛି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ସେମାନଙ୍କୁ ପୁନଃଥଇଥାନ କରାଯିବାକୁ ବ୍ୟବସ୍ଥା କରାଯିବ କି ସର୍ବନିମ୍ନ ସୁବିଧା ଯୋଗାଇ ଦିଆଯିବ ତାହା ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ତେବେ ଏବେ ୩୫୦ଟି ପରିବାରକୁ କେଉଁଠାକୁ ସ୍ଥାନାନ୍ତର କରି ଅବସ୍ଥାପନ କରାଯିବ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଏତେ ସଂଖ୍ୟକ ପରିବାରକୁ କେଉଁଠି ପୁନଃତଇଥାନ କରାଯିବ ତାହାକୁ ନେଇ ଜିଲ୍ଲା ପ୍ରଶାସନର ମଧ୍ୟ ଚିନ୍ତା ବଢିଯାଇଛି ।

ସମ୍ବନ୍ଧିତ ଖବର