ଜୟପୁର: କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ସିରିଜ୍ ଛିନତାଇ ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ୪ ଅଭିଯୁକ୍ତ ହେଲେ ନରେନ୍ଦ୍ର ମାଛା, ଅଭି ହରିଜନ, ହେମନ୍ତ ନାଗ ଓ ସୁବାସ ହରିଜନ। ଏମାନଙ୍କ ଠାରୁ ୪ଟି ସୁନା ଚେନ୍ ଗୋଟିଏ ମୋଟର ସାଇକେଲ୍, ୪ଟି ବମାବାଇଲ୍ ଓ ମାସ୍କ ଜବତ ହୋଇଛି। ଏମାନେ ସମସ୍ତେ କୋରାପୁଟ ଜିଲ୍ଲାର ବାସିନ୍ଦା ବୋଲି ଜଣାଯାଇଛି। ଏନେଇ ଆଜି କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ପୁଲିସ ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

Advertisment

ଉଲ୍ଲେଖଯୋଗ୍ୟ, ଗତ ୨୯ ତାରିଖରେ ଜୟପୁର ପ୍ରସାଦ ରାଓ ପେଟା ଚତୁର୍ଥ ଲେନର ଭି.ଜୟଲକ୍ଷ୍ମୀଙ୍କ ବେକରୁ ପ୍ରସାଦ ରାଓ ପେଟା କୁମ୍ଭାର ସାହି ଛକରୁ ତିନି ଜଣ ଦୁର୍ବୃତ୍ତ ସୁନା‌ ଚେନ୍ ଲୁଟି  ନେଇଥିବା ଜୟପୁର ଟାଉନଥାନାରେ ଅଭିଯୋଗ ହୋଇଥିଲା। ଟାଉନଥାନା ଅର୍ନ୍ତଗତ ପ୍ରସାଦରାଓ ପେଟା ଚତୁର୍ଥ ଲେନର ଭି.ଜୟଲକ୍ଷ୍ମୀଙ୍କ ଘରକୁ ତାଙ୍କ ବିବାହିତ ଝିଅ ବୁଲିବାକୁ ଆସିଥିଲେ। ଝିଅ ତାଙ୍କ ଶ୍ବଶୁର ଘରକୁ ନେବା ପାଇଁ ମିଠା ବରାଦ ଦେବାକୁ ଜୟଲକ୍ଷ୍ମୀ କୁମ୍ଭାର ସାହି ଯାଇ‌ ଫେରୁଥିଲେ।

ପ୍ରସାଦରାଓ ପେଟା କୁମ୍ଭାରସାହି ଛକ ନିକଟରେ ତିନି ଜଣ ଦୁର୍ବତ୍ତ ଗୋଟିଏ ବାଇକରେ ତାଙ୍କୁ ଅତିକ୍ରମ କରିଥିଲେ। ସେମାନେ ତାଙ୍କ ବେକରୁ ଅତି ସନ୍ତର୍ପଣର ସହ ସୁନା‌ ଚେନ୍ ଟାଣି ନେଇଥିଲେ। ସେ ଏସଂପର୍କରେ ଜାଣିବି ପାରି ନଥି‌ଲେ। ତାଙ୍କୁ ଅତିକ୍ରମ କରିବା ସମୟରେ ଉକ୍ତ ବାଇକରେ ବସିଥିବା ଦୁର୍ବତ୍ତ ମାନେ ତାଙ୍କୁ ସୁନାଚେନ୍ ଦେଖାଇଥିଲେ। ଏହା ପରେ ସେ ଜାଣି ପାରି ଚିଲ୍ଲେଇଥିଲେ। ତେବେ ଦ୍ରୁତଗତିରେ ଏମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ୪ତୋଳାର ସୁନାଚେନ୍ ଲୁଟ୍ ହୋଇଥିବା ଜୟଲକ୍ଷ୍ମୀ କହିଛନ୍ତି। ଜୟଲକ୍ଷ୍ମୀ ଏ ନେଇ ଟାଉନଥାନାକୁ ସୂଚନା ଦେବା ପରେ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର, ଏସ୍ ଆଇ ବିଷ୍ଣୁଚରଣ ବେହେରା, ଏଏସଆଇ ବିଷ୍ଣୁ ମାଡକାମୀ ଘଟଣାସ୍ଥଳରେ ପହଚିଂ ତଦନ୍ତ ଆରମ୍ଭ କରିଥିଲେ। ପୁଲିସ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯିବା ପରେ ୪ଜଣଙ୍କୁ ଧରିବାରେ ସଫଳତା ମିଳିଥିଲା।