ଲକ୍ଷ୍ମୀପୁର: ଚଳନ୍ତା ଟ୍ରେନରୁ ଡେଇଁ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଗୁରୁତର

ଲକ୍ଷ୍ମୀପୁର: ଚଳନ୍ତା ଟ୍ରେନରୁ ଡେଇଁ ଶୁକ୍ରବାର ଜଣେ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକରେ ଥିବା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ରାଧିକା ହିକକାଙ୍କ ଘର ନିଶା ଗ୍ରାମରେ। ଏଠାରୁ ସେ ୨୨ କିଲୋମିଟର ଦୂର ଗୌଡ଼ଗୁଡ଼ା ଠାରେ ଥିବା ଆଦର୍ଶ ବିଦ୍ୟାଳୟକୁ ନିଶାର ଗ୍ରାମର ୪ ଜଣ ଛାତ୍ରଙ୍କ ସହିତ ୪ ଜଣ ଛାତ୍ରୀ ପ୍ରତିଦିନ ହୀରାଖଣ୍ଡ ଏକ୍ସପ୍ରେସରେ କାକିରିଗୁମା ଯାଇ ସେଠାରେ ଓହ୍ଲାଇ ସ୍କୁଲକୁ ଯାଇଥାନ୍ତି।

ତେବେ ହୀରାଖଣ୍ଡ ଏକ୍ସପ୍ରେସ କିଛିଦିନ ହେବ ବିଳମ୍ବରେ ଆସୁଛି ଏବଂ ଶୁକ୍ରବାର ଅନ୍ୟ କେହି ସହପାଠିନୀ ଟ୍ରେନରେ ନଥିଲେ। ଫଳରେ ଶୀଘ୍ର ପହଞ୍ଚିବା ପାଇଁ ଛାତ୍ରୀ ଜଣକ ରାଉରକେଲା ଠାରୁ କୋରାପୁଟ ଯାଉଥିବା ଇଣ୍ଟରସିଟି ଏକ୍ସପ୍ରେସ ଯୋଗେ ରାଧିକା ଚଢ଼ିଥିଲା। ସେ ଜାଣି ନଥିଲା ଯେ, କାକିରିଗୁମା ଠାରେ ତାର ଷ୍ଟପେଜ ନାହିଁ। ତେଣୁ ସେ ବ୍ୟସ୍ତ ହୋଇ ଡେଇଁ ପଡିଥିଲା। ଘଟଣା ସଂପର୍କରେ ଅବଗତ ହେବା ପରେ ଆଦର୍ଶ ବିଦ୍ୟାଳୟର ଶିକ୍ଷକମାନେ ଲକ୍ଷ୍ମୀପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ଛାତ୍ରୀକୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

 

ସମ୍ବନ୍ଧିତ ଖବର