ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ ଓଡ଼ିଶା ଦଳରେ ସାମିଲ ହୋଇଛନ୍ତି ଜୟପୁରର ଆଦିତ୍ୟ

 ଜୟପୁର : ଆସନ୍ତା ଜାନୁଆରି ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବିସିସିଆଇର ଘରୋଇ ପ୍ରତିଯୋଗିତା ସୟଦ ମୁସ୍ତାକ ଅଲ୍ଲୀ ଟ୍ବେଣ୍ଟି-୨୦ ପାଇଁ ଗୁରୁବାର ୨୦ ଜଣିଆ ଓଡ଼ିଶା ଦଳ ଘୋଷିତ ହୋଇଛି ।  ଏହି ଘୋଷିତ ଦଳରେ ୯ ଜଣ ନୂଆ ମୁହଁ ସାମିଲ ହୋଇଛନ୍ତି। ଏଥିରେ ରହିଛନ୍ତି ଜୟପୁରର ଆଦିତ୍ୟ ରାଉତ । ଅନ୍ତଃଜିଲ୍ଲା ଟ୍ବେଣ୍ଟି-୨୦ରେ ପ୍ରଭାବୀ ପ୍ରଦର୍ଶନ ଦେଇଥିବା ଆଦିତ୍ୟ ପ୍ରଥମ ଥର ପାଇଁ ଟ୍ବେଣ୍ଟି-୨୦ ରାଜ୍ୟ ଦଳରେ ସାମିଲ ହୋଇଛନ୍ତି। ଆଦିତ୍ୟ ଜିଲ୍ଲାର ସୁନାମଧନ୍ୟ କ୍ରିକେଟ ଖେଳାଳୀ ବାବୁଲା ରାଉତଙ୍କ ପୁଅ ଏବଂ ସୁବାସ ରାଉତଙ୍କ ପୁତୁରା। ଆଦିତ୍ୟ ପରିବାରରେ ୨କ୍ରିକେଟ ଖେଳାଳୀଙ୍କୁ ଦେଖି ପିଲା ବେଳ ଠାରୁ କ୍ରିକେଟ ପ୍ରତି ଆକୃଷ୍ଟ ହୋଇଥିଲା। ପିଲା ବେଳରୁ ସବୁ ସମୟରେ ସେ କ୍ରିକେଟ ଖେଳି ଆସୁଥିଲେ। ଏପରିକି ୨୦୦୦ମସିହାରୁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ୧୪ବର୍ଷରୁ କମ୍ ଜିଲ୍ଲାସ୍ତରୀୟ ଚୟନ ବେଳେ ସେ ୧୦୦ରନ ସଂଗ୍ରହ କରି ଜିଲ୍ଲାଦଳରେ ସ୍ଥାନ ପାଇଥିଲେ। ସେଭଳି ସେ ୧୪ବର୍ଷରୁ କମ,୧୬ବର୍ଷରୁ କମ୍, ୧୯ବର୍ଷରୁ କମ୍ ଜିଲ୍ଲା ଦଳରେ ନିଜ ସ୍ଥାନ ହାସଲ କରିଥିଲେ। ୧୬ବର୍ଷରୁ କମ୍ ଦଳରେ ସ୍ଥାନ ପାଇ କେନ୍ଦୁଝରକୁ ୭୦ରନ ସଂଗ୍ରହ କରିଥିଲେ। ଏହା ସହ ୧୪ବର୍ଷରୁ କମ,୧୬ବର୍ଷରୁ କମ୍, ୧୯ବର୍ଷରୁ କମ୍ ଓଡିଶା ଦଳରେ ବି ଆଦିତ୍ୟ ସ୍ଥାନ ପାଇ ତାମିଲନାଡୁ, କର୍ଣ୍ଣାଟକ, ଆସାମ, କଲିକତା ଆଦି ସ୍ଥାନକୁ ଯାଇ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ। ୧୯ବର୍ଷରୁ କମ୍ ଓଡିଶା ଦଳରେ ସ୍ଥାନ ପାଇ ଆସାମରେ ସେ ବିହାର ବିପକ୍ଷରେ ୬୦ରନ ସଂଗ୍ରହ କରିଥିଲେ। ଗତ ୯ମାସ ହେବ ସେ ନିରାଶ ହୋଇ ପଡ଼ିଥିଲେ। ତେବେ ଅନ୍ତଃଜିଲ୍ଲା ଟ୍ବେଣ୍ଟି-୨୦ରେ ସେ ଭାଗ ନେଇ ନିଜ ମଧ୍ୟରେ ରହିଥିବା ଲୁକ୍କାୟିତ ପ୍ରତିଭାକୁ ପରିସ୍ପୁଟିତ କରି ଜିଲ୍ଲାର ନାଁକୁ ଗୌରାବାନ୍ବିତ କରିଛନ୍ତି। ଏଥିରେ ୫ଟି ମ୍ୟାଚରେ ସେ ୨୯୭ରନ ସଂଗ୍ରହ କରିବା ସହ ୬ଟି ୱିକେଟ୍‌ ହାସଲ କରିଥିଲେ।

ଏଥିରେ ପ୍ରଥମ ମ୍ୟାଚରେ କୋରାପୁଟକୁ ଖୋର୍ଦ୍ଧା ପରାସ୍ତ କରିଥିଲା। ଏହି ମ୍ୟାଚରେ  କୋରାପୁଟ ଦଳର ଅଲରାଉଣ୍ଡର ଆଦିତ୍ୟ ରାଉତ ମାତ୍ର ୫୬ଟି ବଲରେ ୧୪୨ରନ ସଂଗ୍ରହ କରିଛନ୍ତି। ଏଥିରେ ୧୭ଟି ଛକା, ୭ଟି ଚୈକା ସାମିଲ୍ ରହିଥିଲା। ଏହି ମ୍ୟାଚରେ ସେ ୩ଟି ୱିକେଟ୍ ବି ହାସଲ କରିଥିଲେ। ସେଭଳି ୨ୟ ମ୍ୟାଚଟି କଳାହାଣ୍ଡି ସହ ହୋଇଥିବା ବେଳେ ଏଥିରେ ସେ ୨ଟି ୱିକେଟ ହାସଲ କରିବା ସହ ୫୯ରନ ସଂଗ୍ରହ କରିଥିଲେ। ଗଂଜାମ ସହ ୫ରନ, ଇଷ୍ଟ କୋଷ୍ଟ ରେଲୱେ ସହ ୨୩ ଏବଂ ରାୟଗଡା ବିପକ୍ଷରେ ୨୯ଟି ବଲରେ ୬୯ରନ ସଂଗ୍ରହ କରିବା ସହ ଗୋଟିଏ ୱିକେଟ ହାସଲ କରିଥିଲେ। ଏଭଳି ସର୍ବମୋଟ ୫ଟି ମ୍ୟାଚରେ ୨୯୭ରନ ସଂଗ୍ରହ କରିବା ସହ ୬ଟି ୱିକେଟ୍ ହାସଲ କରି  ବିସିସିଆଇର ଘରୋଇ ପ୍ରତିଯୋଗିତା ସୟଦ ମୁସ୍ତାକ ଅଲ୍ଲୀ ଟ୍ବେଣ୍ଟି-୨୦ ୨୦ ଜଣିଆ ଓଡ଼ିଶା ଦଳରେ ସେ ନିଜ ସ୍ଥାନକୁ ସୁରକ୍ଷିତ କରିଛନ୍ତି। ଆଦିତ୍ୟ ‘ସମ୍ବାଦ’କୁ କହିଛନ୍ତି ଭାରତ ଦଳରେ ସ୍ଥାନ ପାଇବା ତାଙ୍କ ଲକ୍ଷ୍ୟ। ସ୍ଥାନ ପାଇ ସେ ଓଡ଼ିଶା, ନିଜ ଜନ୍ମମାଟି କୋରାପୁଟ ଜିଲ୍ଲା ଏବଂ ଜୟପୁରର ସ୍ଥାନକୁ ବିଶ୍ବସ୍ତରରେ ପହଚାଂଇବା ଲକ୍ଷ୍ୟ ।

ଓଡିଶାକୁ ଏଲିଟ୍‌ ଗ୍ରୁପ୍‌ରେ ରଖାଯାଇଥିଲା ବେଳେ ଏହି ଗ୍ରୁପ୍‌ରେ ବେଙ୍ଗଲ, ହାଇଦ୍ରାବାଦ, ତାମିଲନାଡୁ, ଝାଡ଼ଖଣ୍ତ, ଆସାମ ସ୍ଥାନ ପାଇଛନ୍ତି। ଏହି ଗ୍ରୁପ୍‌ର ସମସ୍ତ ମ୍ୟାଚ୍‌ କୋଲକାତାରେ ଖେଳାଯିବ। ଜାନୁଆରି ୧୦ ତାରିଖରେ ବେଙ୍ଗଲ, ୧୨ ତାରିଖରେ ହାଇଦ୍ରାବାଦ, ୧୪ ତାରିଖରେ ତାମିଲନାଡୁ, ୧୬ରେ ଝାଡ଼ଖଣ୍ତ, ୧୮ରେ ଆସାମ ବିପକ୍ଷରେ ଓଡ଼ିଶା ମ୍ୟାଚ୍‌ ଖେଳିବ। ଜାନୁଆରି ୨୬ ଓ ୨୭ ତାରିଖରେ କ୍ବାର୍ଟର ଫାଇନାଲ୍‌, ୨୯ ତାରିଖରେ ସେମି ଫାଇନାଲ୍‌ ଓ ୩୧ ତାରିଖରେ ପ୍ରତିଯୋଗିତାର ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ। ନକ୍‌ଆଉଟ ପର୍ଯ୍ୟାୟର ସମସ୍ତ ମ୍ୟାଚ୍‌ ଅହମ୍ମଦାବାଦ୍‌ରେ ଖେଳାଯିବ। ଓଡ଼ିଶା ଦଳ ୨ ତାରିଖ ସୁଦ୍ଧା କୋଲକାତାରେ ପହଞ୍ଚିବ। ସେ ଗତକାଲି ଭୁବନେଶ୍ବର ପହଂଚିଛନ୍ତି। କୋରାପୁଟପରି ଆଦିବାସୀ ଅଧ୍ୟୁଷିତ କୋରାପୁଟଜିଲ୍ଲାର ଆଦିତ୍ୟ ଓଡିଶା ଦଳରେ ସ୍ଥାନ ପାଇବା ଜିଲ୍ଲାପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ପୂର୍ବତନ କ୍ରୀଡାବିତ୍ ମାନେ କହିଛନ୍ତି। ଓସିଏ ପକ୍ଷରୁ ପ୍ରଥମ କରି ଅନ୍ତଃଜିଲ୍ଲା ଟ୍ବେଣ୍ଟି-୨୦ ପ୍ରତିଯୋଗିତା ଆୟୋଜନ ନିଶ୍ଚିତ ରୁପେ ବଣ ମଲ୍ଲୀ ଗୁଡିକ ବଣରେ ଫୁଟି ବଣରେ ଝଡିଯିବା ବଦଳରେ ବିଶ୍ବରେ ମହକିବେ ଏଥିରେ ଦ୍ବିମତ ନାହିଁ ବୋଲି ବହୁ କ୍ରୀଡାବିତ୍ ମାନେ  କହିଛନ୍ତି। ବିଭିନ୍ନ ମହଲରୁ ଆଦିତ୍ୟଙ୍କୁ ଶୁଭେଛା ଜ୍ଞାପନ କରିବା ସହ ସେ ନିଶ୍ଚିତ ରୁପେ ନିଜ ଲକ୍ଷ୍ୟରେ ସଫଳତା ହାସଲ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି।

 

ସମ୍ବନ୍ଧିତ ଖବର