ପୋଷ୍ୟ ସନ୍ତାନ କେନ୍ଦ୍ରରେ ଥିବା ଶିଶୁର ମୃତ୍ୟୁ

କୋରାପୁଟ: କୋରାପୁଟ ଜିଲ୍ଲା ଦଶମନ୍ତପୁର ପୋଷ୍ୟ ସନ୍ତାନ କେନ୍ଦ୍ରରେ ଥିବା ଜଣେ ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ଆଜି ଗୁରୁତର ଅବସ୍ଥାରେ ତାଙ୍କୁ କୋରାପୁଟ ମେଡିକାଲ କଲେଜର ଭର୍ତ୍ତି କରାଯାଇଥିଲା। ହେଲେ ଏଠାରେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିଲେ। ଏହି ଶିଶୁ କନ୍ୟା ୫ ମାସ ତଳେ ମାଲକାନ୍‌ଗିରି ଜିଲ୍ଲାରୁ ଉଦ୍ଧାର ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ୪ମାସ ହୋଇଥିଲାବେଳେ ଏହି ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଥିଲା। ପରେ ଶିଶୁ ମଙ୍ଗଳ କମିଟି ପରାମର୍ଶ ଅନୁସାରେ କୋରାପୁଟ ଜିଲ୍ଲା ଦଶମନ୍ତପୁରରେ ଥିବା ପୋଷ୍ୟ ସନ୍ତାନ କେନ୍ଦ୍ରରେ ରଖାଯାଇଥିଲା। ଏଠାରେ ପିଲାଟି ଥିବା ସମୟରେ ଗତକାଲି ତା’ର ଦେହ ଖରାପ ହୋଇଥିଲା। ତେଣୁ ତାକୁ ଦଶମନ୍ତପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥାରେ ସୁଧାର ନ ଆସିବାରୁ ଆଜି ଅପରାହ୍ନରେ କୋରାପୁଟ ମେଡିକାଲକୁ ଅଣା ଯାଇଥିଲା। ହେଲେ ଏଠାରେ ପହଞ୍ଚିବା ପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏଥିନେଇ ପୁଲିସ ପକ୍ଷରୁ ଛାନଭିନ ଆରମ୍ଭ ହୋଇଛି। ଆସନ୍ତାକାଲି ଏହି ଶିଶୁ କନ୍ୟାର ଶବ ବ୍ୟବଛେଦ ହେବ ବୋଲି ପୁଲିସ ସୁତ୍ରରୁ ଜଣାପଡିଛି।

ସମ୍ବନ୍ଧିତ ଖବର