କରୋନାର କରୁଣ କାହାଣୀ: ୬ମାସ ହେବ ଓଳିଏ ଖାଇଲେ ଓଳିଏ ଉପବାସ ରହୁଛନ୍ତି ଅଜିତଙ୍କ ପରିବାର

ଜୟପୁର: କରୋନା ପ୍ରଭାବରେ ବହୁ ଲୋକେ ପ୍ରଭାବିତ ହୋଇଛନ୍ତି। କେତେବେଳେ ସଟଡାଉନ, ଲକଡାଉନତ କେତେବେଳେ ଅନଲକ୍। ଏଥି ମଧ୍ୟରେ ବହୁ ମଧ୍ୟବିତ୍ତ, ନିମ୍ନମଧ୍ୟବିତ୍ତ ଶ୍ରେଣୀର ପରିବାର ଦୁର୍ଦିନର ସାମ୍ନା କରିଛନ୍ତି। କିଛି ଲୋକଙ୍କ ସ୍ଥିତି ଏପରି ହେଲାଣି ଯେ ଲୋକେ ଧାର ଉଧାର କରି ପରିବାର ଚଳାଉଛନ୍ତି।‌ ଲୋକଙ୍କ ପାଖରେ ସଂଚିତ ଥିବା ସବୁ ଟଙ୍କା ମଧ୍ୟ ସରିଲାଣି। ଏପରି କରେନା ତାଡନାରେ ବହୁ ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ସେହିଭଳି ଜଣେ ଛୋଟ ଗ୍ରାଜୁଏଟ୍ ପଡ଼ି ଚା’ ଦୋକାନ କରିଥିବା ଚା’ ଦୋକାନୀ କରୋନା ତାଡନାରେ ସଂପୁର୍ଣ୍ଣ ରୁପେ ଭାଙ୍ଗି ପଡ଼ିଛନ୍ତି। ସ୍ଥାନୀୟ ଗାନ୍ଧୀଛକରେ ଥିବା ମୁଖ୍ୟ କେନାଲ ପାର୍ଶ୍ବରେ ଛୋଟିଆ ଭାଡିରେ ଚା’ ଏବଂ ଗ୍ୟାସ ଦିଆ ଲେମ୍ବୁ ସୋଡ଼ା ବିକ୍ରୀ କରୁଥିବା ଅଜିତ ପଣ୍ଡା।

ଏହି ଦୋକାନରୁ ଯାହା ରୋଜଗାର କରିଥାନ୍ତି ସେଥିରୁ ସଖୁସିରେ ନିଜ ପରିବାର ଚଳାଇଥାନ୍ତି। କଳାରେ ଗ୍ରାଜୁଏସନ୍ ପାଠ ପଡ଼ିବା ପରେ ବହୁ ସରକାରୀ କର୍ମସଂସ୍ଥାନ ପାଇଁ ଧାଇଁ ଧାଇଁ ହାଲିଆ ହେବା ପରେ ବି ଚାକିରୀରୁ ବଞ୍ଚିତ ହୋଇଥିଲେ ସେ।। ତଥାଫି ସେ ଏହାକୁ ନେଇ ଦୁଃଖ ନ କରି ନିଜ ଭାଗ୍ୟକୁ ଆଦରି ପରିବାର ଚଳାଇ ଆସୁଥିଲେ। ଏଭଳି ପରିସ୍ଥିତିରେ ପୁଅକୁ ବ୍ରହ୍ମପୁରରେ ଫାର୍ମାସୀ ଏବଂ ଝିଅକୁ ସରକାରୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ ତିନି ପଢ଼ାଇଥିଲେ। ଢ଼େପଗୁଡାରେ ସାଢ଼େ ୨ହଜାର ଟଙ୍କାରେ ଭଡା ଦେଇ ଭଡାଘରରେ ପରିବାର ଦୁଃଖ କଷ୍ଠରେ ଚଳି ଆସୁଥିଲା। ହେଲେ ଗତ ମାର୍ଚ୍ଚ ମାସରୁ ଏହି ପରିବାରର ଦୁଃଖ ଦୁର୍ଦ୍ଧଶା ବଢ଼ିଯାଇଥିଲା।  ସଂପୁର୍ଣ୍ଣ ପରିବାର ନିର୍ଭର ଥିବା ଅଜିତ କରିଥିବା ଚା’ ଏବଂ ଗ୍ୟାସ ଦିଆ ଲେମ୍ବୁସୋଡା ଦୋକାନ କରୋନା ପାଇଁ ବନ୍ଦ ହୋଇଯାଇଥିଲା। ଏହାରି ମଧ୍ୟରେ ସରକାରୀ କଟକଣା ଜାରି ରହିବା ଓ କଟକଣା ହଟିବା ପ୍ରକ୍ରିୟା ବି ଜାରି ରହିଥିଲା।

ତେବେ ଦୋକାନ ପାର୍ଶ୍ବରେ ପୁଲିସ ପକ୍ଷରୁ ପ୍ରବାସୀ ଶ୍ରମିକ, ମାସ୍କ ଆଦିର ଯାଂଚ ପାଇଁ ଅସ୍ଥାୟୀ କ୍ୟାମ୍ପ କରିଥିଲେ। ଏହାର ସିଧାସଳଖ ପ୍ରଭାବ ଅଜିତଙ୍କ ଦୋକାନ ଉପରେ ପଡ଼ିଥିଲା। ବାଧ୍ୟହୋଇ ଦୋକାନ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ ଅଜିତ। ରାସନକାର୍ଡରେ ମିଳୁଥିବା ୨୦କିଲୋ ଚାଉଳ ଏବଂ କିଲେ ଡାଳିକୁ ନେଇ ପୁରା ପରିବାର ଚଳିବା ମୁସ୍କିଲ ହୋଇ ପଡିଥିଲା। ହାତରେ ପୁଜିଂ ନଥିବାରୁ ଦୋକାନ ବି ଖୋଲିବା ମୁସ୍କିଲ ହୋଇଥିଲା। ବଜାରରେ ବିଭିନ୍ନ ମହାଜନଙ୍କୁ ଅଧିକା ହାତ ଉଧାର ଥିବା ଏବଂ ଦୀର୍ଘ ଦିନ ହେବ ଦୋକାନ ବନ୍ଦ ଥିବାରୁ ଟଙ୍କା ବି ଧାର ଦେବାକୁ ମହାଜନ ମାନେ ମନା କରି ଦେଇଥିଲେ। ଏହାରି ମଧ୍ୟରେ ହିଁ ପୁଅ ବ୍ରହ୍ମପୁରରେ ପଢ଼ୁଥିବାରୁ ତାକୁ ଧାରଉଧାର କରି ଟଙ୍କା ପଠାଇବାକୁ ପଡ଼ୁଥିଲା।

ପୁଅ ଏହାରି ମଧ୍ୟରେ ଚଣ୍ଡିଗଡରେ ଥିବା ନ୍ୟାସନାଲ ଇନିଷ୍ଟିଚ୍ୟୁଟ ଅଫ ଫାର୍ମାସିଉଟିକାଲ ଏଜୁକେସନ୍ ଏଣ୍ଡ ରିସୋର୍ଚ୍ଚ(ନାଇପେର)ରେ ପଢ଼ିବା ପାଇଁ ପରୀକ୍ଷା ଦେବାକୁ କହିବାରୁ ଉଠାଦୋକାନୀ ଭାବେ ମିଳିଥିବା ୩ହଜାର ଟଙ୍କା ବି ପୁଅକୁ ପଠାଇ ଦେଇଥିଲେ ଅଜିତ। ପୁଅ ବି ନାଇପେର ପରୀକ୍ଷାରେ ସଫଳ ହୋଇଥିବା କହିଛନ୍ତି ଅଜିତ। ତେବେ ପୁଅର ସେଠାରେ ଆଡମିସନ୍ ପାଇଁ ଏକ ଲକ୍ଷ ଟଙ୍କାର ଆବଶ୍ୟକ ପଢ଼ିଥିଲା। ଏଥି ପାଇଁ ନିଜେ ଚଳାଉଥିବା ସ୍କୁଟର ଠାରୁ ଆରମ୍ଭ କରି ଘରର ଟିଭି, ଆସବାବପତ୍ର, ସୁନା ଅଳଙ୍କାର ଆଦି ବନ୍ଧକ ଓ ବିକ୍ରୀ କରି ଦେଇଥିଲେ ଅଜିତ। ଏହାସହ ଯାହା କିଛି ସଂଚୟ କରିଥିଲେ ସବୁ ମିଶାଇ ପୁଅର ଆଡମିସନ୍ କରାଇଥିବା କହିଛନ୍ତି ଅଜିତ। ଅନଲକ୍-୬ ଆସିବା ପରେ ଏବେ ଅଳ୍ପ କିଛି ଜିନିଷ ଆଣି ପୁଣି ଦୋକାନ ଖୋଲିଛନ୍ତି ଅଜିତ।

କରୋନା ଏଭଳି ଦୁଃଖ ଆଣି ଦେଇଥିଲା  ଯେ ସେ ସଂପୁର୍ଣ୍ଣ ରୁପେ ଭାଙ୍ଗି ଯାଇପଡ଼ିଛନ୍ତି। କିଭଳି ପୁନଃବାର ଦୋକାନ ଆରମ୍ଭ କରି ପରିବାର ଚଳାଇବେ ଏ ନେଇ ଚିନ୍ତାରେ ସେ। ଏହି ଯାତନା ମଧ୍ୟରେ ପୁଣି ଜାତୀୟ ରାଜପଥ ପ୍ରଶସ୍ତିକରଣ ପାଇଁ ଜବରଦଖଲ ଉଛେଦ ଅଭିଯାନରେ ତାଙ୍କ ଦୋକାନ ଉଠାଗଲେ କେଉଁଟି ଦୋକାନ କରିବେ କିଭଳି ବଂଚିବେ ସେ ଚିନ୍ତାରେ ପଡ଼ିଛନ୍ତି ଅଜିତ। କରେନା ତାଡ଼ନାରେ ଗତ ୬ମାସ ହେବ ଓଳିଏ ଖାଇଲେ ଓଳିଏ ଉପବାସରେ ଦିନ ଯାଇଛି। ଏବେ ପୁଣି ଉଛେଦ ଭୟ। ଏଭଳି ନର୍କ ଯାତନା କାହାରିକୁ ନ ଆସୁ ବୋଲି କହିଛନ୍ତି ଅଜିତ।

ସମ୍ବନ୍ଧିତ ଖବର