ବିଜୟଓ୍ଵାଡାରେ ଟ୍ରକ୍‌ ମାଡିଯାଇ ଆୟାପ୍ପା ଭକ୍ତ ମୃତ

ନନ୍ଦପୁର: ବିଜୟଓ୍ଵାଡା ନିକଟରେ ଏକ ଟ୍ରକ୍‌ ମାଡିଯାଇ ଧକ୍କାରେ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଗୋଲୁର ପଞ୍ଚାୟତ ଅନ୍ତର୍ଗତ ବାଇଲଗୁଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ବାଇଲଗୁଡା ଗ୍ରାମର ଆୟାପ୍ପା ଗୁରୁସ୍ୱାମୀ କୃଷ୍ଣଚନ୍ଦ୍ର ମହାପାତ୍ର ଅନ୍ୟ ୫ଜଣ ସହ ନିଜ ବଲେରୋ(ଓଡି ୧୦ ୦୪୪୪) ଯୋଗେ କେରଳର ସାବରୀମାଳା ସ୍ଥିତ ଆୟାପ୍ପା ମନ୍ଦିରକୁ ପୂଜାର୍ଚନା ପାଇଁ ଯାଇଥିଲେ। ପୂଜାର୍ଚନା ସାରି ସମସ୍ତେ ପୁଣି ଥରେ ଘରକୁ ଫେରୁଥିଲେ। ତେବେ ଗତକାଲି ରାତିରେ ବିଜୟଓ୍ଵାଡା ନିକଟସ୍ଥ ଏକ ପେଟ୍ରୋଲ ପମ୍ପ ନିକଟରେ ଗାଡି ରଖି ସମସ୍ତେ ବିଶ୍ରାମ ନେଉଥିଲେ। କୃଷ୍ଣଚନ୍ଦ୍ର ଗାଡି ସମ୍ମୁଖରେ ଏକ ବିଛଣା ପକାଇ ଶୋଇଥିଲେ। ଏହି ସମୟରେ ବଲୋରେ ନିକଟରେ ଥିବା ଏକ ଟ୍ରକ୍‌ ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ବାହାରିଥିଲା। ଟ୍ରକ୍‌ଟି ପଛକୁ କରିବା ସମୟରେ ହଠାତ୍‌ ଗାଡି ଚକା କୃଷ୍ଣଚନ୍ଦ୍ରଙ୍କ ଉପରେ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଥିଲା। କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ହେବା ଜାଣିବା ପରେ ଟ୍ରକ୍‌ ଡ୍ରାଇଭର ଗାଡିକୁ ନେଇ ଫେରାର ହୋଇଯାଇଥିିଲେ। ଅନ୍ୟ ଜଣେ ଟ୍ରକ୍‌ ଡ୍ରାଇଭର ଏହା ଦେଖିବା ପରେ ବଲେରୋରେ ଶୋଇଥିବା ଅନ୍ୟ ବ୍ୟକ୍ତିଙ୍କୁ ଉଠାଇଥିଲେ। ଏନେଇ ଅନ୍ୟ ମାନେ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରାଇବା ପରେ ସାଥୀରେ ଯାଇଥିବା ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲା। ଆଜି ସଂଧ୍ୟାରେ କୃଷ୍ଣଚନ୍ଦ୍ରଙ୍କ ଶବକୁ ଏକ ଗାଡି ଯୋଗେ ତାଙ୍କ ଗାଁକୁ ଅଣାଯାଉଥିବା ଜଣାପଡିଛି।

ସମ୍ବନ୍ଧିତ ଖବର