ବୈପାରିଗୁଡା: ପଲିଥିନ୍ ତଳେ ବିତୁଛି ଜୀବନ

ବୈପାରିଗୁଡା: ମୁଣ୍ଡ ଗୁଞ୍ଜିବା ପାଇଁ ଛାତଟିଏ ନାହିଁ। ଦଦରା କାନ୍ଥ ଉପରେ ପଲିଥିନ୍ ଢାଙ୍କି ଜୀବନ ବିତାଉଛନ୍ତି ଆଠଜଣିଆ ପରିବାର। ଏଭଳି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ବୈପାରିଗୁଡା ବ୍ଲକ ଅନ୍ତର୍ଗତ ମାଠପଡା ପଞ୍ଚାୟତର ଦଳପୁର ଠାରେ। ଦଳପୁର ଠାରେ ବାସ କରୁଥିବା ସୁଦାମ ଖୋସଲା ଜଣେ ଶ୍ରମିକ। ମୂଲ ମଜୁରୀ କରି ଯାହା ମିଳେ ସେଥିରେ ପେଟକୁ ନିଅଣ୍ଟ। ପ୍ରତିଦିନ କାମ ମଧ୍ୟ ମିଳେନାହିଁ। ତେଣୁ ପରିବାର ଚଳେଇବା ପାଇଁ ସୁଦାମଙ୍କ ପତ୍ନୀ ମଧ୍ୟ ମୂଲ ଲାଗିବା ପାଇଁ ବାଧ୍ୟ ହୁଅନ୍ତି।

ସୁଦାମର ଚାରୋଟି ଝିଅ ଏବଂ ଦୁଇଟି ପୁଅ। ସ୍ବାମୀ ସ୍ତ୍ରୀଙ୍କୁ ମିଶାଇ ଆଠଜଣିଆ ପରିବାର ହୋଇଥିବା ବେଳେ କିନ୍ତୁ ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ନାହିଁ। ଘର ବୋଲି ଯାହା ଅଛି ତାହା ବାସ ଉପଯୋଗୀ ନୁହେଁ। କାନ୍ଥ ଉପରେ ନାମକୁ ମାତ୍ର ପଲିଥିନ୍ ଛପର ହୋଇଛି। ବର୍ଷା ଦିନେ ଘର ଭିତରେ ପାଣି ପଶିଯାଏ। ଆବାସ ଗୃହଟିଏ ପାଇବା ପାଇଁ ତିନି ବର୍ଷ ତଳେ ଦରଖାସ୍ତ କରିଥିଲେ। ତେବେ କରୋନା ସଂକ୍ରମଣ କାଳରେ ସୁଦାମଙ୍କ ଦରଖାସ୍ତ ବିଚାରକୁ ନିଆଯାଇ ପାରିଲା ନାହିଁ। ଛୋଟ ଛୋଟ ଛୁଆଙ୍କୁ ନେଇ ଖରା, ବର୍ଷା ଏବଂ ଶୀତରେ ନାହିଁ ନଥିବା କଷ୍ଟ ଭୋଗିବାକୁ ପଡୁଛି ବୋଲି ସୁଦାମ ପ୍ରକାଶ କରିବା ସହ ଆବାସ ଗୃହଟିଏ ମଂଜୁର କରିବା ପାଇଁ ନିବେଦନ କରିଛନ୍ତି।

ଏସଂପର୍କରେ ମାଠପଡା ସରପଞ୍ଚ ଗଙ୍ଗାଧର ମସିଆଙ୍କ ସହ ଯୋଗାଯୋଗ କରିବାରୁ ସୁଦାମଙ୍କ ଘରକୁ ଯାଇ ଅବସ୍ଥା ଅନୁଧ୍ୟାନ କରାଯାଇଛି ଏବଂ ଖୁବ ଶୀଘ୍ର ସୁଦାମଙ୍କୁ ଆବାସ ଗୃହ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇ ଆବାସ ଗୃହ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ସୁଦାମଙ୍କ ଦୁଃଖ କେବେ ଦୂର ହେବ, ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର