ଡକାୟତି ଉଦ୍ୟମ ପଣ୍ଡ : ୭ଗିରଫ, କାର୍‌ ଜବତ

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଜୟନ୍ତୀଗିରି ପୋଲ ନିକଟରେ ଡକାୟତି ପାଇଁ ଯୋଜନା କରୁଥିବା ୭ଜଣ ଡକାୟତଙ୍କୁ ବୋରିଗୁମ୍ମା ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି। ପୁଲିସ ଏମାନଙ୍କ ଠାରୁ ଗୋଟିଏ କାର୍‌ ସହ ମାରଣାସ୍ତ୍ର ଜବତ କରିଛି। ଗିରଫଙ୍କ ମଧ୍ୟରେ ଉତ୍ତରପ୍ରଦେଶର ୪ଜଣ ଓ ବୋରିଗୁମ୍ମା ଅଞ୍ଚଳର ୩ଜଣ ରହିଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଜୟନ୍ତୀଗିରି ପୋଲ ନିକଟ ରାଜ୍ୟ ରାଜପଥରେ ଡକାୟତି କରିବା ପାଇଁ କିଛି ଦୁର୍ବୃତ୍ତ ଯୋଜନା କରୁଥି‌ବା ନେଇ ବୋରିଗୁମ୍ମା ପୁଲିସ ନିକଟରେ ଖବର ପହଞ୍ଚିଥିଲା। ପରେ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିବା ବୋରିଗୁମ୍ମା ପୁଲିସର ଏକ ଟିମ୍ ଚଢାଉ କରି ୭ଜଣ ଡକାୟତଙ୍କୁ ଗିରଫ କରିଥିଲା। ସେହିପରି ପୁଲିସ ଗୋଟିଏ କାର୍, ୨ଟି ଖଣ୍ଡା, ଗୋଟିଏ ଛୁରୀ, ୨ଟି ଲୁହା ରଡ, ଗୋଟିଏ ଫାର୍ସା ଓ ମାସ୍କ ଆଦି ଜବତ କରିଥିଲା। ଏହି ଘଟଣାରେ ପୁଲିସ ଉତ୍ତରପ୍ରଦେଶର ଶଙ୍କର ସିଂ, ସନ୍ଦୀପ କୁମାର, ପୁଲିହାୟ କୌଶିକ ଓ କିସାନ କୌଶପଙ୍କ ସମେତ ବୋରିଗୁମ୍ମା ଅଞ୍ଚଳର ଦଳପତି ହରିଜନ, ଜଗନ୍ନାଥ ଗୌଡ ଓ ସୁନାଧର ଗାଦବାଙ୍କୁ ଗିରଫ କରିଛି। ଏନେଇ ବୋରିଗୁମ୍ମା ଥାନାରେ କେଶ୍ ନଂ-୨୦୮/୧୮ ଓ ଦଫା ୩୯୯ ଓ ୪୦୨ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଏହି ଚଢାଉରେ ଥାନା ଅଧିକାରୀ ସୁଦାମ ସାହୁ, ଏସଆଇ ଚିନ୍ତେଶ୍ବର ମୁଣ୍ଡା, ଏସଆଇ କରୁଣାକର ଧାରୁଆ, ଏସ୍ଆଇ ଅନୁସୟା ନାୟକ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର