କୋଟିଆକୁ ମୁକାବିଲା ପାଇଁ ପୋଲାଭରମ୍‌ ଅସ୍ତ୍ର

କେନ୍ଦ୍ର ବିରୋଧରେ ଧାରଣାରେ ବସିବ ବିଜେଡି

କୋରାପୁଟ : ଆସନ୍ତାକାଲି କୋଟିଆ ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କୋଟିଆବାସୀଙ୍କ ସହିତ ତାଙ୍କର ସିଧାସଳଖ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପକ୍ଷରେ, କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ସହିତ ବିଜେପିର ରାଜନୈତିକ ଫାଇଦାକୁ ରୋକିବା ପାଇଁ ବିଜେଡି ‘ପୋଲାଭରମ୍‌’କୁ ଅସ୍ତ୍ର କରିଛି। ଆସନ୍ତାକାଲି ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବିରୋଧ କରି ଧାରଣା ଦେବା ପାଇଁ ଦଳ ପକ୍ଷରୁ ଘୋଷଣା କରାଯାଇଛି।

କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ୨୧ଟି ଗାଁକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଦୀର୍ଘଦିନ ହେଲା ବିବାଦ ଲାଗି ରହିଛି। ହେଲେ ଗତ ଜାନୁଆରୀ ୯ତାରିଖରେ ଆନ୍ଧ୍ରର ବହୁ ଅଧିକାରୀ ଓ ଜନ ପ୍ରତିନିଧି କୋଟିଆ ଅଂଚଳକୁ ଆସି ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ଅଧୀନରେ ସହାୟତା ବାଣ୍ଟିବା ପରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଥିଲା। କୋଟିଆ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯାଇଥିଲା ବେଳେ ଆସନ୍ତାକାଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଗସ୍ତରେ ଆସୁଛନ୍ତି।
ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ପୂର୍ବାହ୍ନରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହେଲିକପ୍ଟରରେ ଆସି ସୁନାବେଡାରେ ଓହ୍ଲାଇବେ। ସେଠାରୁ ସଡକ ପଥରେ କୋଟିଆ ଗସ୍ତରେ ଯିବେ। କୋଟିଆରେ ଲୋକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। କୋଟିଆବାସୀଙ୍କ ସହ ଭାବ ବିନିମୟ କରିବା ସହ ସେଠାକାର ସ୍ଥିତି ଅନୁଧ୍ୟାନ କରିବେ। ତୃଣମୂଳ ସ୍ତରରେ ସରକାରୀ ଯୋଜନାର ବାସ୍ତବ ରୂପ ଦେଖିବା ପରେ ସେ କୁନ୍ଦୁଲି ପୀଡିତାଙ୍କ ଘରକୁ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ପୀଡିତାଙ୍କ ପରିବାର ସହ ଆଲୋଚନା କରିବା ପରେ ସୁନାବେଡା ଆସି ଫେରି ଯିବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟପକ୍ଷରେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଗସ୍ତର ଜବାବରେ ଶାସକ ବିଜେଡି ପୋଲାଭରମ୍‌କୁ ଅସ୍ତ୍ର କରିଛି। ଦଳୀୟ ନେତା ଓ କର୍ମୀମାନେ ସମସ୍ତ ବ୍ଲକ୍‌ ସଦର ମହକୁମାରେ ଧାରଣାରେ ବସିବେ। କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେବେ। ଏ ସଂପର୍କରେ ବିଜେଡ ରାଜ୍ୟ ସଂପାଦକ ଈଶ୍ୱର ପାଣିଗ୍ରାହୀ କହିଛନ୍ତି ଯେ, ପୋଲାଭରମ ପ୍ରକଳ୍ପ ଯୋଗୁଁ ଓଡ଼ିଶା କ୍ଷତିଗ୍ରସ୍ତ ହେଉଥିଲେ ମଧ୍ୟ କେନ୍ଦ୍ର ସରକାର ଏହାକୁ ଜୋର କରି କରାଇବାକୁ ଚାହୁଁଛନ୍ତି। ତେଣୁ ଏହି ପ୍ରକଳ୍ପକୁ ବିରୋଧ କରି କେନ୍ଦ୍ର ସରକାରଙ୍କ ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ବ୍ଲକ ସଦର ମହକୁମାରେ ଗଣ ଧାରଣା ଦିଆଯିବ।

ଏ ସବୁ ପ୍ରସଙ୍ଗକୁ ନେଇ ଆସନ୍ତାକାଲି କ’ଣ ପ୍ରତିକ୍ରିୟା ପ୍ରକାଶ ପାଉଛି ଏବଂ ଲୋକମାନେ କେଉଁ ପ୍ରସଙ୍ଗକୁ ଗ୍ରହଣ କରୁଛନ୍ତି ତାହାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।

ସମ୍ବନ୍ଧିତ ଖବର