କୋରାପୁଟ: ଗତ ରାତିରେ ମାଥାଲପୁଟଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଏକ ଅଜଣା ଗାଡ଼ି ଧକ୍କାରେ ୧୨ ବର୍ଷର ବାଳକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାରୁ ପ୍ରକାଶ ଯେ, ଦାମନଯୋଡି ମୁଖ୍ୟ ରାସ୍ତାକଡ଼ରେ ଥିବା କଳାହାଣ୍ଡି ବସ୍ତିର ଡିଙ୍ଗର ନାୟକଙ୍କ ପୁଅ ରାଜ ନାୟକ (୧୨) ରାତି ପ୍ରାୟ ୯ ଟା ବେଳକୁ ରାସ୍ତା କଡ଼ରେ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଘଟଣାସ୍ଥଳରୁ ଦୃତ ଗତିରେ ଚମ୍ପଟ୍ ମାରିଥିଲା। ଜନୈକ ବ୍ୟକ୍ତି ଏହା ଦେଖି ମୋଟର ସାଇକେଲ ଯୋଗେ ଗାଡ଼ିକୁ ପିଛା କହିଥିଲେ ମଧ୍ୟ ସେ ବିଫଳ ହୋଇଥିଲେ। ତେବେ କ୍ଷତାକ୍ତ ହୋଇ ପଡ଼ିଥିବା ବାଳକକୁ ପ୍ରଥମେ ମାଥାଲପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।

Advertisment

ସ୍ଥିତି ସଙ୍କଟାପନ୍ନ ଥିବାରୁ ସେଠାରୁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବାଳକଟିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାକୁ ନେଇ ବସ୍ତି ବାସିନ୍ଦା ମୁଖ୍ୟ ରାସ୍ତା ଅବରୋଧ କରି କ୍ଷତିପୂରଣ ଓ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଧରିବା ପାଇଁ ଦାବି କରିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି ବସ୍ତି ବାସିନ୍ଦା କହିଛନ୍ତି। ଘଟଣାସ୍ଥଳରେ ଦାମନଯୋଡ଼ି ଓ ସେମିଳିଗୁଡ଼ା ପୁଲିସ ପହଞ୍ଚି ରାସ୍ତା ଅବରୋଧ ନ କରିବା ପାଇଁ ବୁଝାସୁଝା କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି।