କରୋନା ଖାଇଗଲା ଟେଣ୍ଟହାଉସ, ଭିଡିଓ ଓ ଫଟୋଗ୍ରାଫରଙ୍କ ବେପାର: ହାତ ବାନ୍ଧି ବସିଛନ୍ତି ୨ହଜାରରୁ ଅଧିକ ବେପାରୀ

ଜୟପୁର: ସଂକ୍ରମଣର ଭୟରେ ବାହାଘର, ବ୍ରତଘର, ଜାନିଯାତ୍ରା, ଉତ୍ସବ , ସାଂସ୍କୃତିକ କାର୍ଯ୍ୟକ୍ରମ, ସଭାସମିତିରେ ଲାଗିଛି କଟକଣା। ଏଥି ପାଇଁ ସହରର କଲ୍ୟାଣମଣ୍ଡପ, ଟେଣ୍ଟହାଉସ ଆଦିରେ ତାଲା ଝୁଲିବା ଆରମ୍ଭ ହୋଇଛି। ଗତ ଦେଢ଼ ବର୍ଷ ହେବ  ସିଧାସଳଖ ଭାବେ କଲ୍ୟାଣ ମଣ୍ଡପ ,ଟେଣ୍ଟ ହାଉସ ମାଲିକ, ଭିଡିଓ ଓ ଫଟୋଗ୍ରାଫର ଏବଂ ଏମାନଙ୍କ ସହ କାମ କରୁଥିବା କର୍ମଚାରୀଙ୍କ ଉପରେ ପ୍ରଭାବ ପଡିଛି। ଏହି ସ୍ଥିତିରେ ମାଲିକ ମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି। ଏହି ସବୁ ବେପାରରେ ସଂଶ୍ଲିଷ୍ଟ ଥିବା ୨ହଜାର ଲୋକେ ଏବେ ହାତ ବାନ୍ଧି ଘରେ ବସିଛନ୍ତି। ପ୍ରଥମ ପର୍ଯ୍ୟାୟ କଟକଣା ସାମାନ୍ୟ କୋହଳ ହେବା ପରେ କିଛି ମ‌ାସ ସାମାନ୍ୟ ସ୍ବାଭାବିକ ହୋଇଥିଲେ  ବିଭିନ୍ନ ସରକାରୀ କଟକଣା ଯୋଗୁଁ ସେଭଳି ଆଖି ଦୃଷ୍ଟିଆ ବେପାର ବି ହୋଇ ନି।

ସରକାର ଏବଂ ଜିଲ୍ଳାପ୍ରଶାସନର ନିର୍ଦେଶ ମୁତାବକ ୫୦ଲୋକଙ୍କ ମଧ୍ୟରେ ବାହା, ବ୍ରତଘର କରାଯିବାକୁ ଅନୁମତି ରହିଛି। ଏଣୁ ବହୁ ଲୋକେ ପୂର୍ବଭଳି ଆଉ ଜାକ ଜମକରେ ଏସବୁ କାର୍ଯ୍ୟକ୍ରମ ଓ ଉତ୍ସବ ପାଳନ କରୁ ନାହାନ୍ତି। କିଛି ଲୋକେ ବାହାଘର, ବ୍ରତଘର ଆଦି ବାତିଲ କରିବା ସହ ଆଉ କିଛି ଲୋକ ନିରାଡମ୍ବରରେ କରୁଛନ୍ତି। ତେଣୁ ବୁକିଂ କରିଥିବା ସବୁ କାର୍ଯ୍ୟକ୍ରମକୁ ବାତିଲ୍ କରି ଦେଇଛନ୍ତି ବୋଲି କହିଛନ୍ତି ଫଟୋ ଷ୍ଟୁଡିଓ ଓ ଭିଡିଓଗ୍ରାପର କେ.ଶ୍ରୀନିବାସ ପଟ୍ଟନାୟକ।

ଜୟପୁରରେ ଥିବା ବଡ ବଡ ୧୫ଟି ଷ୍ଟୁଡିଓ ସହ ଅନ୍ୟ ଭିଡିଓଗ୍ରାଫର ଓ ଫଟୋଗ୍ରାପର ୧୦୦ରୁ ଉର୍ଦ୍ଧ୍ବ ଏବେ ଭୋକ ଉପବାସରେ ଦିନ କାଟୁଛନ୍ତି ବୋଲି କହିଛନ୍ତି ଶ୍ରୀନିବାସ। ଲକ୍ଷାଧିକ ଟଙ୍କା ଧାର ଉଧାର କରି ଅତ୍ୟାଧୁନିକ କ୍ୟାମେରା, ‌ଡ୍ରୋନ କ୍ୟାମେରା ଆଣିଥିବା ବେଳେ କରୋନା ଯୋଗୁଁ ଆମେ ପ୍ରଭାବିତ ହୋଇ କିଭଳି ଏବେ ଋଣ ସୁଝିବୁ ଚିନ୍ତାରେ ପଡିଛୁ ବୋଲି କହିଛନ୍ତି ଶ୍ରୀନିବାସ। ସେଭଳି ସହରରେ ଥିବା ୨୦ରୁ  ଉର୍ଦ୍ଧ୍ବ  ଟେଣ୍ଟହାଉସ, କଲ୍ୟାଣ ମଣ୍ଡପ ଆଦିର ମାଲିକ ଓ କର୍ମଚାରୀ ମାନେ ବି ଗତ ଦେଢ଼ ବର୍ଷ ହେବ ବେପାର ଠିକରେ ହୋଇ ନ ପାରି ଚିନ୍ତାରେ ପଢ଼ିଥିବା କହିଛନ୍ତି ଟେଣ୍ଟହାଉସ ମାଲିକ ମୁନ୍ନା ସାହୁ। କର୍ମଚାରୀଙ୍କୁ ନିୟିତ ଦରମା ଦେବା ଏବଂ ଋଣ ସୁଝିବା ଏବେ ଚିନ୍ତାର କାରଣ ସାଜିଛି ବୋଲି କହିଛନ୍ତି ମୁନ୍ନା।

ସମ୍ବନ୍ଧିତ ଖବର