କୋରାପୁଟ୍‌ରୁ ୟୁପି: ପଇଡ଼ ବୋଝେଇ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

କୋରାପୁଟ: ଅଭିନବ ଉପାୟରେ ପଇଡ ବୋଝେଇ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ । କୋରାପୁଟ ଜିଲ୍ଲା ପଡୁଆ ଅଂଚଳରୁ ଉତ୍ତରପ୍ରଦେଶ ଚାଲାଣ ବେଳେ ନନ୍ଦପୁର ପୁଲିସ ହାତରେ ଧରା ପଡ଼ିଛି ବିପୁଳ ଗଞ୍ଜେଇ । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶକ୍ରମେ ନନ୍ଦପୁର ଥାନା ପୁଲିସ ନାକାବନ୍ଦୀ କରି ଗାଡି ଯାଂଚ କରୁଥିଲେ । ଏହି ସମୟରେ ହିକିମପୁଟ ଅଂଚଳରରୁ ଦ୍ରୁତ ଗତିରେ ଆସୁଥିବା ଟ୍ରକକୁ ଅଟକାଇଥିଲା ପୁଲିସ । କିନ୍ତୁ ଟ୍ରକରେ ପଇଡ ବୋଝେଇ ଥିବାରୁ ପୁଲିସ ଦେଖି ପ୍ରଥମେ ଗାଡିକୁ ଛାଡିଦେଉଥିଲା । କିନ୍ତୁ ଗାଡି ନମ୍ବର ମେଳ ଖାଉ ନ ଥିବାରୁ ଟ୍ରକରେ ଥିବା ୩ ଜଣଙ୍କୁ କାବୁ କରାଯାଇଥିଲା ।

ପଇଡ ଗୁଡିକୁ ବାହାର କରି ଟ୍ରକକୁ ଯାଂଚ କରିବା ବେଳେ ବିପୁଳ ପରିମାଣର ଗଞ୍ଜେଇ ଥିବା ଜଣାପଡିଥିଲା । ଗଞ୍ଜେଇ ଚାଲାଣ ବେଳେ ବ୍ୟବହୃତ ହୋଇଥିବା ଟ୍ରକକୁ ଜବତ କରିଛି ପୁଲିସ । ଏଥିରେ ୨୨ଟି ବସ୍ତାରେ ପ୍ରାୟ ୪ କୁଇଂଟାଲ ୫୬ କେଜି ଗଞ୍ଜେଇ ଥିଲା । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୪୫ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି । ଗିରଫ ଗଞ୍ଜେଇ ମାଫିଆମାନେ ହେଲେ ଉତ୍ତରପ୍ରଦେଶର ବିପେନ୍ଦ୍ର ସିଂ, ନିତୀଶ ସିଂ ଏବଂ ବିହାରର ରାଜୁ କୁମାର । ଗଞ୍ଜେଇ ମାଫିଆମାନେ ଏହି ଅଂଚଳରୁ ଅନେକ ଥର ଗଞ୍ଜେଇ ନେଇଥିବା ପୁଲିସ ଆଗରେ ସ୍ୱୀକାର କରିଥିବା ବେଳେ ଏଥିରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ପୁଲିସକୁ ସୂଚନା ମିଳିଛି ।

ସମ୍ବନ୍ଧିତ ଖବର