କାର-ଟ୍ରକ ଧକ୍କା, ୫ଯୁବକ ଆହତ

ଜୟପୁର/ବୈପାରିଗୁଡା: ବୈପାରିଗୁଡା ଥାନା ଅନ୍ତର୍ଗତ କୋଟା ଛକ ନିକଟରେ ଗୋଟିଏ କାର ଓ ଟ୍ରକ ମଧ୍ୟରେ ଧକ୍କା ହୋଇ ୫ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାରେ ସୁମିତ ପଣ୍ଡା ଓ ରାଜ କିଶୋର ମହାନ୍ତିଙ୍କୁ ଗୁରୁତର ଆଘାତ ଲାଗିଥିବା ବେଳେ ଆଦିତ୍ୟ ସାହୁ, ରୋହିତ ଦାସ, ଶିବାଶିଷ ଗନ୍ତାୟତ ପ୍ରମୁଖ ସାମାନ୍ୟ ଆହତ ହୋଇଛନ୍ତି। ଉଭୟ ଗୁରୁତର ସୁମିତ ଓ ରାଜ କିଶୋରଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଏନେଇ ବୈପାରିଗୁଡା ଥାନାରେ ଏକ ମାମଲା ରୁଜୁ ହୋଇଛି। ଦୁର୍ଘଟଣା ଯୋଗୁଁ ୨ଘଣ୍ଟା ଧରି ଜୟପୁର-ବୈପାରିଗୁଡା ରାସ୍ତା ଜାମ ହୋଇଥିଲା। ଘଟଣାସ୍ଥଳରେ ବୈପାରିଗୁଡା ପୁଲିସ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିବା ପରେ ରାସ୍ତାରେ ସ୍ୱଭାବିକ ଭାରେ ଗାଡି ଯାତାୟତ ହୋଇଥିଲା ବୋଲି ତଦନ୍ତ ଅଧିକାରୀ ଏସଆଇ ଚନ୍ଦ୍ର ଭାନୁ ମହାନ୍ତି କହିଛନ୍ତି। ପୁଲିସ କହିବାନୁଯାୟୀ, ଆଜି ସକାଳ ପ୍ରାୟ ସାଢେ ୧୧ଟା ସମୟରେ ଜୟପୁର ଠାରୁ ପାତ୍ରପୁଟ ଅଭିମୁଖେ ଏକ ଇଣ୍ଡିକା କାର (ଓଆର ୦୨ପି-୨୨୦୦)ରେ ୫ଜଣ ଜନ୍ମଦିନ ପାଳନ କରିବାକୁ ଯାଉଥିବା ସମୟରେ ବିପରିତ ପଟୁ ଆସୁଥିବା ଦୁର୍ଗା ଟ୍ରାନ୍ସପୋର୍ଟର ଟ୍ରକ (ଓଆରକେ-୮୩୪୬) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ସ୍ଥାନୀୟ ଲୋକେ ଆଦିତ୍ୟ, ସୁମିତ, ରାଜକିଶୋର, ରୋହିତ, ଶିବାଶିଷଙ୍କୁ ଉଦ୍ଧାର କରି ଜୟପୁର ମେଡିକାଲ ପଠାଇଥିଲେ। ଦୁର୍ଘଟଣା ଘଟିବା ପରେ ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଘଟଣାଟି କିପରି ଘଟିଲା ପୁଲିସ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ ଇଣ୍ଡିକା କାରକୁ ଜବତ କରି ରଖାଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର