ଗୋବର ପାଣିରେ ଶ୍ରେଣୀ ଗୃହ ଧୋଇଲେ

ଛାତ୍ରଛାତ୍ରୀଙ୍କ ଦ୍ୱାରା ସଫେଇର ଭିଡିଓ ଭାଇରଲ ପ୍ରଧାନ ଶିକ୍ଷକ ନିଲମ୍ବିତ

କାଲିମେଳା: ବିଦ୍ୟାଳୟରେ ସାମନ୍ତବାଦୀ ନିର୍ଦେଶ। ଛାତ୍ରଛତ୍ରୀଙ୍କ ଦ୍ୱାରା ଗୋବର ପାଣିରେ ଶ୍ରେଣୀ ଗୃହ ସଫା କରାଇଲେ ପ୍ରଧାନ ଶିକ୍ଷକ। ପିଲାଙ୍କ କକ୍ଷ ସଫା କରିବାର ଭିଡିଓ ଭାଇରାଲ ହେବାପରେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୧୧୨ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ନିଲମ୍ବିତ କରାଯାଇଛି।
ସୂଚନା ଅନୁଯାୟୀ, କିଛି ଦିନ ତଳେ ଉପରୋକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପଟନାୟକ ଶ୍ରେଣୀ ଗୃହ ସଫା କରିବାକୁ ନିର୍ଦେଶ ଦେଇଥିଲେ। କେବଳ ପାଣି ନୁହଁ। ସେଥିରେ ଗୋବର ମିଶାଇ ଭଲ ରୂପେ ସଫା କରିବାକୁ କଡ଼ା ନିର୍ଦେଶ ଦେଇଥିଲେ। ପ୍ରଧାନ ଶିକ୍ଷକଙ୍କ ନିର୍ଦେଶ ପାଇବା ପରେ ଅନିଚ୍ଛା ସତ୍ତ୍ୱେ ପିଲାମାନେ କାମ କରିଥିଲେ। ପିଲାମାନେ କାମ କରିବା ସମୟରେ କେହି ଜଣେ ମୋବାଇଲରେ ଏହି ଦୃଶ୍ୟକୁ କଏଦ କରି ନେଇଥିଲା। ପରବର୍ତୀ ସମୟରେ ଏହି ଭିଡିଓ ଭାଇରାଲ ହୋଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଦଣ୍ଡମୁକ୍ତ ଅଞ୍ଚଳରେ ଏଭଳି ପିଲାଙ୍କ ଦ୍ୱାରା କାମ କରାଇବା ଘଟଣାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଥିଲା। ତେଣୁ ପ୍ରଶାସନ ତତ୍ପରତା ପ୍ରକାଶ କରି କାଲିମେଳା ବିଇଓଙ୍କୁ ପୂରା ଘଟଣାର ତଦନ୍ତ ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ।
ବିଦ୍ୟାଳୟରେ ପାଚେରି ନଥିବାରୁ ଗାଈଗୋରୁ ପଶି ଯାଉଛନ୍ତି। ମଳତ୍ୟାଗ କରି ଚାଲି ଯାଉଥିବା ବେଳେ ପ୍ରତିଦିନ ସଫା କଲେ ହିଁ ସେଠାରେ ପିଲାମାନେ ବସୁଛନ୍ତି। ତେଣୁ ପିଲାମାନେ ହିଁ ତଳେ ବସୁଥିବାରୁ ସେମାନଙ୍କୁ ସଫେଇ କାମରେ ଲଗାଇ ଦେଇଥିଲେ ପ୍ରଧାନ ଶିକ୍ଷକ। କେବଳ ଶ୍ରେଣୀ ଗୃହ ନୁହଁ ପାଇଖାନା ସଫା କରିବାକୁ ବି ପିଲାଙ୍କ ଉପରେ ଚାପ ପଡ଼ୁଥିବା ଅଭିଯୋଗ ହୋଇଛି। ଗତ ମଙ୍ଗଳବାର ଦିନର ଘଟଣା ଭାଇରାଲ ହୋଇଥିବା ଛାତ୍ରଛାତ୍ରୀମାନେ କହିଛନ୍ତି। ଆଜି ବିଇଓ ଗଂଗାଧର ପଟନାୟକ ଘଟଣାର ତଦନ୍ତ କରିଥିଲେ। ତଦନ୍ତ ସମୟରେ ବହୁ ସଂଗିନ ଅଭିଯୋଗ ପଦାକୁ ଆସିଥିଲା। ପୁସ୍ତକ ବଣ୍ଟନ ହୋଇ ନଥିବା ବେଳେ ପିଲାଙ୍କୁ ଅଣ୍ଡା ତରକାରି ବଦଳରେ କଞ୍ଚା ଅଣ୍ଡା ଦିଆଯାଉଛି। ଅଭିଯୋଗରେ ସତ୍ୟତା ରହିଥିବା ଜାଣିବା ପରେ ବିଇଓ ଜିଲ୍ଲାପାଳଙ୍କୁ ଆଜି ହିଁ ରିପୋର୍ଟ ଦେଇଥିଲେ। ଏହି ରିପୋର୍ଟକୁ ଆଧାର କରି ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ଅପରପକ୍ଷରେ ଉପରୋକ୍ତ ଅଭିଯୋଗ ଗୁଡିକୁ ଆଦୌ ସ୍ୱୀକାର କରୁନାହାନ୍ତି ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପଟନାୟକ। ସେ କହିଛନ୍ତି ଯେ କେବେହେଲେ ପିଲାଙ୍କୁ କାମ କରିବାକୁ ବାଧ୍ୟ କରାଯାଇ ନାହିଁ। ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି କହି ସବୁ ଦୋଷ ଗ୍ରାମବାସୀଙ୍କ ଉପରେ ଲଦି ଦେଇଥିଲେ।

ସମ୍ବନ୍ଧିତ ଖବର