ନାଲାଗୁଣ୍ଠି ପିଇଓ ଓ ଯୋଗାଣ ସହାୟକ ବିରୋଧରେ ଥାନାରେ ମାମଲା ରୁଜୁ, ଜଣେ ଅଟକ

କାଲିମେଳା: କାଲିମେଳା ବ୍ଳକ ଅନ୍ତର୍ଗତ ନାଲାଗୁଣ୍ଠି ପଞ୍ଚାୟତର ନିର୍ବାହୀ ଅଧିକାରୀ ଓ ଯୋଗାଣ ସହାୟକଙ୍କ ନାମରେ ଏମଭି-୭୯ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଅଭିଯୋଗ ଭିତ୍ତିରେ ଏହି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ପିଡ଼ିଏସ ଚାଉଳ ଓ କିରାସିନି ଯୋଗାଣରେ ହେରଫେର ଅଭିଯୋଗରେ ଉଭୟଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ପୁଲିସ କହିଛିି।
ଆଜି ଉପଜିଲ୍ଲାପାଳ ଲିଂଗରାଜ ପଣ୍ଡା ଓ ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ ଦୁର୍ଗାପ୍ରସାଦ ମାଝୀ ନାଲାଗୁଣ୍ଠି ପଞ୍ଚାୟତ ପରିଦର୍ଶନ କରିଥିଲେ। ପଞ୍ଚାୟତର ପିଡ଼ିଏସ ଚାଉଳ ଷ୍ଟକ ଖାତା ଯାଞ୍ଚ ବେଳେ ୧୫୪ କ୍ୱିଣ୍ଟାଲ ୪୬କିଲୋଗ୍ରାମ ଚାଉଳ ଅଧିକା ଷ୍ଟକ ଥିବାର ଜଣାପଡ଼ିଥିଲା। ସେହିପରି କିରାସିନି ୩୧୩ ଲିଟର କମ ରହିଥିବା ବେଳେ ଗହମ ୫ କିଲୋ କମ ଥିବା ଦେଖିବାକୁ ମିଳିଥିଲା। ଏହାର କାରଣ ସଂପର୍କରେ ଉପଜିଲ୍ଲାପାଳ ଯୋଗାଣ ସହାୟକଙ୍କୁ ପଚାରିଥିଲେ ମଧ୍ୟ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ।

ଏହାପରେ ଉପଜିଲ୍ଲାପାଳ ଲିଂଗରାଜ ପଣ୍ଡାଙ୍କ ନିର୍ଦେଶରେ ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ମାଝୀ ନାଲାଗୁଣ୍ଠି ପଞ୍ଚାୟତର ଯୋଗାଣ ସହାୟକ ନରୋତ୍ତମ ଦାସ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିମାଁଇ ମଣ୍ଡଳଙ୍କ ବିରୁଦ୍ଧରେ ଏମଭି-୭୯ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଉଭୟଙ୍କ ବିରୁଦ୍ଧରେ ଏମଭି-୭୯ ଥାନାରେ କେସ ନଂ ୫୮/୧୭ ଆତ୍ୟାବଶ୍ୟକୀୟ ସେବା ଆଇନ ୭ଇସି ଓ ୪୦୯/୩୪ ଆଇପିସି ଧାରାରେ ମାମଲା ରୁଜୁ ହୋଇଥିବାଜଣାପଡ଼ିଛି। ଯୋଗାଣ ସହାୟକକୁ ପୁଲିସ ଅଟକ ରଖି ପଚରା ଉଚରା କରୁଥିବାବେଳେ ପଞ୍ଚୟତ ନିର୍ବାହୀ ଅଧିକାରୀ ଫେରାର ଥିବା ଜଣାପଡ଼ିଛି। ପ୍ରଶାସନର ଏଭଳି ପଦକ୍ଷେପ ପରେ କାଲିମେଳା ବ୍ଳକରେ ଥିବା ବିଭିନ୍ନ ପଞ୍ଚାୟତର ଯୋଗାଣ ସହାୟକ ଓ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ନିର୍ବାହୀ ଅଧିକାରୀ ନିମାଁଇ ମଣ୍ଡଳ କାଲିମେଳା ବ୍ଳକର ତେଲରାଇ ଓ ନାଲାଗୁଣ୍ଠି ପଞ୍ଚାୟତର ନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟ କରୁଥିଲେ ମଧ୍ୟ ଅଧିକାଂଶ ଦିନ ପଞ୍ଚାୟତ କାର୍ଯ୍ୟାଳୟକୁ ନ ଆସି ମାଲକାନଗିରିରେ ରହୁଥିବା ଅଭିଯୋଗ ହୋଇ ଆସୁଥିଲା।

ସମ୍ବନ୍ଧିତ ଖବର