କୋରାପୁଟ : ଦୁଇଦିନ ପ‌ରେ ଧାନ କିଣା, ମଣ୍ଡି ଭିତ୍ତିଭୂମି ଓ ପରିଚାଳନା ନେଇ ଚିନ୍ତାରେ ଚାଷୀ

କୋରାପୁଟ : ଆସନ୍ତା ବୁଧବାରଠାରୁ କୋରାପୁଟ ଜିଲ୍ଲାରେ ଖରିଫ ଧାନ କିଣା ଆରମ୍ଭ ହେବ। ଏଥର ଜିଲ୍ଲାରେ ୧୦୨ଟି ମଣ୍ଡିରେ ଏହି ଧାନ କିଣାବିକା ହେବ। ୩୪ ହଜାରରୁ ଅଧିକ ଚାଷୀ ସେମାନଙ୍କ ଧାନ ବିକ୍ରି କରିବେ। ହେଲେ ଜିଲ୍ଳାରେ ମଣ୍ଡିଗୁଡିକରେ ଦୁର୍ବଳ ଭିତ୍ତିଭୂମି ଓ ସଠିକ ପରିଚାଳନାର ଅଭାବ ଚାଷୀଙ୍କୁ ଚିନ୍ତାରେ ପକାଇଲାଣି। ମଣ୍ଡିଗୁଡିକ‌ରେ ଭିତ୍ତିଭୂମି ବଢାଇବା ପାଇଁ ଚାଷୀମା‌ନେ ବାରମ୍ବାର ସ୍ବର ଉଠାଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଉ ନ ଥିବାରୁ ଏଥର ମଧ୍ୟ ଚାଷୀମାନେ ହଇରାଣ ହେବେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି।

ଧାନ ପାଚିଗଲାଣି। କେବଳ ଅମଳ କରିବାକୁ ବାକି ଅଛି। କିଛି ସ୍ଥାନରେ ଧାନ ଅମଳ ମଧ୍ୟ ଆରମ୍ଭ ହେଲାଣି। ଜିଲ୍ଲାକୁ ପ୍ରାଥମିକ ପର୍ଯ୍ୟାୟରେ ୧୩ ଲକ୍ଷ ୯୨ ହଜାର କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ଆସିଥିଲାବେଳେ ଚଳିତବର୍ଷ ୩୪,୩୯୩ ଜଣ ଚାଷୀ ଧାନ ବିକିବା ପାଇଁ ନାମ ପଂଜୀକରଣ କରିଛନ୍ତି। ଧାନ କିଣାବିକା ପାଇଁ ଜିଲ୍ଲାରେ ୧୦୨ଟି ମଣ୍ଡି ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏଥିରୁ କୋରାପୁଟ ଉପଖଣ୍ଡରେ ୨୬ଟି ଓ ଜୟପୁର ଉପଖଣ୍ଡରେ ୭୬ ଟି ମଣ୍ଡି ଖୋଲିବ। ୨୦ଟି ଲ୍ୟାମ୍ପସ, ୨୪ଟି ମହିଳା ସ୍ବଂୟ ସହାୟକ ଗୋଷ୍ଠୀ ଓ ୨ ଟି ପାଣି ପଞ୍ଚାୟତ ଏହି ଧାନ କିଣିବେ। ହେଲେ ଧାନ କିଣାବିକା ପୂର୍ବରୁ ମଣ୍ଡିଗୁଡିକରେ ଦୁର୍ବଳ ଭିତ୍ତିଭୂମିକୁ ନେଇ ଚିନ୍ତାରେ ଚାଷୀ।

ଧାନ ମଣ୍ଡିଗୁଡିକରେ ଅବ୍ୟବସ୍ଥା ବି ଜିଲ୍ଲା ପାଇଁ ନୂଆ କଥା ନୁହେଁ। ବର୍ଷ ବର୍ଷ ଧରି ମଣ୍ଡିଗୁଡିକରେ ଉପଯୁକ୍ତ ସୁବିଧା ନ ପାଇଁ ହଇରାଣ ହୋଇ ଆସୁଛନ୍ତି ଚାଷୀ। ଏପରିକି ମଣ୍ଡିରେ ସର୍ବନିମ୍ନ ସୁବିଧା ସୁଯୋଗ ମିଳୁନି। ଧାନ ରଖିବା ପାଇଁ ସେଡ ନ ଥିବାରୁ ଅଦିନିଆ ବର୍ଷା ହେଲେ ଚାଷୀଙ୍କ ଧାନ ନଷ୍ଟ ହେଉଛି। ଚାଷୀମାନେ ନିଜ ବ୍ୟବସ୍ଥାରେ ଧାନ ରଖିବା ପାଇଁ ସେମାନଙ୍କୁ କହି ଦିଆଯାଉଛି। ଫଳରେ ବର୍ଷା ହେଲେ ନିଜେ ପଲଥିନ କିଣି ଧାନ ଘୋଡାଇବାକୁ ବାଧ୍ୟ ହେଉଛନ୍ତି ଚାଷୀ। ଧାନ ରଖିବା ପାଇଁ ସେଡ କରିବାକୁ ବର୍ଷ ବର୍ଷ ଧରି ଦାବି ହୋଇ ଆସୁଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉନି। ବରଂ ଅସ୍ଥାୟୀ ଟେଣ୍ଡ କରି କାମ ସାରି ଦେଉଛି। ଏହି ଟେଣ୍ଡରେ ପର୍ଯ୍ୟାପ୍ତ ଜାଗା ରହୁ ନ ଥିଲାବେଳେ ବର୍ଷା ଦାଉରୁ ମଧ୍ୟ ଏହା ରକ୍ଷା ଦେଇ ପାରୁ ନାହିଁ। ଏପଟେ ମଣ୍ଡିରେ ଧାନର ମାନ ମାପିବା ପାଇଁ ମେସିନ ରହୁନି। ଧାନର ମାନ ମପା ହୋଇ ପାରୁ ନ ଥିବାରୁ ମନଇଛା କିଛି କେଜି ଧାନ କାଟି ଦିଆଯାଉଛି। ଅଧିକାରୀ ଓ ମିଲରମାନେ ମିଶି ଧାନର ମାନ ନିର୍ଦ୍ଧାରଣ କରୁଛନ୍ତି। ଏପଟେ ମଣ୍ଡିଗୁଡିକରେ ଚାଷୀଙ୍କ ବସିବା ପାଇଁ ଜାଗା, ପାନୀୟ ଜଳ ପରି ମୌଳିକ ସୁବିଧା ମଧ୍ୟ ରହୁନି। ଏହାକୁ ନେଇ ଜିଲ୍ଲା ଧାନ ସଂଗ୍ରହ କମିଟି ବୈଠକରେ ଚାଷୀମାନେ ଉଦବେଗ ପ୍ରକାଶ କରିଥିଲେ। ଏପରିକି ଜନ ପ୍ରତିନିଧିମାନେ ମଧ୍ୟ ପ୍ରଶାସନ ଉପରେ ବର୍ଷିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ମଣ୍ଡିଗୁଡିକରେ ଭିତ୍ତିଭୂମି ବଢାଇବା ପାଇଁ କୌଣସି ଠୋସ ପଦକ୍ଷେପ ନିଆଯାଇନି। ମଣ୍ଡିର ବିକାଶ ପାଇଁ ଟଙ୍କାର ଅଭାବ ନାହିଁ। ମଣ୍ଡି ପରିଚାଳନା ପାଇଁ ଆରଏମସି ଆଦାୟ କରିଥିବା କୋଟି କୋଟି ଟଙ୍କା ଏବେ ବି ପଡି ରହିଛି। କିନ୍ତୁ କେବଳ ଟଙ୍କା ଆଦାୟ କରି କାମ ସାରି ‌ଦେଉଛି ପ୍ରଶାସନ। ଏହି ଟଙ୍କାକୁ ଚାଷୀଙ୍କ ହିତରେ ଲଗାଇବାକୁ ଉଚିତ ମନେ କରୁନି। ଏଥିନେଇ ଚାଷୀ ଜୟନ୍ତ ପଟ୍ଟନାୟକ କହିଛନ୍ତି ଯେ, ମଣ୍ଡିଗୁଡିକରେ ଧାନ ଗଛିତ ରଖିବା ପାଇଁ ଜାଗା ନାହିଁ। ବର୍ଷା ହେଲେ ଚାଷୀମାନେ ନାହିଁ ନ ଥିବା କ୍ଷତିର ସମ୍ମୁଖୀନ ହେଉଛନ୍ତି। ଏପରିକି ମୌଳିକ ସୁବିଧା ମଧ୍ୟ ଚାଷୀଙ୍କୁ ମିଳୁନି। ଆରଏମସି ମଣ୍ଡି ପରିଚାଳନା ପାଇଁ ଟଙ୍କା ନେଉଥିଲେ ମଧ୍ୟ ଚାଷୀମାନେ କୌଣସି ଲାଭ ପାଉନାହାନ୍ତି ବୋଲି ସେ କହିଛନ୍ତି। ଏଥିନେଇ ବେସାରମିକ ଯୋଗାଣ ଅଧିକାରୀ ତୁଳାରାମ ନାୟକ କହିଛନ୍ତି ଯେ, ମଣ୍ଡିରେ ଭିତ୍ତିଭୂମି ବିକାଶ ପାଇଁ ଆରଏମସିର କାମ। ମଣ୍ଡି ହ୍ୟାଣ୍ଡଲିଂ ଚାର୍ଜ ବାବଦକୁ ସେମାନଙ୍କୁ ୨ ପ୍ରତିଶତ ଅର୍ଥ ମଧ୍ୟ ଦିଆଯାଉଛି। କିନ୍ତୁ ସେମାନେ ଭିତ୍ତିଭୂମି ବିକାଶ କରୁ ନ ଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରୁଥିବା ସେ କହିଥିଲେ।

ସମ୍ବନ୍ଧିତ ଖବର