ଆଜି ଜାତୀୟ କ୍ରୀଡା ଦିବସ: କେବେ ସୁଧୁରିବ କୋରାପୁଟ କ୍ରୀଡା ଭିତ୍ତିଭୂମି?

କୋରାପୁଟ: କ୍ରୀଡା ଅଛି, ପ୍ରତିଭାଶାଳୀ କ୍ରୀଡାବିତ ବି ରହିଛନ୍ତି । କିନ୍ତୁ କ୍ରୀଡା ଭିତ୍ତିଭୂମି ନାହିଁ । ଯେଉଁ କେତୋଟି କ୍ରୀଡା ଭିତ୍ତିଭୂମି ରହିଛି ତାହାର ଉନ୍ନତିକରଣ ହେଉନି । ତାହା ଏବେ କିଛି ସଂଗଠନ ଓ ସଂସ୍ଥାର ଅଧୀନରେ ରହିଥିବାବେଳେ ଏହାର ବିକାଶ ସାଧନ ହେଉନି । କରୋନା-୧୯ ହେତୁ କୋରାପୁଟ ଜିଲ୍ଲାରେ କ୍ରୀଡା ଭିତ୍ତିଭୂମି ବାଟବଣା ହୋଇଥିବାବେଳେ କେବେ ଏହାର ସୁଧାର ହେବ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି । ଆଜି ଜାତୀୟ କ୍ରୀଡା ଦିବସ । ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ତିଥିକୁ ଦେଶ ସାରା କ୍ରୀଡା ଦିବସ ଭାବେ ପାଳନ କରିଥାନ୍ତି । ଏହି ମହାପୁରୁଷ ଜଣକ ଅଲିମ୍ପିକରେ ଦେଶ ପାଇଁ ତିନିଟି ସ୍ୱର୍ଣ୍ଣ ପଦକ ଆଣିଥିବାବେଳେ ତାଙ୍କ ଜନ୍ମ ଦିନକୁ କ୍ରୀଡାର ବିକାଶ ପାଇଁ ଗଣନା କରାଯାଏ । କିନ୍ତୁ କୋରାପୁଟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ହକି କ୍ରୀଡା ପାଇଁ ପ୍ରୋତ୍ସାହନ ମିଳୁନି । ଜିଲ୍ଲାରେ ରହିଥିବା ହକି ପଡିଆ ଏବେ ପୁଲିସର ଅଧୀନରେ ରହିଥିବାବେଳେ ଜିଲ୍ଲାରୁ ହେମା ରାଓ, କେ.କାମ୍ମାନ୍ନା ଓ କୁମାର ରାଜୁଙ୍କ ପରେ ଆଉ ହକି ଖେଳାଳି ତିଆରି କରିପାରିନି କୋରାପୁଟ । ସବୁଠୁ ବଡ କଥା ହେଲା ଜିଲ୍ଲାରେ ରହିଥିବା ହକି ପଡିଆର ବିକାଶ ସାଧନ ହୋଇପାରୁନି ।

ପ୍ରଶାସନିକ ଓ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ହେତୁ ଏବେ ଡମ୍ପି ୟାର୍ଡ ପାଲଟିଛି ‌ହକି ପାଇଁ ଉଦ୍ଦିଷ୍ଟ ପଡିଆ। ଏବେ କୋରାପୁଟ ପୁଲିସ ପକ୍ଷରୁ ଏହିଠାରେ ଜବତ ହୋଇଥିବା ଗାଡିକୁ ରଖାଯାଇଥିବାବେଳେ କିଛି ଘରୋଇ ଲୋକ ଜିନିଷପତ୍ର ରଖୁଥିବା ଦେଖିବାକୁ ମିଳିଛି। ଏହି ଜିଲ୍ଲାଗୁଡିକରେ ଭିତ୍ତିଭୂମିକୁ ବିକଶିତ କରାଯାଉଥିବାବେଳେ କିନ୍ତୁ କୋରାପୁଟ ଛାତି ଉପରେ ରହିଥିବା ହକି ପଡିଆ ଏବେ ଅନ୍ୟ ଜିନିଷ ପାଇଁ ବ୍ୟବହାର ହେଉଛି। ଯେଉଁ କାର୍ଯ୍ୟ ପାଇଁ ଏହି ସ୍ଥାନକୁ ବଛା ଯାଇଥିଲା ତାହା ଏବେ ବାଟ ହୁଡିଛି। କୋରାପୁଟ ସହର ବସଷ୍ଟାଣ୍ଡକୁ ଲାଗି ରହିଛି ପ୍ରାୟ ଗୋାଟିଏ ଏକରରୁ ଅଧିକ ଖାଲି ପଡିଆ। ଏହି ପଡିଆ ୫୦ ବର୍ଷ ହେବ ହକି ଷ୍ଟାଡିୟମ ଭାବେ ବେଶ ପରିଚିତ। ଏହାକୁ ପୁଲିସ ରିଜର୍ଭ ଅଫିସ ଭାବେ କରାଯିବାକୁ ଯୋଜନା ରହିଥିଲା କିନ୍ତୁ ବିରୋଧ ହେବାରୁ ଏହା ବନ୍ଦ ରହିଛି। ପରବର୍ତ୍ତୀ ସମୟରେ ଏହାକୁ ଜିଲ୍ଲା ପୁଲିସ ପକ୍ଷରୁ ଡମ୍ପିଂ ୟାର୍ଡ ଭାବେ ବ୍ୟବହାର କରାଯାଇଛି।

ଗଞ୍ଜେଇ ଚୋରା ଚାଲାଣରେ ଧରାପଡୁଥିବା ଗାଡିକୁ ଏହିଠାରେ ରଖାଯାଉଛି। ଏହି ଜମି ସ୍ଥାନୀୟ ପୌରସଂସ୍ଥାର ସମ୍ପତ୍ତି ଥିଲା। ଏହାପରେ ଜିଲ୍ଲା ପୁଲିସ ଏହାକୁ ନିଜ ଅକ୍ତିଆରକୁ ନେଇ ଏହିଠାରେ ଏକ କାର୍ଯ୍ୟାଳୟ ସ୍ଥାପନ କରିବାକୁ ଚାହୁଁଥିଲା। କିନ୍ତୁ ବିରୋଧ ହେବାରୁ ଏହାକୁ ସ୍ଥଗିତ ରଖିଥିଲା। ଯଦିଓ ଏହି ଗ୍ରାଉଣ୍ଡକୁ ହକି ଗ୍ରାଉଣ୍ଡ ନାମରେ ନାମିତ କରାଯାଇଛି, ସେଠାରେ ଫୁଟବଲ ଏବଂ ଭଲିବଲ ମଧ୍ୟ ଖେଳାଯାଉଥିଲା। ଦିନ ଥିଲା କୋରାପୁଟ ଜିଲ୍ଲାରୁ ହେମା ରାଓଙ୍କ ପରି ବହୁ ଖେଳାଳି ଏହି ପଡିଆରେ ଫୁଟବଲ ଓ ହକି ଖେଳି ଦେଶରେ ନିଜର ନାମ କରିଥିଲେ। ଜିଲ୍ଲାରେ ପ୍ରତିଭାଙ୍କର ଅଭାବ ନ ଥିବାବେଳେ ସେମାନଙ୍କୁ ଟ୍ରେନିଂ କରିବାକୁ ନାହିଁ ଭଲ ଜାଗାଟିଏ। ଏହି ଜାଗାଟି ଏବେ ପୁଲିସ ଅକ୍ତିଆରରେ ରହିଥିବାବେଳେ ଏହାକୁ ବ୍ୟବହାର ପାଇଁ ଘରୋଇ ଲୋକ ବ୍ୟବହାର କରିବାକୁ ନେଇ ନାନା ପ୍ରଶ୍ନ ଉଠିଛି। ଯେଉଁଥି ପାଇଁ ଏହି ଷ୍ଟାଡିୟମ ନାମିତ ହୋଇଥିଲା ତାହା ଏବେ ସାଧିତ ହୋଇପାରୁନି। ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲାରେ ନାହାନ୍ତି ସ୍ଥାୟୀ କ୍ରୀଡା ଅଧିକାରୀ । ଦୁଇବର୍ଷ ହେବ ଜିଲ୍ଲାରେ ଭାରପ୍ରାପ୍ତ କ୍ରୀଡା ଅଧିକାରୀଙ୍କ ଭରଷାରେ ଏହା କାର୍ଯ୍ୟ କରୁଛି । ୨୦୨୦ ମସିହା ମେ ୨୦ ତାରିଖରୁ ରାଜ କିଶୋର ଜେନାଙ୍କ ପରେ ସରକାରଙ୍କ ପକ୍ଷରୁ କୌଣସି ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇନି ।

ସମ୍ବନ୍ଧିତ ଖବର