ଭଞ୍ଜନଗର: ବିବାହ ବ୍ରତ ଠାରୁ ଆରମ୍ଭ କରି ପର୍ବପର୍ବାଣରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମାହୋଲ ସୃଷ୍ଟି କରୁଥିବା କଳାକାର ମାନେ ଆଜି ନିରବି ଯାଇଛନ୍ତି। ରଙ୍ଗିନ୍‌ ଆଲୋକ ସାଜସଜ୍ଜାରେ ବିଭିନ୍ନ ମ୍ୟୁଜିକାଲ୍‌ ଉପକରଣ ଦ୍ବାରା ଲୋକ ମାନଙ୍କ ମନକୁ
ବ‌ିମୋହିତ କରୁଥିବା ଗାୟକ ମାନଙ୍କ ସ୍ବର ଆଜି ଧିମେଇ ଯାଇଛି। ଦିନ ପରେ ଦିନ ବତି ଯାଇଥିଲେ ମଧ୍ୟ ଆଉ ପୂର୍ବ ଭଳି ସୂର ତାଳରେ ଲୋକ ମାନଙ୍କୁ ମନୋରଞ୍ଜନ କରିବାର ସୁଯୋଗ ଆଉ ପାଉ ନାହାଁନ୍ତି। ଆଉ ନିଜର କଳାକୁ ପାଥେୟ କରି ରୋଜଗାର କରୁଥିବା କଳାକାର ମାନେ ରାତି ପାହିଲେ ପରିବାର କେମିତି ଚଳାଇବେ ସେହି ଦୁଃଖରେ ଦିନ କାଟୁଛନ୍ତି।

Advertisment

ଲୋକ ମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଲକ୍ଷାଧିକ ଟଙ୍କା ବିନିଯୋଗ କରି ମ୍ୟୁଜିକାଲ୍‌ ଅନୁଷ୍ଠାନ ତିଆରି କରିଥିବା କଳାକାର ମାନଙ୍କ ଆର୍ଥିକ ସ୍ଥିତି ଦୋହଲି ଗଲାଣି। ଅନୁଷ୍ଠାନକୁ ଛାଡି କିଛି ଅଲଗା ରୋଜଗାର ମାଧ୍ୟମ ସୃଷ୍ଟି କରିପାରୁଛନ୍ତି ନା ସାଂସ୍କୃତିକ କାର୍ଯ୍ୟକ୍ରମ କରିପାରୁଛନ୍ତି। ବର୍ତ୍ତମାନ ଏହି କଳାକୁ ନେଇ ବଞ୍ଚି ରହିଥିବା କଳାକାର ମାନଙ୍କ ପାଇଁ ଆଗାମୀ ଦିନରେ ସରକାର କଣ ପ‌ଦକ୍ଷେପ ନେଉଛନ୍ତି ତାକୁ ସମ‌େସ୍ତ‌ ଚାହିଁ ରହିଛନ୍ତି। ବିଭିନ୍ନ ସାଂସ୍କୃତିକ ଉତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରିବା ନିମନ୍ତେ ଭଞ୍ଜନଗର ଉପଖଣ୍ଡରେ ପ୍ରାୟ ଶହେରୁ ଉର୍ଦ୍ଧ ମ୍ୟୁଜିକାଲ୍‌ ଅନୁଷ୍ଠାନ ରହିଥିବା ବେଳେ ଗାୟକ, ବାଦ୍ୟକାର, ପରିଚାଳକ, ସହାୟକ ଭଳି ଶତାଧିକ କଳାକାର ଆଜି ସେମାନଙ୍କ ରୋଜଗାର ହରାଇଛନ୍ତି।

publive-image Sambad

ଅନେକ କଳାକାର ସେମାନଙ୍କ ରୋଜଗାରର ପନ୍ଥା ବଦଳାଇ ଦେଇଛନ୍ତି। ଲକ୍ଷାଧିକ ଟଙ୍କା ବି‌ନିଯୋଗ କରି ଅନୁଷ୍ଠାନ ଗଢିଥିବା ମାଲିକ ମାନେ ବିବାହ ବ୍ରତ ସିଜନ୍‌ ପାଇଁ ଋଣ ଆଣି ନିଜ ସଂସ୍ଥାରେ ବିନିଯୋଗ କରୁଥିବା ‌େବ‌ଳେ ସମସ୍ତ ସାମାଜିକ କାର୍ଯ୍ୟକ୍ରମ ବନ୍ଦ ରହିଥିବା ଯୋଗୁ ଋଣ କିଭଳି ପରିଶୋଧ କରିବେ ସେନେଇ ଚିନ୍ତାରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବେଲଗୁଣ୍ଠାର ଜି.ଭଜରାମ ନାୟକ।  ସାଉଁଣ୍ଡ ବକ୍ସ ଲାଇଟ୍‌ ଟେଣ୍ଟ ଭଳି ଜିନିଷ ଭଡା ସୁତ୍ରରେ ଆଣି କାର୍ଯ୍ୟକ୍ରମ କରୁଥିବା ବେଳେ ସଂସ୍ଥା ଭଲ ଚାଲିଥିବାରୁ ଗତ ୨୦୧୮ ମସିହାରେ ସେ ଅଢେଇ ଲକ୍ଷ ଟଙ୍କା ବ୍ୟାଙ୍କରୁ ଋଣ କରିଥିଲେ ଏଥିସହ ବିଭିନ୍ନ ଲୋକ ମାନଙ୍କ ଠାରୁ ହାତ ଉଦ୍ଧାରି ଆଣି ଆବଶ୍ୟକ ସମସ୍ତ ଉପକରଣ କିଣିଥିଲେ।

ତାଙ୍କ ଅନୁଷ୍ଠାନରେ କର୍ଣ୍ଣାଟକୀ, ସେକ୍‌ସୋ ଫୋନ୍, କି ବୋର୍ଡ, ପେଡ୍‌ ଆଦି ବାଦ୍ୟଯନ୍ତ୍ର ବଜାଇବା ପାଇଁ କଳାକାର ରହିଥିବା ବେଳେ ଗାୟକ ମଧ୍ୟ ରହିଛନ୍ତି। କିନ୍ତୁ କଟକଣା ପାଇଁ ସବୁକିଛି ବନ୍ଦ ହୋଇଯିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡିଥିବା ‌ବେଳେ ଏଭଳି ପରିସ୍ଥିତିରେ ଋଣ କିଭଳି ସୁଝିବେ ସେ ଚିନ୍ତାରେ ରହିଛନ୍ତି। ପ୍ରାୟ ୫୦ ଲକ୍ଷ ଟଙ୍କାର ଜିନିଷ ଘରେ ରହିଥିବା ବେଳେ ପରିବାର ପ୍ରତିପୋଷଣ ପାଇଁ କିଛି ଦିନ ସେ ମାଛ ବ୍ୟବସାୟ ମଧ୍ୟ କରିଥିଲେ। କିଛି ଦିନ ମାଛ ବେପାର କରିବା ପରେ ସେଥ‌ିରେ ମଧ୍ୟ କ୍ଷତି ହେବାରୁ ତାଙ୍କୁ ତାହା ଛାଡିବାକୁ ପଡିଥିଲା। ତେଣୁ ସେ ଅନ୍ୟ ବ୍ୟବସାୟ ମଧ୍ୟ କରିପାରୁ ନଥିବା ବ‌େଳେ ସରକାର କେବେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ଅନୁମତି ପ୍ରଦାନ କରିବେ ତାକୁ ଚାହିଁ ବସିଛନ୍ତି। କେବଳ ଭଜରାମ ନୁହନ୍ତି ତାଙ୍କ ଭଳି ବହୁ ମଞ୍ଚ କଳାକାର,ନାଟକ ମେଲୋଡି, ଭଜନ ଗ୍ରୁପ୍‌, ମ୍ୟୁଜିକାଲ୍‌ ବ୍ୟାଣ୍ଡ୍‌ ଗ୍ରୁପ୍‌ ଓ ଲୋକ ନାଟକ କଳାକାର ମାନେ ସେମାନଙ୍କ ପରିସ୍ଥିତିରେ ସୁଧାର ଆଣିବା ପାଇଁ ସରକାର ସାମାଜିକ ‌ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ଦେବାପାଇଁ ନିବେଦନ କରିଛନ୍ତି।