କୋରାପୁଟ :  କୋରାପୁଟ ଜିଲ୍ଳାରେ କରୋନାର କୋପ ଧୀରେ ଧୀରେ କମିବାରେ ଲାଗିଛି। ଅକ୍ଟୋବରରୁ ଜିଲ୍ଳାରେ କରୋନା ସଂକ୍ରମଣ କମିବା ଆରମ୍ଭ କରିଥିଲା‌ବେଳେ ନଭେମ୍ବର ମାସରେ ମଧ୍ୟ ଏହା ଜାରି ରହିଛି। ପାର୍ବଣ ଋତୁରେ ମଧ୍ୟ ସଂକ୍ରମଣ ଉପର ମୁହାଁ ହୋଇନି। ଫଳରେ ଜିଲ୍ଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨ ଶହ ତଳକୁ ଖସିଛି। ପାଖାପାଖି ୪ ମାସ ପ‌ରେ ପ୍ରଥମ ଥର ପାଇଁ ସକ୍ରିୟ ସଂଖ୍ୟା ୨ ଶହ ତଳକୁ ଆସିଥିବା କୁହାଯାଉଛି। ଏପଟେ ଆଜି ଜିଲ୍ଲାର ବିଭିନ୍ନ ଭାଗରୁ ୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଜଣେ ଜିଲ୍ଲା ବାହାରୁ ଫେରିଥିଲାବେଳେ ୮ ଜଣ ପୂର୍ବ ଆକ୍ରାନ୍ତଙ୍କ ସିଧାସଳଖ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ୩ ଜଣ ସ୍ଥାନୀୟ ସଂକ୍ରମିତ। ଆଜିର ସଂକ୍ରମିତଙ୍କୁ ମିଶାଇ ଜିଲ୍ଳାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୬୨୬ରେ ପହଞ୍ଚିଛି। ଅପରପକ୍ଷରେ ଜିଲ୍ଲାରେ ଆରୋଗ୍ୟ ହାର ବୃଦ୍ଧି ପାଇବାରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମି କମି ଚାଲିଛି।

Advertisment

ଦଶମନ୍ତପୁର ବ୍ଲକ ଆଜି ସଂକ୍ରମଣ ତାଲିକା ଶୀର୍ଷରେ ରହିଛି। ଏଠାରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କ ଘର ପି.ସୁଜୁଲି ଗାଁରେ। ବୈପାରିଗୁଡା ବ୍ଲକ କେନ୍ଦୁଗୁଡା ଓ ବେତଭଟା ଗାଁରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ବୋରିଗୁମ୍ମା ବ୍ଲକ ଅମ୍ବାପାଲି ଗାଁରୁ ଜଣେ, କୋରାପୁଟ ସହର ସିଂହ କଲୋନୀରୁ ଜଣେ ଓ କୋଟପାଡ ବ୍ଲକ ଆମ୍ବାଗୁଡାରୁ ଜଣେ ସଂକ୍ରମିତ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ସୁନାବେଡା ସହରରୁ ୨ ଜଣ ସଂକ୍ରମିତ ହୋଇଥିଲାବେଳେ ସେମାନଙ୍କ ଘର ହାଲ ଟାଉନସିପ‌ରେ। ସେହିପରି ଜୟପୁର ବ୍ଳକ ପଲକାପୁଟ ଓ ସାମଦାସପୁଟ ଗାଁରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଥିବା ଜଣାପଡିଛି। ଆଜିର ସଂକ୍ରମିତଙ୍କ ଭିତରେ ୫ ଜଣ ପୁରୁଷ ଓ ୭ ଜଣ ମହିଳା ଅଛନ୍ତି।

ଆଜିର ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୭୬୨୬ରେ ପହଞ୍ଚିଛି। ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାରୁ ଆଜି ପର୍ଯ୍ୟନ୍ତ ୧,୩୦,୩୬୨ଜଣଙ୍କର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ଏଥିରୁ ୧,୩୦,୦୪୩ଜଣଙ୍କର ରିପୋର୍ଟ ପ୍ରଶାସନ ପାଖରେ ପହଞ୍ଚିଛି। ୭୬୨୬ ଜଣଙ୍କର କୋଭିଡ ପଜିଟିଭ ରହିଛି। ଏମାନଙ୍କ ଭିତରୁ ୭୪୩୩ଜଣ କରୋନାରୁ ଆରୋଗ୍ୟ ଲାଭ କରି ସାରିଲେଣି। ଏ ଭିତରେ ଜିଲ୍ଲାରୁ କୋଭିଡରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଉଛି। ଫଳରେ ଜିଲ୍ଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨ ଶହ ତଳକୁ ଖସି ଆସିଛି। ଏହା ସହିତ ଜୁଲାଇ ପରେ ପ୍ରଥମ ଥର ପାଇଁ ଜିଲ୍ଲାର ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨ ଶହ ତଳେ ରହିଛି। କୋରାପୁଟ ଜିଲ୍ଳା‌ରେ ଜୁଲାଇରୁ ସଂକ୍ରମଣ ବଢିଥିଲାବେଳେ ଅଗଷ୍ଟ ଓ ସେ‌ପ୍ଟେମ୍ବର ମାସରେ ଏହା ଶୀର୍ଷରେ ପହଞ୍ଚିଥିଲା। ଏପରିକି ଜିଲ୍ଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫ ଶହ ଉପରେ ଦୀର୍ଘ ଦିନ ଧରି ରହିଥିଲା। କିନ୍ତୁ ଅ‌କ୍ଟୋବର ଓ ନଭେମ୍ବର ମାସରେ ସଂକ୍ରମଣ କମିବା ଜିଲ୍ଲା ପାଇଁ ବରଦାନ ସାଜିଛି। ଏଡି ୨ ମାସରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମି କମି ଶେଷରେ ୧୭୯ରେ ପହଞ୍ଚିଛି। କରୋନାର ଏମିତି ଧୀମା ସଂକ୍ରମଣ ଜା‌ରି ରହିଲେ ଏହି ମାସ ଶେଷ ସୁଦ୍ଧା ଜିଲ୍ଲାର ସ୍ଥିତି ବେଶ ସୁଧୁରି ଯାଇଥିବ ବୋଲି ଅନୁମାନ କରାଯାଉଛି।