ବନ୍ଧୁଗାଁ: କୋରାପୁଟଜିଲ୍ଲା ବନ୍ଧୁଗାଁ ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା, ପବନ ପ୍ରଭାବରେ ମକା ଫସଲ ସମେତ ପଡୁ ଚାଷ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ବ୍ଲକରେ ଥିବା ୧୩ଟି ପଞ୍ଚାୟତରେ ଚଳିତ ବର୍ଷ ବହୁ ଚାଷୀ ଲିମୋନ ଗ୍ରାସ ବଦଳରେ ଭଲ ଦୁଇ ଟଙ୍କା ରୋଜଗାର କରିବା ଆଶାରେ ମକା ମଞ୍ଜି କିଣି ଜମି ଗୁଡିକରେ ମକା ଚାଷ କରି ଥିଲେ।

Advertisment

ଚାଷୀମାନେ ୪କିଲୋ ଥିବା ମକା ମଞ୍ଜିକୁ ଆନ୍ଧ୍ରରେ ୧୫୦୦ ଟଙ୍କା ଥିବା ବେଳେ କୃଷି ସୁଚନା ଓ ପରାମର୍ଶ କେନ୍ଦ୍ରରେ ୪ କିଲୋକୁ ୧୩୦୦ ଟଙ୍କା ଦେଇ କିଣିଥିଲେ। ବ୍ଲକ କୃଷି ଅଧିକାରୀ ସୂର୍ଯ୍ୟକାନ୍ତ ନାହାକଙ୍କ ଠାରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ୧୧୭୧ ହେକ୍ଟର ଜମିରେ ମକା ଚାଷ ଓ ବାଜରା (ଜନା) ୫୯ ହେକ୍ଟର ଚାଷ କରାଯାଉଛି।

ଚଳିତ ବର୍ଷ ଭଲ ବର୍ଷା ଯୋଗୁଁ ଫସଲ ଗୁଡିକ ଭଲ ହେବା ଆଶାରେ ଚାଷୀ ଖୁସି ହେଇଥିଲେ। ଠିକ ସମୟରେ ଲଘୁ ଚାପ ଜନିତ ପ୍ରବଳ ବର୍ଷା, ପବନ ଗତକାଲି ରାତି ଦିନ ଲାଗି ରହି ଥିବାରୁ ଚାଷୀଙ୍କ ମକା ଚାଷ, ଡଙ୍ଗର ଚାଷରେ ଥିବା ବାଜରା (ଜନା) ଓ କାନ୍ଧୁଲ ଗଛ ଗୁଡିକ ଭାଙ୍ଗି ମାଟିରେ ଶୋଇ ପଡ଼ିଛି। ବର୍ଷ ତମାମ ଚାଷୀ କୁଲ ପରିଶ୍ରମ କରି ଋଣ କରି ବିହନ ମଞ୍ଜି କିଣି ନିଜ ଜମି ଗୁଡିକରେ ଚାଷ କରି ଟଙ୍କା ପାଇବା ଆଶା ବାନ୍ଧି ଥିଲେ। ତାହା ଏହି ଲଘୁ ଚାପ ଜନିତ ବର୍ଷା ପବନ ଯୋଗୁଁ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇ ଥିବା ଦେଖିବାକୁ ମିଳିଛି।

ବର୍ତ୍ତମାନ ଦଶହରା ଛୁଟି ଥିବାରୁ କୃଷି କର୍ମଚାରୀ ଗାଁ ଗୁଡ଼ିକରେ ପହଞ୍ଚି ନଥିବା ମକା  ଓ ବାଜରା ଫସଲ କ୍ଷୟ କ୍ଷତି ହୋଇ ଥିବା ସଠିକ୍ ତଥ୍ୟ ମିଳି ପାରି ନାହିଁ, ଏଥି ସହିତ ଅନ୍ୟାନ୍ୟ ଫସଲ ପଦା ଜମି ଓ ଡଙ୍ଗର ଗୁଡ଼ିକରେ ଲଗାଇଥିବା ଧାନ ଫସଲ ମଧ୍ୟ ନଷ୍ଟ ହୋଇ ଥିବା  ଆମ ଗଣମାଧ୍ୟମଙ୍କୁ ଚାଷୀକୁଳ ଜଣାଇଛନ୍ତି। ସରକାର ଅତି ଶୀଘ୍ର ଫସଲ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ପାଇଁ ବ୍ଲକର ସମସ୍ତ ପଞ୍ଚାୟତର ଚାଷୀ ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ଗୁହାରି କରିଛନ୍ତି।

Koraput