ୟୁନିଅନ ବ୍ୟାଙ୍କରେ ଜାଲିଆତି ମାମଲା: କ୍ରାଇମବ୍ରାଞ୍ଚ କରିବ ତଦନ୍ତ

କୋରାପୁଟ: ୟୁନିଅନ ବ୍ୟାଙ୍କର କୋରାପୁଟ ଶାଖାରେ ୨କୋଟି ୫ଲକ୍ଷ ୫୦ହଜାର ଟଙ୍କା ଜାଲିଆତି ଘଟଣାର ତଦନ୍ତ କରିବ କ୍ରାଇମ ବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା। ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକ ଅମ୍ବ୍ରିତା ପ୍ରିୟଦର୍ଶିନୀ ପାତ୍ର ଏହି ଠକେଇ କରିଥିବା ନେଇ କୋରାପୁଟ ପୁଲିସ ପୂର୍ବରୁ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା ବେଳେ ଏବେ କ୍ରାଇମବ୍ରାଂଚ ଆଉ ଏକ ମାମଲା କରିଛି। କୋରାପୁଟ ପୁଲିସ ମାମଲା ସଂପର୍କିତ କାଗଜପତ୍ର କ୍ରାଇମବ୍ରାଂଚକୁ ହସ୍ତାନ୍ତର କରିବା ପରେ ମାମଲାର ବିଧିବଦ୍ଧ ତଦନ୍ତ ଆରମ୍ଭ ହେବ ବୋଲି ଜଣାପଡିଛି।
କୋରାପୁଟ ସ୍ଥିତ ୟୁନିଅନ ବ୍ୟାଙ୍କ ଶାଖାରେ ପୂର୍ବରୁ ଅମ୍ବ୍ରିତା ପ୍ରିୟଦର୍ଶିନୀ ପାତ୍ର ଶାଖା ପରିଚାଳକ ଭାବେ କାର୍ଯ୍ୟ କରୁଥିଲେ। ଏହି ସମୟରେ ସେ ବ୍ୟାଙ୍କରେ ବହୁ ଜାଲିଆତି କରିଥିଲେ। ବିଭିନ୍ନ ଲୋକଙ୍କ ବ୍ୟାଙ୍କରେ ଥିବା ସ୍ଥାୟୀ ଜମାକୁ ମଡଗେଜ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଋଣ ଆକାରରେ ନେଇ ଯାଇଥିଲେ। ପୁଣି ନିଜ ମା’ ଓ ଭଉଣୀଙ୍କ ନାମରେ ୩୫ ଲକ୍ଷ ଟଙ୍କାର ଋଣ ନେଇଥିଲେ। ଅଳ୍ପ କିଛି ମଡଗେଜ ଦେଖାଇ ବେଆଇନ ଭାବେ ଏହି ଟଙ୍କା ଋଣ କରିଥିଲେ। ବେଆଇନ ଭାବେ ଏମିତି ସେ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଜଣାପଡିବା ପରେ ବ୍ୟାଙ୍କ ପକ୍ଷରୁ ଅଡିଟ କରାଯାଇଥିଲା। ଏଥିରେ ଜାଲିଆତି ହୋଇଥିବା ସ୍ପଷ୍ଟ ହୋଇଯାଇଥିଲା। ପାତ୍ର ମୋଟ ୨ କୋଟି ୫ ଲକ୍ଷ ୫୦ହଜାର ଟଙ୍କା ଠକି ନେଇଥିବା ଅଡିଟରୁ ଜଣାପଡିଥିଲା। ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। ବିଭାଗୀୟ ଭିଜିଲାନ୍ସ ତଦନ୍ତ ମଧ୍ୟ ଆରମ୍ଭ ହୋଇଥିଲା। ଏଥିରେ ଅମ୍ବ୍ରିତାଙ୍କ ଭୁଲ ଥିବା ନେଇ ପ୍ରମାଣ ମିଳିଥିଲା। ତେଣୁ ତାଙ୍କ ବିରୋଧରେ ଗତ ୫ତାରିଖରେ ବ୍ୟାଙ୍କର ଆଂଚଳିକ ମୁଖ୍ୟ ସୁଶାନ୍ତ କୁମାର ମିଶ୍ର କୋରାପୁଟ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ଅମ୍ବ୍ରିତା ପ୍ରିୟଦର୍ଶିନୀ ପାତ୍ର, ତାଙ୍କ ବାପା, ମା’ ଏବଂ ଭଉଣୀଙ୍କ ନାମରେ ମାମଲା ଦାୟର ହୋଇଛି। ପୁଲିସ ଏଥିନେଇ ତଦନ୍ତ କରିବା ପରେ ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ପାଇଥିଲା। ତେବେ ବିପୁଳ ପରିମାଣର ଆର୍ଥିକ ହେରଫେର କରାଯାଇଥିବାରୁ ମାମଲାର ତଦନ୍ତ ଭାର କ୍ରାଇମ ବ୍ରାଂଚ ନେବାକୁ ଚିଠି ଲେଖିଥିଲା କୋରାପୁଟ ପୁଲିସ। ମାମଲାର ଗମ୍ଭୀରତାକୁ ଦେଖି ଏହି ମାମଲାର ତଦନ୍ତ ଭାର ଏବେ କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖାକୁ ଦିଆଯାଇଛି। ଏହି ଆଧାରରେ ଏକ ମାମଲା କରି ପ୍ରକ୍ରିୟା ଆରମ୍ଭ କରିଛି କ୍ରାଇମବ୍ରାଂଚ। ଏହାର ଏକ ଟିମ ଖୁବ୍‌ଶୀଘ୍ର କୋରାପୁଟ ଆସି ଘଟଣାର ଛାନଭିନ କରିବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର